କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବକେୟା ୧୦ହଜାର ଟଙ୍କା ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସମ୍ପୂର୍ଣ୍ଣ ୱେବ୍ପୋର୍ଟାଲର ଏକ କ୍ଷୁଦ୍ର ଭିଡିଓର ସୁଟିଂ ବାବଦରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତଠାରୁ ମାନସ ୧୦ ହଜାର ଟଙ୍କା ପାଇବାର ଥିଲା। ଯେଉଁଥିପାଇଁ ମାନସ ଅଫିସ୍ କମ୍ପ୍ୟୁଟର୍ରୁ ଭିଡିଓ ନେଇଯାଇଥିଲେ ଏବଂ ଏହାପରେ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନା ଅନୁଯାୟୀ, କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ସମ୍ପୂର୍ଣ୍ଣ ୱେବ୍ ପୋର୍ଟାଲରେ କାମ କରୁଥିବାବେଳେ ଗଲା ଜାନୁଆରି ୧୦ ତାରିଖ ପରଠାରୁ ସୁନ୍ଦରପଦା ଦୟାଲ ଆଶ୍ରମରେ ରହୁଥିଲେ। ଯେହେତୁ ମାନସଙ୍କର ଭୁବନେଶ୍ବରରେ ଭଡ଼ାଘର ନଥିଲା, ସେ ଆଶ୍ରମରେ ରହିଯାଉଥିଲେ। ଏହିସମୟରେ ସମ୍ପୂର୍ଣ୍ଣ ୱେବ୍ପୋର୍ଟାଲ ପକ୍ଷରୁ ଏକ କ୍ଷୁଦ୍ର ଭିଡିଓ ରେକର୍ଡିଂ ଦାୟିତ୍ବ ନେଇଥିଲେ ମାନସ। ରେକର୍ଡିଂ ବାବଦ ୧୦ ହଜାର ଟଙ୍କା ବକେୟା ଥିଲା। ସେ ବକେୟା ବାରମ୍ବାର ମାଗିଥିଲେ ବି ଶର୍ମିଷ୍ଠା ଦେଇନଥିଲା। ସେହି ରାଗରେ ମାନସ ୱେବ୍ପୋର୍ଟାଲ ଅଫିସ୍ର ଏକ କମ୍ପ୍ୟୁଟରରୁ ପାଖାପାଖି ୬୦ଟି ଭିଡିଓ ଚୋରାଇ ନେଇ ନିଜ ପାଖରେ ଏକ ମେମୋରି କାର୍ଡରେ ରଖିଥିଲେ। ଅଫିସ କମ୍ପ୍ୟୁଟରରେ ସେହିସବୁ ଭିଡିଓ ଡିଲିଟ୍ ହୋଇଯାଇଥିବା ଶର୍ମିଷ୍ଠା ଜାଣିପାରିଥିଲା। ଜାନୁଆରି ୩୦ ତାରିଖରେ ଶର୍ମିଷ୍ଠା ଓ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନିରଞ୍ଜନ ସେଠୀ ପୋର୍ଟାଲ୍ ଅଫିସକୁ ଡାକି ମାନସଙ୍କୁ ମେମୋରି କାର୍ଡରେ ଥିବା ଭିଡିଓ ମାଗିଥିଲେ। ମାତ୍ର, ମେମୋରି କାର୍ଡ ନଦେବାରୁ ଅଫିସରେ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ। ଏଥିରେ ମାନସ ଗୁରୁତର ଆହତ ହୋଇଥିଲେ। ସେହିଦିନ ବି ଶର୍ମିଷ୍ଠା ଓ ନିରଞ୍ଜନ ତାଙ୍କୁ ଏକ ଗାଡ଼ିରେ ଦୟାଲ୍ ଆଶ୍ରମ ନେଇ ଖୋଜିଖୋଜି କରିଥିଲେ ବି ତାହା ମିଳିନଥିଲା। ସେହି ସମୟରେ ମାନସଙ୍କ ଏକ କ୍ୟାମେରା ଶର୍ମିଷ୍ଠା ଛଡ଼ାଇ ନେଇଥିଲା। ଜାନୁଆରି ୩୧ ତାରିଖରେ ମାନସ ଦୟାଲ୍ ଆଶ୍ରମ ଛାଡ଼ିଦେଇଥିଲେ। ଭୁବନେଶ୍ବର ନୟାପଲ୍ଲୀ ଥାନା ଆଇଆରସି ଭିଲେଜ୍ ଅଞ୍ଚଳରେ ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ। ସେଠୁ ନୟାଗଡ଼ ରଣପୁରର ଗୋଡ଼ିପୋଖରୀ ଘରକୁ ବି ଯିବାଆସିବା କରୁଥିଲେ ମାନସ। ଏହାପରେ ବି ଶର୍ମିଷ୍ଠା ମେମୋରି କାର୍ଡ ପାଇବାକୁ ମାନସଙ୍କୁ ଫୋନ୍ କରିଥିଲା। ମେମୋରି କାର୍ଡ ପାଇବାକୁ ହେଲେ ଦୟାଲ ଆଶ୍ରମରୁ ଛଡ଼ାଇ ନେଇଥିବା ତାଙ୍କ କ୍ୟାମେରା ଓ ବକେୟା ୧୦ ହଜାର ଟଙ୍କା ଦେବାକୁ ଶର୍ମିଷ୍ଠାକୁ କହିଥିଲେ ମାନସ। କିନ୍ତୁ ଶର୍ମିଷ୍ଠା ସର୍ତ୍ତରେ ରାଜି ହୋଇ ନଥିଲା ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି।
କ୍ରାଇମବ୍ରାଞ୍ଚ ଆହୁରି ମଧ୍ୟ ଜାଣିବାକୁ ପାଇଛି ଯେ ସହଯୋଗୀ କ୍ୟାମେରାମ୍ୟାନ୍ ଦୀପକ ସାହୁ ଜରିଆରେ ଶର୍ମିଷ୍ଠା ଭଦ୍ରକର ଚାନ୍ଦାବାଲିରୁ ମାନସଙ୍କୁ ଠାବ କରିଥିଲେ। ୬ ତାରିଖରେ ମାନସ ପଲାସପୁରରେ ସୁଟିଂ ସାରି ୭ ତାରିଖ ସକାଳେ ଫେରିବାବେଳେ ଲାଇଭ୍ ଲୋକେସନ୍ ହ୍ବାଟସଆପରେ ପଠାଇବାକୁ ଦୀପକଙ୍କୁ କହିଥିଲା ଶର୍ମିଷ୍ଠା। ଦୀପକ ଲୋକେସନ୍ ପଠାଇବା ପରେ ଶର୍ମିଷ୍ଠା ଅନ୍ୟ ସହଯୋଗୀଙ୍କ ସହିତ ମିଶି ୭ ତାରିଖ ସକାଳେ ଏକ କାର୍ରେ ପିଛା କରି ପାଳାସପୁରରୁ ମାନସଙ୍କୁ ଟେକି ଆଣିଥିଲେ। କିନ୍ତୁ ଦୀପକଙ୍କୁ ସେଠାରେ ଛାଡ଼ି ଦେଇଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟପଟେ ମେମୋରି କାର୍ଡ କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ନୟାଗଡ଼ ଘର ଓ ଦୟାଲ ଆଶ୍ରମରେ ଖୋଜିବା ସହିତ ଆଇଆରସି ଭିଲେଜରେ ବି ଖୋଜିଥିଲା। ଆଇଆରସି ଭିଲେଜରେ ମାନସ ଦୟାଲ ଆଶ୍ରମ ଛାଡ଼ିବା ପରେ ରହିଥିଲେ। ଏହି ତିନୋଟି ସ୍ଥାନରେ କେଉଁଠି ବି ମେମୋରି କାର୍ଡ ମିଳିପାରି ନାହିଁ। ତେଣୁ ଏବେ କ୍ରାଇମବ୍ରାଞ୍ଚର ଶେଷ ଭରସା ସମ୍ପୂର୍ଣ୍ଣ ୱେବ୍ପୋର୍ଟାଲର ଗୋଟିଏ ହାର୍ଡଡିସ୍କ। ଅନ୍ୟପଟେ ଶର୍ମିଷ୍ଠା ଓ ଝୁନା ଭୋଇଙ୍କ ତିନି ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଥିବାବେଳେ ଆସନ୍ତାକାଲି ସକାଳେ ସେମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ।
ହାଇକୋର୍ଟରେ ପକ୍ଷ ରଖିଲେ ସରକାର
କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ସଂକ୍ରାନ୍ତରେ ଆଜି ହାଇକୋର୍ଟରେ ସରକାର ତଥ୍ୟ ଦାଖଲ କରିଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାନସଙ୍କ ବାପା ପଞ୍ଚାନନ ସ୍ବାଇଁଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। କେତେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ମାମଲାରେ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରିବାକୁ ଆବେଦନକାରୀ ସମୟ ଲୋଡିଥିଲେ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନକାରୀ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ମେ ୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାରେ ମୂଳରୁ ଗୃହ ସଚିବ, ଭଦ୍ରକ ଏସପି ଓ ଚାନ୍ଦବାଲି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମାର୍ଚ୍ଚ ୨୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ଦ୍ବିବେଦୀ ମାମଲା ପରିଚାଳନା କରୁଥିବା ବେଳେ କୁଲଦୀପ ମହାନ୍ତି ସହାୟତା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/high-court-new-india-express.jpg)