ମାନସ ସ୍ବାଇଁ ହତ୍ୟା ଘଟଣା: ବଡ଼ବଡ଼ିଆଙ୍କୁ ବଞ୍ଚାଇବା ପାଇଁ ଶର୍ମିଷ୍ଠାଙ୍କ ଚାଲ୍‌

ଶର୍ମିଷ୍ଠା, ନିରଂଜନ, ଝୁନା, ରଂଜନଙ୍କୁ ଜେରା କରୁଛନ୍ତି ୧୬ ଅଫିସର, ଅଶ୍ଳୀଳ ସିନେମାକୁ ବାହାଘର ଫଟୋ କହୁଛନ୍ତି ଶର୍ମିଷ୍ଠା

କଟକ/ଭଦ୍ରକ: ଫଟୋଗ୍ରାଫର୍‌ ମାନସ ସ୍ବାଇଁ ହତ୍ୟାକାଣ୍ଡ ପଛରେ ଥିବା ଅଶ୍ଳୀଳ ସିନେମା ରହସ୍ୟ ଲୁଚାଇବାକୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଏବେ ରୋଚକ କାହାଣୀ ଶୁଣାଉଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ମେମୋରି କାର୍ଡରେ ଆଲବମ୍ ଅଭିନେତ୍ରୀଙ୍କ ସହିତ ନେତା, ଅଫିସରଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ନୁହେଁ; ବରଂ ସେଥିରେ ବାହାଘର ଓ ବ୍ରତଘର ଫଟୋଥିବା ସଫେଇ ଦେଇଛନ୍ତି। ଏଥିସହ, ରିମାଣ୍ଡର ପ୍ରଥମଦିନରେ ବଡ଼ବଡ଼ିଆଙ୍କ ଇଜ୍ଜତ ବଞ୍ଚାଇବାକୁ ଏକପ୍ରକାର କସରତ ଆରମ୍ଭ କରିଦେଇଛନ୍ତି। ମାନସଙ୍କଠୁ ମେମୋରି କାର୍ଡ ହାତେଇଥିବା ଶର୍ମିଷ୍ଠା ସ୍ବୀକାର କରିଥିବାବେଳେ ଏବେ ତାହା କେଉଁଠି ଅଛି, ସେ ନେଇ କ୍ରାଇମବ୍ରାଞ୍ଚ ସ୍ପଷ୍ଟ ତଥ୍ୟ ହାସଲ କରିପାରିନାହିଁ। ଯଦି ମେମୋରି କାର୍ଡରୁ ଅଶ୍ଳୀଳ ଭିଡିଓ ଡିଲିଟ୍ ହୋଇଥିବ, ଫରେନସିକ୍ ସାଇନ୍ସ ଲାବରେଟୋରିରୁ ରିକ୍‌ଭରି ହୋଇପାରିବ। କିନ୍ତୁ ଏହାକୁ ଭାଙ୍ଗି ଦେଇଥିଲେ ବଡ଼ବଡ଼ିଆଙ୍କ ଅଶ୍ଳୀଳ ସିନେମା ରହସ୍ୟ ସବୁଦିନ ପାଇଁ ଲୁଚିଯିବାର ସମ୍ଭାବନା ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଶର୍ମିଷ୍ଠା, ନିରଂଜନ, ଝୁନା, ରଂଜନଙ୍କୁ ଜେରା କରୁଛନ୍ତି ୧୬ ଅଫିସର
ଅଶ୍ଳୀଳ ସିନେମାକୁ ବାହାଘର ଫଟୋ କହୁଛନ୍ତି ଶର୍ମିଷ୍ଠା
ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଭୋକରେ ଥିଲେ ମାନସ; ପଞ୍ଜରା ହାଡ଼ ଭାଙ୍ଗି ଦେଇଥିଲେ

ଅଭିଯୁକ୍ତଙ୍କୁ ଜେରାପାଇଁ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ନେତୃତ୍ବରେ ଚାରିଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୪ଜଣ ଲେଖାଏଁ ପୁଲିସ ଅଧିକାରୀ ଅଛନ୍ତି। ଜେରାର ପ୍ରଥମଦିନରେ ଶର୍ମିଷ୍ଠା ମେମୋରି କାର୍ଡକୁ ନେଇ ଯେଉଁ କାହାଣୀ କହିଛନ୍ତି, ତାକୁ ସହଜରେ ବିଶ୍ବାସ କରିପାରୁନାହିଁ କ୍ରାଇମବ୍ରାଞ୍ଚ। ଫେବ୍ରୁଆରି ୨ ତାରିଖରେ ଦରମା ଟଙ୍କାକୁ କେନ୍ଦ୍ରକରି ଶର୍ମିଷ୍ଠାଙ୍କ ୱେବ୍‌ପୋର୍ଟାଲରୁ ଚାକିରି ଛାଡ଼ିଦେଇଥିଲେ ମାନସ। ପରେ ଏକ ମେମୋରି କାର୍ଡ ମାନସ ନଫେରାଇବାରୁ ବିବାଦ ହୋଇଥିଲା। େସ ସମ୍ପର୍କରେ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ଏହି ମେମୋରି କାର୍ଡ ମାନସଙ୍କୁ ସେ ଏକ ମାସ କାଳ ମାଗି ମାଗି ଥକିଯାଇଥିଲା। ଫୋନ୍ କଲେ ବି ମାନସ ଫୋନ୍ ଉଠାଉ ନଥିଲେ। ଅନେକ ସ୍ଥାନରେ ଖୋଜାଖୋଜି କରି ଶେଷରେ ଚାନ୍ଦବାଲିରୁ ମାନସଙ୍କୁ ଉଠାଇ ଆଣି ମେମୋରି କାର୍ଡ ହାତେଇଥିବା ଶର୍ମିଷ୍ଠା କ୍ରାଇମବ୍ରାଞ୍ଚ ସାମ୍‌ନାରେ ସ୍ବୀକାର କରିଛନ୍ତି। ତେବେ, ମେମୋରି କାର୍ଡରେ ଥିବା ବାହାଘର ଓ ବ୍ରତଘର ଫଟୋକୁ କେନ୍ଦ୍ରକରି ଶର୍ମିଷ୍ଠା ଏକ ଯୋଜନାବଦ୍ଧ ଅପହରଣ ଓ ହତ୍ୟାକାଣ୍ଡ ଘଟାଇଥିବା କହୁଥିବା କଥାକୁ କ୍ରାଇମବ୍ରାଞ୍ଚ ଟିମ୍ ବିଶ୍ବାସକୁ ନେଇପାରୁ ନାହାନ୍ତି।

ଗୋଟିଏପଟେ କ୍ରାଇମବ୍ରାଞ୍ଚ ଏମାନଙ୍କୁ ରିମାଣ୍ଡରେ ଆଣିଥିବାବେଳେ ନୟାଗଡ଼ରେ ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି। ଏହି ରିପୋର୍ଟରେ ମାନସଙ୍କୁ ଲମ୍ବା ସମୟ ଧରି ଭୋକ ଉପାସରେ ରଖାଯିବା ସହିତ ଶାରୀରିକ ନିର୍ଯାତନା ଦିଆଯାଇଥିବା ସ୍ପଷ୍ଟ ହୋଇଛି। ମାନସଙ୍କୁ ଏଭଳି ମାଡ଼ ହୋଇଥିଲା ଯେ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗିଯାଇଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁ ମାନସଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ମାନସଙ୍କୁ ମାଡ଼ ମାରିବା ପାଇଁ ଲୁହା ରଡ଼ ବ୍ୟବହାର ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ କହୁଛି। କିନ୍ତୁ ପୁଲିସ ମାତ୍ର ୩ଟି ଠେଙ୍ଗା ଜବତ କରିଛି। ହତ୍ୟାରେ ବ୍ୟବହୃତ ଅନ୍ୟ ସାମଗ୍ରୀକୁ କ୍ରାଇମବ୍ରାଞ୍ଚ ଟିମ୍ ଖୋଜାଖୋଜି କରୁଛି।
ଉଲ୍ଲେଖଯୋଗ୍ୟ ଯେ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଆଜି ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ; ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଦୟାଲ ଆଶ୍ରମର କେୟାରଟେକର୍ ଝୁନା ଭୋଇ, ମୋବାଇଲ୍ ଦୋକାନୀ ତଥା ନିରଞ୍ଜନଙ୍କ ଖାସ୍ ସହଯୋଗୀ ରଞ୍ଜନ ନାୟକ ଓରଫ ରାଜ। ଭଦ୍ରକ ଉପ-କାରାଗାରାରୁ ଆଜି କ୍ରାଇମବ୍ରାଞ୍ଚ ଆଣି ଭଦ୍ରକ ହସପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ସେଠୁ ଆଣି ଦିନ ପ୍ରାୟ ଗୋଟାଏ ବେଳେ କଟକରେ ପହଞ୍ଚିଥିଲା। ଆଜିଠାରୁ ଏହି ଅଭିଯୁକ୍ତମାନଙ୍କ ୫ ଦିନିଆ ରିମାଣ୍ଡରେ ଆରମ୍ଭ ହୋଇଛି ଏବଂ ସମସ୍ତଙ୍କୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ରଖିଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨ତାରିଖ ଯାଏ ଅଭିଯୁକ୍ତମାନଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା କରାଯିବ। ୩ ତାରିଖରେ କୋର୍ଟରେ ହାଜର କରାଯିବ।

ସମ୍ବନ୍ଧିତ ଖବର