ମାନସ ସ୍ବାଇଁ ହତ୍ୟା ମାମଲା: କାଳିଆପାଣିରେ ୪ ଦିନ ଲୁଚିଥିଲେ ଶର୍ମିଷ୍ଠା, ସାଙ୍ଗରେ ସହଯୋଗୀ ଝୁନା ଭୋଇ ବି ଥିଲେ

ସ୍ବାମୀ ଜିତେଶଙ୍କୁ ମାନସିକ ନିର୍ଯାତନା ଦେଉଥିଲେ, ୨୦୧୮ ମସିହାରୁ ଜିତେଶ ଦିଲ୍ଲୀ ପଳାଇଛନ୍ତି

କାଳିଆପାଣି: ବହୁଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ତାଙ୍କ ସହଯୋଗୀ ଝୁନା ଭୋଇ ସହ ଯାଜପୁରର କାଳିଆପାଣିରେ ୪ଦିନ ଧରି ଲୁଚିଥିଲେ। ଗତ ୭ ତାରିଖ ରାତିରେ ଶର୍ମିଷ୍ଠା ଏକ କାର୍‌ ଯୋଗେ କାଳିଆପାଣି ଥାନା ଅନ୍ତର୍ଗତ କୋଇପଶି ବସ୍ତିରେ ରହୁଥିବା ତାଙ୍କ ଶାଶୂ ଶାନ୍ତିଲତା ବଳଙ୍କ ଘରେ ପହଞ୍ଚିଥିଲେ। ସେହି ଘରେ ତାଙ୍କ ଶାଶୂ ଓ ଯାଆ ମମତା ବଳ ଥିବାବେଳେ ସେ ୮ ଓ ୯ ତାରିଖ ଦୁଇଦିନ ଧରି ସେଠାରେ ଆତ୍ମଗୋପନ କରିଥିଲେ। ପରଦିନ ଅର୍ଥାତ୍‌ ୧୦ ତାରିଖ ସକାଳୁ ଶାଶୂଙ୍କୁ ସାଙ୍ଗରେ ଧରି ଭଦ୍ରକ ଆଗରପଡ଼ା ପୁରୁଷଣ୍ଢାସ୍ଥିତ ନଣନ୍ଦ ଘରେ ପହଞ୍ଚିଥିଲେ। ସେଠାରେ ବି ଆଉ ୨ ଦିନ ଲୁଚିଥିଲେ। ୧୩ ତାରିଖ ମଧ୍ୟାହ୍ନରେ ଏକ ଅଟୋ ଯୋଗେ ବାଲେଶ୍ବର ଯାଉଛନ୍ତି କହି ଆଗରପଡ଼ା ଛାଡ଼ିଥିଲେ।

ସୂଚନା ଅନୁସାରେ, ୭ ତାରିଖ ରାତିରେ ବୋହୂ ଶର୍ମିଷ୍ଠା ଓରଫ୍‌ ରୁବି ହଠାତ୍‌ କୋଇପଶିସ୍ଥିତ ଶାନ୍ତିଲତାଙ୍କ କବାଟ ବାଡ଼େଇଥିଲେ। ସ୍ବାମୀଙ୍କ ସହ ସଂପର୍କ ଛିନ୍ନ ହେବ‌ାର ୪ ବର୍ଷ ପ‌ରେ ଶାଶୂ ତାଙ୍କୁ ଗ୍ରହଣ କରିବେ କି ନାହିଁ ଚିନ୍ତାକରି ରୁବି ଏକୁଟିଆ ଘର ପର୍ଯ୍ୟନ୍ତ ଯାଇଥିଲେ। ବୋହୂକୁ ରାତ‌ିରେ ଏକୁଟିଆ ଦେଖି ଆସିବାର କାରଣ ପଚାରିଥିଲେ। ଖଣିଅଞ୍ଚଳରେ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ସୁଟିଂର କାର୍ଯ୍ୟକ୍ରମ ଅଛି ବୋଲି ଶର୍ମିଷ୍ଠା ଶାଶୂଙ୍କୁ ମିଛ କହିଥିଲେ। ଶାଶୂ ତାଙ୍କୁ ଆଶ୍ରୟ ଦେବାକୁ ଆଗ୍ରହ ପ୍ରକାଶ କରିବାପରେ ତାଙ୍କ ସାଥୀରେ ଆଉ ଜଣେ ସହଯୋଗୀ ଅଛନ୍ତି ବୋଲି ସେ କହିଥିଲେ। ପରେ ଶାଶୂ ଉକ୍ତ କାର୍ ପାଖକୁ ଯାଇ ଝୁନାଙ୍କୁ ଘର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। କାର୍ ଚାଳକ ଓ ଅନ୍ୟ ଜଣେ ସହଯୋଗୀ ସେଠାରୁ ସେହି ରାତିରେ ଫେରି ଯାଇଥିଲେ। ଶର୍ମିଷ୍ଠା ଓ ଝୁନା ସେହି ରାତି ଭୋକିଲା ଥିଲେ। ଯାଆ ସେମାନଙ୍କୁ ପଖାଳ ଭାତ ଓ ଆଲୁଭଜା ଖାଇବାକୁ ଦେଇଥିଲେ। କ୍ବାର୍ଟର୍ସରେ ଶୌଚାଳୟ ବ୍ୟବସ୍ଥା ନଥିବାରୁ ଶର୍ମିଷ୍ଠା ଓ ଝୁନା ଘର ପାଖ ଡମଶାଳ ନାଳରେ ସ୍ନାନଶୌଚ କରୁଥିଲେ । ସେହିଦିନ ଠାରୁ ଶର୍ମିଷ୍ଠା ଓ ଝୁନାଙ୍କର କୌଣସି ଖୋଜ୍ ଖବର ନାହିଁ ବୋଲି କହିଛନ୍ତି ଶାଶୂ ଶାନ୍ତିଲତା।

ଅନ୍ୟପକ୍ଷରେ, ଏହି ଖବର ପୁଲିସ୍‌ ନିକଟରେ ପହଞ୍ଚିଥିଲା। ୧୯ ତାରିଖ ହୋଲିଦିନ ତଦନ୍ତ ଦାୟିତ୍ବରେ ଥିବା ଥାନା ଅଧିକାରୀ କରୁଣାକର ରାଉତ ସଦଳବଳ କାଳିଆପାଣି ଥାନାରେ ପହଞ୍ଚିଥିଲେ। ଚାନ୍ଦବାଲିର ଥାନାର ଏହି ପୁଲିସ୍‌ ଟିମ୍‌ କୋଇପଶି ବସ୍ତିରେ ଛାନ୍‌ଭିନ୍‌ କରିଥିଲେ। ମାତ୍ର, ଶର୍ମିଷ୍ଠାଙ୍କୁ ନ ପାଇ ବୃଦ୍ଧା ଶାନ୍ତିଲତାଙ୍କୁ ଉଠାଇ ଆଣିଥିଲେ। କାଳିଆପାଣି ଥାନାରେ ଶାନ୍ତିଲତାଙ୍କୁ ତିନି ଘଣ୍ଟା ଧରି ଜେରା କରିବା ପରେ ସଂଧ୍ୟାରେ ଜଣେ ସଂପର୍କୀୟ ଯୁବକଙ୍କ ମାର୍ଫତରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଶାନ୍ତିଲତା ବଳ(୬୫) ଓଡ଼ିଶା ଖଣି ନିଗମ(ଓଏମ୍‌ସି) କାଳିଆପାଣି ଏବଂ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଚିକିତ୍ସାଳୟରେ ଆଟେଣ୍ଡାଣ୍ଟ୍‌(ଆୟା) ଭାବେ ଚାକିରି କରୁଥିଲେ। ତାଙ୍କ ସ୍ବାମୀ ସ୍ବର୍ଗତ ଚୈତନ୍ୟ ବଳ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରେ ଠିକା କର୍ମଚାରୀ ଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଶାନ୍ତିଲତା ସ୍ବେଚ୍ଛାକୃତ ଅବସର ନେଇ ବହୁ ଦୁଃଖକଷ୍ଟରେ ଚଳୁଛନ୍ତି। ବଡ଼ପୁଅ ମାନସ ୯ ବର୍ଷ ତଳେ କିଡ୍‌ନି ରୋଗରେ ପଡ଼ି ମୃତ୍ୟୁର ଶିକାର ହୋଇଥିଲେ। ବଡ଼ବୋହୂ ମମତା ଏବେ ଦିନ ମଜୁରିଆ। ତାଙ୍କ କାନ୍ଧରେ ଏବେ ବୃଦ୍ଧା ଶାଶୂ , ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୨ ଝିଅଙ୍କର ବୋଝ। ମମତା ନିଜ ରୋଜଗାରରେ କଷ୍ଟେମଷ୍ଟେ ୪ ଜଣିଆ ସଂସାର ଚଳାଇ ଆସୁଛନ୍ତି। ସମସ୍ତେ ଓଏମ୍‌ସିର ଏକ ପରିତ୍ୟକ୍ତ କ୍ବାର୍ଟର୍ସରେ ଆଶ୍ରୟ ନେଇଛନ୍ତି।

ଏକଦା ଏକ ଘରୋଇ କମ୍ପାନିରେ କାମ କରୁଥିବା ଶାନ୍ତିଲତାଙ୍କ ସାନପୁଅ ଜିତେଶ କୁମାର ବଳ(୩୮)ଙ୍କ ସହିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପାଖ ନରେନ୍ଦ୍ରପୁର ଗାଁର ଶର୍ମିଷ୍ଠାଙ୍କ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଶର୍ମିଷ୍ଠା ସେତେବେଳେ ଭୁବନେଶ୍ବର ଏକ ଖବରକାଗଜର ସାମ୍ବାଦିକ ଥିଲେ। ଉଭୟ ପରିବାର ସହମତିରେ ୨୦୧୩ ମସିହା ମାର୍ଚ୍ଚ ୧୩ ତାରିଖରେ ଜିତେଶ ଓ ଶର୍ମିଷ୍ଠା ବିବାହ କରିଥିଲେ। ଉଭୟଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଥିବା ଶାଶୂ ଶାନ୍ତିଲତା କହିଛନ୍ତି। ୨୦୧୭ ମସିହାରେ ଜନୈକ ବିଧାୟକ ଓ ଓଆଇଏସ୍‌ ଅଫିସର ନିରଞ୍ଜନ ସେଠୀଙ୍କ ସହ ଅନୈତିକ ସଂପର୍କ ଥିବା ଜାଣି ଜିତେଶ ଏହାକୁ ପ୍ରବଳ ବିରୋଧ କରିଥିଲେ। ପ୍ରସଙ୍ଗକୁ ନେଇ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା। ବଡ଼ବଡ଼ିଆଙ୍କ ସହାୟତାରେ ଶର୍ମିଷ୍ଠା ତାଙ୍କ ସ୍ବାମୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ସ୍ବାମୀଙ୍କ ସମ୍ମୁଖରେ ଭିଡିଓ କଲ୍‌ କରି ପ୍ରେମାଳାପ କରିବା ସହ ଜିତେଶଙ୍କୁ ତିରସ୍କାର କରୁଥିଲେ। ମାଆ ବାସନ୍ତୀ ରାଉତ, ୩ ଭାଇ ପରେଶ, ସୁରେଶ ଓ ପରମେଶ୍ବରଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରି ଜିତେଶଙ୍କୁ ତିରସ୍କାର କରୁଥିଲେ। ୨୦୧୮ ମସିହାରୁ ଜି‌ତେଶ ଦିଲ୍ଲୀ ପଳାଇଥିଲେ। ସେବେଠାରୁ ସେ ଶର୍ମିଷ୍ଠାଙ୍କ ସହ ସଂପର୍କ ଛିନ୍ନକରି ନୂଆଦିଲ୍ଲୀରେ ରହୁଛନ୍ତି।

ସମ୍ବନ୍ଧିତ ଖବର