ମାନସ ହତ୍ୟା ଘଟଣାର ଅଭିଯୁକ୍ତ ଧରାପଡ଼ିଲେ ନା ଧରାଦେଲେ?

ଗିରଫ ପରେ କାନ୍ଦିଲେ ଶର୍ମିଷ୍ଠା ଓ ଝୁନା

ଭଦ୍ରକ/ଭୁବନେଶ୍ୱର: ବସ୍‌ରୁ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି। କିନ୍ତୁ, ପୁଲିସ୍‌ ଦୁହିଁଙ୍କୁ ଆତ୍ମସମର୍ପଣ କରିବା ପାଇଁ ସେମାନଙ୍କ ସଂପର୍କୀୟଙ୍କ ଜରିଆରେ ରୋକ୍‌ଠୋକ୍ ଶୁଣାଇ ଦେଇଥିଲା ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ନ ହେଲେ ଏହାର ପରିଣାମ ପାଇଁ ବି ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ଏଥିରେ ଶର୍ମିଷ୍ଠା ଓ ଝୁନା ଭୟଭୀତ ହୋଇପଡ଼ିବା ସହ ପ୍ରବଳ ମାନସିକ ଚାପରେ ଥିଲେ। ପୁଲିସ ନଜରରୁ ବର୍ତ୍ତିବା ଲାଗି ଦୁହେଁ ଭଦ୍ରକରୁ ସିଧା କୋଲକାତା ଓ ସେଠାରୁ ଆସାମର ଗୌହାଟୀକୁ ପଳାଇଥିଲେ।

ଭଦ୍ରକ ଆଗରପଡ଼ା ଥାନା ଅନ୍ତର୍ଗତ ପୁରୁଷଣ୍ଢ ଗାଁରେ ଶର୍ମିଷ୍ଠାଙ୍କ ନଣନ୍ଦ ଘର। ମାନସଙ୍କ ମୃତଦେହ ମିଳିବା ପରେ ପୁଲିସ ଯେତେବେଳେ ଧରପଗଡ଼ ଆରମ୍ଭ କଲା, ଠିକ୍‌ ସେହି ସମୟରେ ଶର୍ମିଷ୍ଠା ତାଙ୍କ ଶାଶୂଘର ଯାଜପୁର ଜିଲ୍ଲାର କାଳିଆପାଣି ଓ ପୁରୁଷଣ୍ଢ ଗ୍ରାମସ୍ଥିତ ନଣନ୍ଦ ଘରେ ଆତ୍ମଗୋପନ କରିଥିଲେ। ମାର୍ଚ୍ଚ ୧୩ ତାରିଖରେ ନଣନ୍ଦ ଘରୁ ସେ ଓ ଝୁନା ମିଶି କୋଲକାତା ପଳାଇଥିଲେ। ଫେରାର ପୂର୍ବରୁ ଶର୍ମିଷ୍ଠା ଆଗରପଡ଼ା କଲେଜ ଛକ ନିକଟରେ ଥିବା ଏକ ଘରୋଇ ଏଟିଏମ୍‌ରୁ ଟଙ୍କା ଉଠାଇଥିଲେ। ତେବେ ପାଖରୁ ଅର୍ଥ ସରିଯିବାରୁ ଶର୍ମିଷ୍ଠା ଓ ଝୁନା କୋଲକାତା ରେଳ ଷ୍ଟେସନ୍ ପ୍ଲାଟଫର୍ମରେ କିଛି ଦିନ ରାତି ବିତାଇଥିବା ଜଣାପଡ଼ିଛି। ଆଉ ବେଶି ଦିନ ଲୁଚି ରହିବା ସମ୍ଭବ ହେବନି ଜାଣି ଦୁହେଁ ଆତ୍ମସମର୍ପଣ ପାଇଁ ଯିବା ସମୟରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି। ତେବେ ଭାରତବନ୍ଦ ପାଇଁ ଆଜି ଓ ଆସନ୍ତାକାଲି ଦୁଇଦିନ ବସ୍‌ ଚଳାଚଳ ବନ୍ଦ ଥିବା ବେଳେ କ୍ରାଇମବ୍ରାଞ୍ଚ ଏ ଦୁଇଜଣଙ୍କୁ ବସ୍ ଭିତରୁ ପାଇଲା କେମିତି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଶର୍ମିଷ୍ଠା ଓ ଝୁନା ଭଦ୍ରକ ନଳାଙ୍ଗ ଅଞ୍ଚଳରେ ଆତ୍ମଗୋପନ କରିଥିବା ବେଳେ ସଂପର୍କୀୟଙ୍କ ସୂତ୍ରକୁ ଆଧାର କରି ଉଭୟଙ୍କୁ ଧରାଯାଇଥିବା ସାଧାରଣରେ ଆଲୋଚନା ହେଉଛି।

କାନ୍ଦିଲେ ଶର୍ମିଷ୍ଠା ଓ ଝୁନା
ମାନସ ହତ୍ୟା ଘଟଣା ପରେ ବିଚଳିତ ହୋଇ ପଡ଼ିଥିଲେ ଶର୍ମିଷ୍ଠା। ନିଜ ଭାଇ ଓ ସଂପର୍କୀୟଙ୍କଠାରୁ ଆର୍ଥିକ ସହାୟତା ଲୋଡ଼ିଥିଲେ। ଫୋନ୍ ଟ୍ରାକିଂରୁ ପୁଲିସ ତାଙ୍କ ପାଖରେ ପହଞ୍ଚିଯିବ ବୋଲି ଜାଣି ମୋବାଇଲ ବ୍ୟବହାର କରୁନଥିଲେ। ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଘନଘନ ଖବର ପ୍ରସାରଣ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ନିଜ ଭାଇ ସହିତ ୬ ଜଣ ଏହି ମାମଲାରେ ଗିରଫ ହେବା ପରେ ଶର୍ମିଷ୍ଠା ଓ ଝୁନା ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଥିଲେ।

ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ରହୁଥିବା ବଡ଼ଭାଇ ପରମେଶ୍ବର ରାଉତଙ୍କୁ କିଛି ଟଙ୍କା ଦେବା ପାଇଁ କାକୁତିମିନତି ହୋଇଥିଲେ ଶର୍ମିଷ୍ଠା। ଭଉଣୀ କଥା ଅନୁସାରେ ପରମେଶ୍ବର ୧୦ ହଜାର ଟଙ୍କା ଫୋନ୍ ପ’ରେ ପଠାଇବା ସହ କୋଲକାତା ପଳାଇଯିବାକୁ କହିଥିଲେ। ପରମେଶ୍ବରଙ୍କର କିଛି ଠିକାଦାର ବନ୍ଧୁ କୋଲକାତାରେ ଥିବାରୁ ସେଠାରେ ରହିବା ସୁରକ୍ଷିତ ହେବ ଭାବି ଶର୍ମିଷ୍ଠା ଓ ଝୁନା ସେଠାକୁ ପଳାଇଥିଲେ। ଆଜି ଧରାପଡ଼ିବା ପରେ ଶର୍ମିଷ୍ଠାଙ୍କ ମୁହଁରେ ସେ ତେଜ ଆଉ ନଥିଲା। ଗୋଟାପଣେ କଳା ପଡ଼ିଯାଇଥିଲେ। ଭଦ୍ରକ ପୁଲିସ ବାରାକ୍‌ରେ ଜଳଖିଆ ଦିଆଯିବା‌ ପରେ ମଧ୍ୟ କିଛି ନ ଖାଇ ଦୁହେଁ ଭୟରେ ଥରିଥିଲେ। କେବଳ ସେତିକି ନୁହେଁ, କଇଁ କଇଁ ହୋଇ କାନ୍ଦିଥିଲେ। ଉଭୟଙ୍କୁ ବୁଝାସୁଝା ପରେ ଦୁହେଁ ଜଳଖିଆ ଖାଇଥିଲେ।

ସମ୍ବନ୍ଧିତ ଖବର