ଭୁବନେଶ୍ୱର: ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କୁ ‘ଗପ କଳିକା’ ପାଇଁ ‘ଜାତୀୟ ବାଲ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯାଇଛି। କେନ୍ଦ୍ର ସାହିତ୍ୟ ଅକାଦେମୀ ପକ୍ଷରୁ ଉତ୍ତରପ୍ରଦେଶ ଲକ୍ଷ୍ନୌର ଗୋମତୀନଗର ଭାଗିଦାରୀ ଭବନ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ଅକାଦମୀ ସଭାପତି ମାଧବ କୌଶିକ ଶ୍ରୀ ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ଓ ଗବେଷକ ସୂର୍ଯ୍ୟପ୍ରସାଦ ଦୀକ୍ଷିତ, ଅକାଦେମୀର ଉପସଭାପତି କୁମୁଦ ଶର୍ମା ଓ ସଚିବ କେ. ଶ୍ରୀନିବାସ ରାଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବରେ ଦେଶର ୨୪ଟି ଭାରତୀୟ ଭାଷାର ଶିଶୁସାହିତ୍ୟିକମାନଙ୍କୁ ବାଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ଅଧ୍ୟକ୍ଷତାରେ ‘ଶିଶୁ ସାହିତ୍ୟର ଅତୀତ, ବର୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଶ୍ରୀ ସାମଲ ୨୦ରୁ ଅଧିକ ପୁସ୍ତକ ରଚନା କରିବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ମହୀଶୁର କେନ୍ଦ୍ରୀୟ ଭାଷା ସଂସ୍ଥାନ ପ୍ରକଳ୍ପ ଅଧୀନରେ ୨୫୦ରୁ ଅଧିକ ଇଂରାଜୀ ଶିଶୁ ଗଳ୍ପ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି। ତାଙ୍କର ‘ମନଛୁଆଁ ଗୀତ’ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବେଳେ ‘ମହତ ସହିବା ଜନ’ କବିତା ପୁସ୍ତକ ପାଇଁ ଏନସିଇଆରଟି ଜାତୀୟ ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ମିଳନ ଶିଶୁ ସାହିତ୍ୟ ପୁରସ୍କାର, ରାଜଧାନୀ ଓ ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର, ମୀନାବଜାର ଗପ, କାଦମ୍ବିନୀ-କୁନିକଥା ଶିଶୁସାହିତ୍ୟ ପୁରସ୍କାର ଭଳି ୪୦ରୁ ଅଧିକ ସମ୍ମାନ ପାଇଛନ୍ତି।