ଭଦ୍ରକ/ଧାମରା/ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ନେଇ ଯାହା ଅନୁମାନ କରାଯାଉଥିଲା, ତାହା ଯେ ସତ ଏକଥା ଧୀରେ ଧୀରେ ସାମ୍ନାକୁ ଆସୁଛି। ଏହି ଘଟଣାରେ ସୋମବାର ଦିନ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ପୁଲିସ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କୁ ଗିରଫ କରି ଜେଲ୍ ପଠାଇଛି। ଅନ୍ୟତମ ଅଭିଯୁକ୍ତ ଭୁବନେଶ୍ୱର ଜାଗମରାସ୍ଥିତ ରାଜ୍ କମ୍ୟୁନିକେସନ୍‌ର ମାଲିକ ରାଜ୍ ଓରଫ୍ ରଞ୍ଜନ ନାୟକକୁ ମଧ୍ୟ ଗିରଫ କରାଯାଇଛି। ମାନସଙ୍କୁ ଅପହରଣଠାରୁ ହତ୍ୟା, ମୃତଦେହ ପୋତାଯିବା, ସବୁ କିଛି ନିରଞ୍ଜନଙ୍କ ନିର୍ଦ୍ଦେଶରେ ହିଁ ହୋଇଥିବା ପୁଲିସ କହିଛି। ଅର୍ଥାତ୍ ସେ ହିଁ ଏହି ଅପରାଧର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ଥିଲେ। ପୁଲିସ ଅତି ସ୍ପଷ୍ଟ ଭାବେ କହିଛି ଯେ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ନିରଞ୍ଜନ ମାନସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି କାରଣରୁ ମାନସଙ୍କର ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ଏକ ନିକାଞ୍ଚନ ସ୍ଥାନରେ ପୋତି ଦେବା ପାଇଁ ନିରଞ୍ଜନ ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲେ। ମେମୋରି ଚିପ୍ ପାଇଁ ହିଁ ମାନସଙ୍କୁ ହତ୍ୟା କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡିଛି। ହେଲେ ସେହି ଚିପ୍ ଏଯାଏ ପୁଲିସ ହାତରେ ଲାଗି ପାରିନାହିଁ।

Advertisment

ଚିପ୍‌ ମିଳିଗଲେ, ଆହୁରି ଅନେକ ବଡ଼ବଡ଼ିଆ, ଅଫିସର, ରାଜନେତା, ପ୍ରଭାବଶାଳୀଙ୍କ ଅସଲ ମୁଖା ଖୋଲିଯିବ ବୋଲି ସାଧାରଣ‌‌‌‌‌ରେ ଚର୍ଚ୍ଚା ହେଉଛି।

ନିରଞ୍ଜନଙ୍କ ନିର୍ଦ୍ଦେଶରେ ଅପହରଣ, ମୃତଦେହ ପୋତାଯାଇଥିଲା
ନିଜେ କରିଥିଲେ ହତ୍ୟା, ମେମୋରି ଚିପ୍‌ରେ ରହିଛି ରହସ୍ୟ
ଖୋଲୁଛି ପ୍ରଭାବଶାଳୀଙ୍କ ଗୁମର
ଅପରାଧ ଘଟାଇ ଅଜାଡ଼ି ଦେଇଥିଲେ ଅନୁକମ୍ପା, ଶେଷ ଦିନରେ ସ୍ବୀକୃତି
କାହା ଶରଣରେ ଶର୍ମିଷ୍ଠା, କୁଆଡ଼େ ଗଲେ ଝୁନା?

ହତ୍ୟା ଘଟଣାର ମୁଖ୍ୟ ଖଳନାୟିକା କୁହାଯାଉଥିବା ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନୁଲତା ଭୋଇଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୋମବାର ଦିନ ଚାନ୍ଦବାଲି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକର ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା କହିଛନ୍ତି।

publive-image

ପୁଲିସ ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ, ମାମଲାର ମୁଖ୍ୟ ଅଭିଯୁକ୍ତ ସାମ୍ବାଦିକା ତଥା ସମ୍ପୂର୍ଣ୍ଣା ପାକ୍ଷିକ ଖବରକାଗଜ ମାଲିକାଣୀ ଶର୍ମିଷ୍ଠା ରାଉତ ସହ ମିଶି ନିରଞ୍ଜନ ପୂରା ଅପରାଧର ଯୋଜନା ପ୍ରସ୍ତୁତ କରିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜେ ଟିକିନିଖି ତଦାରଖ କରୁଥିଲେ। ମାନସ ଜାନୁଆରି ଶେଷ ଭାଗରେ ଚାକିରି ଛାଡ଼ିବା ପରେ ତା’ଠାରୁ କଳେବଳେ କୌଶଳେ ମେମୋରି ଚିପ୍ ହାତେଇବା ପାଇଁ ଚାଲିଥିଲା ଯୋଜନା। ସେହି ମେମୋରି ଚିପ୍‌ରେ ଏମିତି କ’ଣ ଥିଲା, ଯାହାକୁ ହାସଲ କରିବା ପାଇଁ ବରିଷ୍ଠ ଅଧିକାରୀ ଏତେ ତତ୍ପର ହୋଇ ଉଠିଥିଲେ? ଏମିତି କେଉଁ ଅଶ୍ଳୀଳ ଭିଡିଓ ଥିଲା, ଯାହା ପ୍ରଘଟ ହୋଇଯାଇଥିଲେ ବିସ୍ଫୋରକ ରୂପ ନେଇଥା’ନ୍ତା? କାହିଁକି ଏହି ଚିପ୍‌କୁ ଏତେ ଡରୁଥିଲେ ନିରଞ୍ଜନ ଓ ଶର୍ମିଷ୍ଠା? ଯେଉଁଥିପାଇଁ ରାସ୍ତାରୁ ସବୁଦିନ ପାଇଁ ମାନସଙ୍କୁ ହଟାଇବାକୁ ଏତେ ବଡ଼ ଷଡଯନ୍ତ୍ର ତିଆରି କରିଥିଲେ? ଏସବୁ ପ୍ରଶ୍ନର ଉତ୍ତର ତଦନ୍ତକାରୀ ଅଧିକାରୀମାନେ ଦେଇପାରିନାହାନ୍ତି।

ତେବେ ପୁଲିସ କହିଛି ଯେ ଶର୍ମିଷ୍ଠାଙ୍କ ୱେବ୍‌ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବେ କାମ କରୁଥିବା ନୟାଗଡ଼ ଜିଲ୍ଲା ରଣପୁର ଥାନା ନୂଆପଲ୍ଲୀ ଗୋଡ଼ିପୋଖରୀ ଗ୍ରାମର ମାନସ ସ୍ବାଇଁ ଫେବ୍ରୁଆରି ୬ ତାରିଖ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁରେ ଏକ ବିବାହ ଉତ୍ସବରେ ଫଟୋଚିତ୍ର ଓ ଭିଡିଓ ଉତ୍ତୋଳନ କରିବାକୁ ଆସିଥିଲେ। ୭ ତାରିଖ ସକାଳେ ମାନସ ଭୁବନେଶ୍ବର ଫେରିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶର୍ମିଷ୍ଠା ଓ ତାଙ୍କର ସହଯୋଗୀ ଝୁନୁଲତା ଭୋଇ, ଖଣ୍ଡଗିରି ଥାନା ବରମୁଣ୍ଡା ଡାଏରି ଫାର୍ମ ବସ୍ତିର ଭାଗ୍ୟଧର ନାୟକ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଧାମଡ଼ା ଗାଁର ବିବେକ ନାୟକ, ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଥାନା ମଙ୍ଗଳାସାହିର କୃଷ୍ଣଚନ୍ଦ୍ର ନା‌ୟକ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣିବନ୍ଧ ଗ‌ାଁର ରଞ୍ଜନ ନାୟକ ଏକ ଗାଡ଼ିରେ ଆସି ମାନସଙ୍କୁ ପଳାଶପୁର ଛକରୁ ଉଠାଇ ନେଇଥିଲେ। ମାନସଙ୍କୁ ଏହି ୫ ଜଣ ଅପହରଣ କରି ଭୁବନେଶ୍ବର ନେବା ବେଳେ ବାଟରେ ମାରଧର କରିବା ସହ ସେହି ଚିପ୍‌ସ କୋଉଠି ରଖିଛୁ ବୋଲି ପଚାରିଥିଲେ ଶର୍ମିଷ୍ଠା। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ମାନସଙ୍କ ମୋବାଇଲ ଛଡ଼ାଇ ନେଇ ଫିଙ୍ଗି ଦିଆଯାଇଥିଲା। ୭ ତାରିଖରେ ତାଙ୍କୁ ଅପହରଣ କରାଯିବା ପରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା-ଜଟଣୀ ରାସ୍ତାର କଣ୍ଟିଲୋ ‘ଦୟାଲ’ ବୃଦ୍ଧାଶ୍ରମକୁ ଅଣା ଯାଇଥିଲା। ସେଠାରେ ହିଁ ରାତିରେ ତାଙ୍କୁ ନିରଞ୍ଜନ, ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତମାନେ ମିଳି ମିଶି ହତ୍ୟା କରିଥିଲେ। ୮ ତାରିଖ ସକାଳେ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧିପାଟଣା ନିକଟରେ ମୃତଦେହକୁ ପୋତି ଦେଇଥିଲେ। ଚଣ୍ଡିଖୋଲ ଛକରେ ପଡ଼ିଥିବା ମୋବାଇଲକୁ ସେଠାରେ ଜଣେ ଦୋକାନୀ ପାଇବା ପରେ ପୁଲିସକୁ ଦେଇଥିଲେ। ମୋବାଇଲ କଲ୍‌ ଡିଟେଲ୍‌ ଆଧାରରେ ତଦନ୍ତ ଆଗକୁ ବଢ଼ିବା ସହ ପୁଲିସ ହାତରେ ଲାଗିଥିଲା ଅନେକ ଗୁରୁତ୍ବପୂର୍ଣ୍ଣ ସୁରାକ। ସେହିଠାରୁ ତଦନ୍ତ ଆଗକୁ ବଢ଼ିଥିଲା।

publive-image

ଅନ୍ୟପକ୍ଷରେ ଏତେ ସବୁ ପରେ ବି କ୍ଷମତାର ଅପବ୍ୟବହାର କରି ଶର୍ମିଷ୍ଠାଙ୍କୁ ନିରଞ୍ଜନ ଅନୁକମ୍ପା ଦେଖାଇବାର ଏକାଧିକ ଘଟଣା ଏବେ ସାମ୍ନାକୁ ଆସିଛି। ଶର୍ମିଷ୍ଠାଙ୍କ ପାକ୍ଷିକ ଖବରକାଗଜ ‘ସମ୍ପୂର୍ଣ୍ଣା’କୁ ଫେବ୍ରୁଆରି ୨୮ତାରିଖରେ ନିରଞ୍ଜନଙ୍କ ଉଦ୍ୟମରେ ସରକାରୀ ସ୍ବୀକୃତି ପ୍ରଦାନ କରାଯାଇଥିଲା। ଫଳରେ ଏହି କାଗଜ ସରକାରୀ ବିଜ୍ଞାପନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗରେ ଚାକିରିର ଶେଷ ଦିନ ଓ ଅବସର ନେବାର ମାତ୍ର କେଇ ଘଣ୍ଟା ପୂର୍ବରୁ ନିରଞ୍ଜନ ‘ସମ୍ପୂର୍ଣ୍ଣା’କୁ ଏହି ସ୍ବୀକୃତି ଦେବା ଘଟଣାରୁ ଶର୍ମିଷ୍ଠାଙ୍କ ସହ ତାଙ୍କ ସମ୍ପର୍କ କେତେ ଘନିଷ୍ଠ, ତାହା ଜଳଜଳ ଦେଖାଯାଉଛି।

ଏସବୁ ବ୍ୟତୀତ ତଦନ୍ତ ବେଳେ ନିରଞ୍ଜନଙ୍କ ସମ୍ପୃକ୍ତି ନେଇ ପୁଲିସ ହାତରେ ଏକାଧିକ ପ୍ରମାଣ ଲାଗିଥିଲା। ଅପହରଣ, ହତ୍ୟା ଓ ମୃତଦେହ ପୋତାଯିବା ଘଟଣା ପୂର୍ବରୁ ନିରଞ୍ଜନଙ୍କ ସହ ଶର୍ମିଷ୍ଠା ଏକାଧିକଥର ଫୋନ୍‌ରେ କଥାବାର୍ତ୍ତା ହୋଇଥିବା ନେଇ କଲ୍ ଡିଟେଲ୍ସ ରେକର୍ଡ(ସିଡିଆର୍) ତଥ୍ୟ, ଦୟାଲ ଆଶ୍ରମକୁ ଯାଉଥିବାର ସିସିଟିଭି ଫୁଟେଜ୍, ଟାଵାର ଡମ୍ପିଂ, ଅଭିଯୁକ୍ତଙ୍କ ବୟାନରୁ ତଦନ୍ତକାରୀ ଟିମ୍ ପ୍ରମାଣ ପାଇଥିଲା। ଶେଷରେ ଘଟଣାର ପ୍ରାୟ ଦେଢ଼ମାସ ପରେ ନିରଞ୍ଜନଙ୍କୁ ଗତ ରାତିରେ ଇନଫୋସିଟି ପ୍ରଶାନ୍ତିବିହାରରୁ ଗିରଫ କରାଯାଇଛି। ସୋମବାର ଦିନ ନିରଞ୍ଜନଙ୍କୁ କୋର୍ଟ ଚାଲାଣ ବେଳେ ସେ ଗଣମାଧ୍ୟମକୁ କହିଥିଲେ ଯେ ମୁଁ ହତ୍ୟାକାରୀ ନୁହେଁ ବୋଲି ମନେ ରଖ।

ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ରାଜ୍ କମ୍ୟୁନିକେସନର ମାଲିକ ରାଜ୍ ଓରଫ୍ ରଞ୍ଜନ ସମ୍ପୂର୍ଣ୍ଣା ୱେବ୍‌ ଚ୍ୟାନେଲ ସହ ଶର୍ମିଷ୍ଠାଙ୍କର ସବୁ ବୈଷୟିକ କାମ କରେ। ମାନସଙ୍କ ପାଖରେ ଥିବା ମେମୋରି ଚିପ୍ ସଂକ୍ରାନ୍ତରେ ରାଜର ସହାୟତା ନିଆଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା-୩୦୨,୩୬୩,୧୨୦(ବି),୪୭୧,୪୬୫,୨୦୧,୩୬୪,୩୪ରେ ମାମଲା ରୁଜୁ ହୋଇଛି। ଏବେ ସୁଦ୍ଧା ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ଶର୍ମିଷ୍ଠା ଓ ମହିଳା ସହଯୋଗୀ ଝୁନାର ପତ୍ତା ମିଳୁନି। ପାଵାର କରିଡର୍‌ରେ ରହୁଥିବା ଶର୍ମିଷ୍ଠା ପ୍ରଭାବଶାଳୀଙ୍କ ଶରଣରେ ରହିଥିବା କୁହାଯାଉଛି। ପୁଲିସ ଚାପରେ ଅଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଶର୍ମିଷ୍ଠା ଓ ଝୁନାକୁ ଖୋଜା ଚାଲିଥିବା ଜଣେ ଅଧିକାରୀ କହିଛନ୍ତି।

publive-image

ଫେବ୍ରୁଆରି ୧୭ରେ କାହିଁକି ଶର୍ମିଷ୍ଠା ଓ ଝୁନୁଲତାଙ୍କୁ ଛାଡ଼ିଦେଲା ପୁଲିସ?
ମାନସଙ୍କର ପତ୍ତା ନ ମିଳିବାରୁ ତାଙ୍କ ବାପା ପଞ୍ଚାନନ ସ୍ବାଇଁ ଫେବ୍ରୁଆରି ୧୪ ତାରିଖରେ ଚାନ୍ଦବାଲି ଥାନାକୁ ଆସି ଏତଲା ଦେଇଥିଲେ। ହେଲେ ଏହାକୁ ଆଦୌ ଗୁରୁତ୍ବ ଦେଇନଥିଲା ପୁଲିସ। କେବଳ ଦୋଷଛଡ଼ା ନ୍ୟାୟରେ ଫେବ୍ରୁଆରି ୧୭ ତାରିଖରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନୁଲତାଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ଏହି ଘଟଣାର ମାସକ ପରେ ମାର୍ଚ୍ଚ ୧୨ ତାରିଖରେ ନୟାଗଡ ଜିଲ୍ଲା ରଣପୁର ଥାନା ବଧିପାଟଣା ନିକଟ ପାହାଡ଼ ପାଦଦେଶ ତଳୁ ମାନସଙ୍କ ଗଳିତ ମୃତଦେହ ଉଦ୍ଧାର କରାଯିବା ପରେ ନିଦ ଭାଙ୍ଗିଥିଲା ଚାନ୍ଦବାଲି ପୁଲିସର। ମାନସଙ୍କ ହତ୍ୟା ପଛରେ ତଥାକଥିତ ଅଶ୍ଲୀଳ ଭିଡିଓ କ୍ଲିପିଂ ଚିପ୍‌ସ, ଶର୍ମିଷ୍ଠାଙ୍କ ବୃଦ୍ଧାଶ୍ରମକୁ ବଡ଼ବଡ଼ିଆଙ୍କ ରୀତିମତ ଆତଯାତ ସଂପର୍କରେ ଅନେକ ତଥ୍ୟ ପଦାକୁ ଆସିବାପରେ ପୁଲିସ ପାଇଁ ଏହା ବନିଯାଇଥିଲା ଏକ ହାଇପ୍ରୋଫାଇଲ୍‌ ଘଟଣା। ଚାନ୍ଦବାଲି ଥାନା ଆଇଆଇସି କରୁଣାକର ରାଉତ ନୟାଗଡ଼ ଜିଲ୍ଲା ପୁଲିସ ଓ ଭୁବନେଶ୍ବର କମିଶନରେଟ୍‌ ପୁଲିସ ସହାୟତାରେ ମାର୍ଚ୍ଚ ୧୨ ତାରିଖରେ ମାନସଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହିତ ହତ୍ୟାକାଣ୍ତରେ ସ˚ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଆଜିକୁ ମିଶାଇ ଏହି ମାମଲାରେ ୫ ଜଣ ଗିରଫ ହୋଇ ସାରିଲେଣି। ଫେରାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନୁଲତାଙ୍କୁ ଧରିବା ଲାଗି ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ ହୋଇଥିବା ଏବଂ ଖୁବ୍‌ଶୀଘ୍ର ଦୁହେଁ ପୁଲିସ ଜାଲରେ ପଡ଼ିବେ ବୋଲି କହିଛନ୍ତି ଚାନ୍ଦବାଲି ଏସ୍‌ଡିପିଓ ଦେବୀ ଶଙ୍କର ପ୍ରତାପ। ଏ ନେଇ ଚାନ୍ଦବାଲି ଥାନା କେସ୍ ନଂ ୬୩/୨୨ରେ ଏକ ମାମଲା ରୁଜୁ ହୋଇଛି।

ଅଶ୍ଳୀଳ ଫିଲ୍ମ ବିକ୍ରି ଜନିତ ପାରିଶ୍ରମିକରୁ ହୋଇଥିଲା କି ବିବାଦ?
କୁହାଯାଉଛି ଯେ ଶର୍ମିଷ୍ଠାଙ୍କ ବୃଦ୍ଧାଶ୍ରମରେ ଅଶ୍ଲୀଳ ଫିଲ୍ମ ସୁଟିଂ କରାଯାଇ ତାର ଭିଡିଓ କ୍ଲିପିଂକୁ ବିଭିନ୍ନ ପର୍ଣ୍ଣ ସାଇଟ୍‌କୁ ଚଢ଼ାଦରରେ ବିକ୍ରି କରାଯାଉଥିଲା। ପାରିଶ୍ରମିକକୁ ନେଇ ବିବାଦ ଉପୁଜିବା ପରେ କ୍ୟାମେରାମ୍ୟାନ୍‌ ମାନସ ଶର୍ମିଷ୍ଠାଙ୍କ ୱେବ୍‌ ପୋର୍ଟାଲରୁ କାମ ଛାଡ଼ି ଦେଇଥିଲେ। ତେବେ ଏହି ଅଶ୍ଲୀଳ ଭିଡିଓର କିଛି କ୍ଲିପିଂ ମାନସଙ୍କ ପାଖରେ ରହି ଯାଇଥିବାରୁ ତାକୁ ନେବା ପାଇଁ ଶର୍ମିଷ୍ଠା କଳବଳେ ଉଦ୍ୟମ କରି ନିରାଶ ହୋଇଥିଲେ। ଯେଉଁଥିପାଇଁ ମାନସଙ୍କୁ ଅପହରଣ ପରେ ବୃଦ୍ଧାଶ୍ରମରେ ହତ୍ୟା କରାଯାଇଥିଲା। ଅଶ୍ଳୀଳ ଭିଡିଓରେ ଯୁବତୀ, ରାଜନେତା ଓ ବଡ଼ବଡ଼ିଆଙ୍କ ସଂପୃକ୍ତି ନେଇ ଚର୍ଚ୍ଚା ହେଉଛି। ତେବେ ଶର୍ମିଷ୍ଠା ଧରାପଡ଼ିବା ପରେ ମାନସ ହତ୍ୟାକାଣ୍ଡର ପୃଷ୍ଠଭୂମି କୁହାଯାଉଥିବା ସେହି ରହସ୍ୟମୟ ଚିପ୍‌ସର ରହସ୍ୟ ପଦାକୁ ଆସିବା ସହ ସମସ୍ତ ଚର୍ଚ୍ଚା, ଆଲୋଚନାର ଅନ୍ତ ଘଟିବ।