ମାନସ ସ୍ବାଇଁ ହତ୍ୟାକାଣ୍ଡ: ‘ଦୃଶ୍ୟମ୍‌’ ସିନେମା ଦେଖି ପ୍ରମାଣ ନଷ୍ଟ ଉଦ୍ୟମ

ଜାରକାରୁ ମିଳିଲା ମାନସଙ୍କ ମୋବାଇଲ୍ ଫୋନ୍, ଜୟନ୍ତୀଙ୍କ ଡିଏନ୍‌ଏ ନମୁନା ସଂଗ୍ରହ, ୧୬ରେ ଭାଗ୍ୟଧର, ବିବେକକୁ ଜେରା

କଟକ: ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ୍‌’ ସିନେମା ଦେଖି କ୍ୟାମେରମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟାକାଣ୍ଡରେ ପୁଲିସକୁ ଅନ୍ଧାରରେ ରଖିବାକୁ ଶର୍ମିଷ୍ଠା ରାଉତ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲା। ଭୁବନେଶ୍ବରରେ ହତ୍ୟା, ନୟାଗଡ଼ରେ ଶବ ପୋତିବା ପରେ ମୋବାଇଲ୍ ଫୋନ୍‌କୁ ସୁଇଚ୍ ଅନ୍ କରି ଯାଜପୁର ଜିଲ୍ଲା ଜାରକା ଛକରେ ଏକ ଚା ଦୋକାନରେ ଛାଡ଼ି ଫେରାର ହୋଇଯାଇଥିଲା। କ୍ରାଇମବ୍ରାଞ୍ଚ ଏବେ ଧର୍ମଶାଳା ଥାନା ପୁଲିସ ନିକଟରୁ ଏହି ମୋବାଇଲ୍ ଫୋନ୍ ନିଜ ହେପାଜତକୁ ଆଣି ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଇଛି। ଟାଙ୍ଗୀ ଟୋଲ୍‌ଗେଟ୍‌ ଦେଇ ଶର୍ମିଷ୍ଠା ସମେତ ସହଯୋଗୀମାନେ କାର୍‌ରେ ଜାରକା ଯିବା ଆସିବା ସମୟର ଦୁଇଟି ସିସି କ୍ୟାମେରା ଫୁଟେଜ୍ କ୍ରାଇମବ୍ରାଞ୍ଚ ଜବତ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ୭ ତାରିଖ ଚାନ୍ଦବାଲିରୁ ଅପହରଣ କରି ହତ୍ୟା କଲାପରେ ଏକ କାର୍‌ରେ ୮ ତାରିଖ ଦିନ ପ୍ରାୟ ୨ଟା ୩୦ରେ ନୟାଗଡ଼ ରଣପୁର ନୂଆ କାଟେଣୀ ଜଙ୍ଗଲକୁ ନେଇ ସନ୍ଧ୍ୟା ୬ଟାରୁ ରାତି ୮ଟା ଭିତରେ ଶବ ପୋତିଥିଲେ। ରାତି ୮ଟାରେ ସେହି କାରରେ ଚଣ୍ଡିଖୋଲ ଯିବାବାଟରେ ଟାଙ୍ଗୀ ଟୋଲ୍ ଗେଟରେ ୯ ତାରିଖ ରାତି ୧୨ଟା ୮ରେ ଅତିକ୍ରମ କରିଛନ୍ତି। କ୍ରାଇମବ୍ରାଞ୍ଚ ଟୋଲ୍ ଗେଟ୍‌ରୁ ଏକ ଫୁଟେଜ୍‌ କ୍ରାଇମବ୍ରାଞ୍ଚ ଜବତ କରିଛି। ସେଦିନ ରାତିରେ ଚଣ୍ଡିଖୋଲ ଛକରୁ ଦୈତାରୀ ରାସ୍ତାରେ ଯାଇ ଅଖା, ଇଅର ଫୋନ, ଚପଲ, ଗଇଁତି, କୋଦାଳ ଫିଙ୍ଗିବା ପରେ ସେଠୁ ୯ କିମି ଦୂର ଜାରକା ଯାଇଥିଲେ। ଜାରକାରେ ଏକ ପାନ ଦୋକାନରେ ମାନସଙ୍କ ମୋବାଇଲ୍ ସୁଇଚ୍ ଅନ୍ କରି ରଖି ଦେବା ପରେ ଶର୍ମିଷ୍ଠା ଓ ତା’ର ସହଯୋଗୀ ସେଦିନ ରାତି ୨ଟାରେ ଟାଙ୍ଗୀ ଟୋଲ୍‌ଗେଟ୍‌ ଦେଇ ଭୁବନେଶ୍ବର ଫେରିବା ସମୟର ଆଉ ଏକ ଫୁଟେଜ୍ କ୍ରାଇମବ୍ରାଞ୍ଚ ଜବତ କରିଛି। ୯ ତାରିଖ ସକାଳେ ମାନସଙ୍କ ଜଣେ ସହଯୋଗୀ ଉକ୍ତ ନମ୍ବରକୁ ଫୋନ୍ କରିବାରୁ ଫୋନ୍ ପାଇଥିବା ଜଣେ ବ୍ୟକ୍ତି ଫୋନ୍ ଉଠାଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ଧର୍ମଶାଳା ଥାନାର ଫୋନ୍ ଜିମା ଦେଇଥିଲେ।

ଅନ୍ୟପଟେ ମାର୍ଚ୍ଚ ୨୯ ତାରିଖରେ ଶର୍ମିଷ୍ଠା ସମେତ ୪ ଜଣଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟ ରିମାଣ୍ଡ ଦେଇଥିଲେ। କିନ୍ତୁ ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କ ଗିରଫର ୧୪ ଦିନି ବିତିଯାଇଥିବାରୁ ରିମାଣ୍ଡ ମିଳି ନଥିଲା। ଆସନ୍ତା ୧୬ ତାରିଖରେ ସେମାନଙ୍କୁ ଭଦ୍ରକ ଉପକାରାଗାରରେ କ୍ରାଇମବ୍ରାଞ୍ଚକୁ ପଚରାଉଚରା ପାଇଁ ଅନୁମତି କୋର୍ଟ ଦେଇଛି। ଅପହରଣରେ ସାମିଲ ଥିବା ଶର୍ମିଷ୍ଠାଙ୍କ ସମେତ ୫ ଅଭିଯୁକ୍ତଙ୍କର ଭଦ୍ରକ ଉପକାରାଗାରରେ ଟିଆଇ ପରେଡ୍ କରାଯିବ। ଏଥିପାଇଁ କୋର୍ଟ ଖୁବ୍‌ଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ଯାଉଛନ୍ତି। ନୂଆ କାଟେଣୀ ଜଙ୍ଗଲରୁ ମିଳିଥିବା ମାନସଙ୍କ ଶବର ଡିଏନଏ ମେଳ କରିବା ପାଇଁ ମାନସଙ୍କ ମା’ ଜୟନ୍ତୀ ସ୍ବାଇଁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଡିଏନଏ ମେଳ କରି ଶବ ପ୍ରକୃତରେ ମାନସଙ୍କର ବୋଲି ସ୍ପଷ୍ଟ କରିବାକୁ ରସୁଲଗଡ଼ ଫରେନସିକ ସାଇନ୍ସ ଲାବରେଟୋରିକୁ ପଠାଯାଇଛି। ଏଥିସହିତ, କ୍ରାଇମବ୍ରାଞ୍ଚ ଏବେ ଦିଲ୍ଲୀରେ ରହୁଥିବା ଶର୍ମିଷ୍ଠାର ସ୍ବାମୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରିଛି। ତାଙ୍କୁ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି। ସ୍ବାମୀଙ୍କ ସହିତ ସମ୍ପର୍କ ରଖୁ ନଥିବା ଶର୍ମିଷ୍ଠା ଛାଡ଼ପତ୍ର ପାଇଁ ୫୦ ଲକ୍ଷ ଟଙ୍କା ମାଗିଥିଲା। କିନ୍ତୁ ତାଙ୍କ ସ୍ବାମୀ ଦେଇ ନଥିଲେ। ଶର୍ମିଷ୍ଠାର ସମ୍ପୂର୍ଣ୍ଣ ୱେବପୋର୍ଟାଲ ଆଢ଼ୁଆଳରେ ଅଶ୍ଳୀଳ ସିନେମା ସୁଟିଂ କେଳେଙ୍କାରୀ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତାଙ୍କ ସ୍ବାମୀଙ୍କୁ ପଚରାଉଚରା କରିବାକୁ ଯୋଜନା କରୁଛି। ଶର୍ମିଷ୍ଠାର ଏଭଳି କେଳେଙ୍କାରୀ ସମ୍ପର୍କରେ ସେ ହୁଏତ ଜାଣି ନଥିବା ଅନୁମାନ କରାଯାଉଛି। ତେଣୁ ତାଙ୍କୁ ପଚରାଉଚରା କରାଯିବ। ବର୍ତ୍ତମାନ ସୁଦ୍ଧା ମାନସ ହତ୍ୟା ମାମଲାରେ ମୋଟ ୪ ଜଣ ସାକ୍ଷୀଙ୍କର ସିଆରପିସିର ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର