ମାନସ ସ୍ୱାଇଁ ହତ୍ୟା ଘଟଣା: ହାର୍ଡ ଡିସ୍କ ଜବତ ପରେ ବଡ଼ବଡ଼ିଆ ଛାନିଆ

ହାର୍ଡ ଡିସ୍କ ବଦଳାଇବାକୁ ଚାପ ପଡୁଥିଲା
ପାଖ ଲୋକଙ୍କୁ ଜେରା ପାଇଁ ପୁଲିସର ପଛଘୁଞ୍ଚା
ମୁହଁ ଖୋଲିଲେ ମା’: ଦୋଷୀକୁ ଦଣ୍ଡ ମିଳୁ

ଭୁବନେଶ୍ବର : କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ପଛର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ସମାଜସେବିକା ତଥା ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କର ଏଯାଏ ପତ୍ତା ମିଳୁନଥିବା ବେଳେ ତାଙ୍କ ଆଶ୍ରମ ନିକଟ ଏକ ବିଲ୍ଡିଂରୁ ହାର୍ଡଡିସ୍କ ଜବତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଏବେ ବଡ଼ବଡ଼ିଆଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି। ଏହି ହାର୍ଡ ଡିସ୍କରେ କ’ଣ ରହିଛି? କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ନାହିଁ ତ? ଏହି ଡିସ୍କ ଗୁମର ଖୋଲିବ କି? ଏହାକୁ ନେଇ ସବୁଠି ଏବେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଅନେକ ଡରରେ ଛାନିଆ।

ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଭିଡ଼ିଓ ସୁଟିଂ କଥାଟି ସାମ୍ନାକୁ ଆସିଥିଲା। ଆଉ ଶର୍ମିଷ୍ଠାଙ୍କ ସହ ବଡ଼ବଡ଼ିଆଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ନେଇ ଚର୍ଚ୍ଚା ବି ଜୋର ଧରିଥିଲା। କିଛି ପୁଲିସ ଅଧିକାରୀ କହୁଛନ୍ତି ଯେ ଶର୍ମିଷ୍ଠା ନିଖୋଜ୍‌ ଥିଲେ ବି ଜବତ ଡିସ୍କ ପୁଲିସ ତଦନ୍ତରେ ଅନେକ ଖୋରାକ ଯୋଗାଇପାରେ। ଏଇଥିପାଇଁ ଯେ ପୁଲିସ ଏହାକୁ ଜବତ କରିବା ପୂର୍ବରୁ ଶର୍ମିଷ୍ଠା ପ୍ରମାଣ ନଷ୍ଟ ପାଇଁ ଭିତିରିଆ ଚକ୍ରାନ୍ତ ଚଳାଇଥିଲେ। ହତ୍ୟାକାଣ୍ଡ ଘଟିଥିବା ଦୟାଲ ଆଶ୍ରମ ସ୍ଥିତଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଫୋନ୍‌କରି ସିସିଟିଭି ଭିଜୁଆଲ ଡିଲିଟ୍‌
ପାଇଁ ଚାପ ପକାଉଥିଲେ। ଦରକାର ପଡ଼ିଲେ ହାର୍ଡ ଡିସ୍କ ବଦଳାଇ ନୂଆ ହାର୍ଡ ଡିସ୍କ ଲଗାଇବାକୁ କୁହାଯାଇଥିଲା। ଏଭଳି ସୁରାକ ପାଇଥିଲା ପୁଲିସ। ତେଣୁ ପ୍ରମାଣ ନଷ୍ଟପୂର୍ବରୁ ହାର୍ଡ ଡିସ୍କ ଜବତ ପାଇଁ ଚାନ୍ଦବାଲି ଥାନା ପୁଲିସ କମିସନରେଟ୍‌ ପୁଲିସ ସହାୟତାରେ ଆଶ୍ରମରେ ଚଢ଼ାଉକରି ହାର୍ଡ ଡିସ୍କ ଜବତ କରିଛି। ଏବେ ପ୍ରଶ୍ନ ଉଠୁଛି ଏହି ହାର୍ଡ ଡିସ୍କ ନୂଆ ନା ପୁରୁଣା? ପୁଲିସ ଜବତ ପୂର୍ବରୁ ବଦଳାଇଦିଆଯାଇନି ତ? ଏହି ବ୍ୟକ୍ତି ଜଣକ କିଏ ଯିଏ ଏଠାରେ ରହି ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି? ଯାହାଙ୍କୁ ହାର୍ଡ ଡିସ୍କ ବଦଳାଇବା ପାଇଁ ଚାପ ପକାଯାଉଥିଲା? ଶର୍ମିଷ୍ଠାଙ୍କ ସହ ନିବିଡ଼ତା ଥିବା ବ୍ୟକ୍ତିଙ୍କୁ ପୁଲିସ ଜେରା କରୁନି କାହିଁକି? ଯେଉଁ ବ୍ୟକ୍ତି ବା ଅଧିକାରୀ ଶର୍ମିଷ୍ଠା ସହ ନିୟମିତ କଥା ହେଉଥିଲେ ସେମାନଙ୍କୁ ଜେରା ପାଇଁ ପୁଲିସ କୁନ୍ଥାଉଛି କାହିଁକି?

ଅନ୍ୟପଟେ ଶର୍ମିଷ୍ଠାଙ୍କ ମା’ ବାସନ୍ତି ରାଉତ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଯଦି ଝିଅର ଦୋଷ ଅଛି ସେ ଦଣ୍ଡପାଉ। ମୁଁ ଘଟଣା ବିଷୟରେ କିଛି ଜାଣିନାହିଁ। ଖବରକାଗଜ, ଟିଭିରୁ ଯାହା ଜାଣିଛି। ଏମିତିରେ ଝିଅ ବର୍ଷକୁ ଥରେ କେନ୍ଦ୍ରାପଡ଼ା ଆଳିସ୍ଥିତ ନରେନ୍ଦ୍ରପୁର ଗାଁକୁ ଆସେ। କିନ୍ତୁ ତା’ ଭାଉଜର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପାଖାପାଖି ପ୍ରତି ୬ମାସରେ ଥରେ ଭୁବନେଶ୍ବର ଗଲେ ସେ ସମସ୍ତ ସହଯୋଗ କରେ ବୋଲି ମା’ କହିଛନ୍ତି।

ପ୍ରକାଶ ଥାଉକି, କ୍ୟାମେରାମ୍ୟାନ ମାନସ ସ୍ବାଇଁକୁ ଚାନ୍ଦବାଲିରୁ ଅପହରଣ ପରେ ସୁନ୍ଦରପଦା ସ୍ଥିତ ଦୟାଲ ଆଶ୍ରମରେ ହତ୍ୟା କରାଯାଇଥିଲା। ପରେ ନୟାଗଡରେ ପୋତି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଆଶ୍ରମ ବାହାରେ ସିସିଟିଭି ଲାଗିଥିବାରୁ ପ୍ରମାଣ ନଷ୍ଟ ପାଇଁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଚାପ ପକାଉଥିବା ଜଣାପଡିଛି। ଏହି ଘଟଣାରେ ମୋଟ ତିନିଜଣ ଗିରଫ ହୋଇ ଥିବାବେଳେ ଏଯାଏ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଫେରାର ଅଛି। ଏକ ମେମୋରି ଚିପ୍ ପାଇଁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଥିବାବେଳେ ଚିପ୍‌ରେ କଣ ରହିଛି ଯାହାକି ଶର୍ମିଷ୍ଠା ପାଇଁ ଏତେ ଗୁରୁତ୍ୱପୁର୍ଣ୍ଣ ଥିଲା ତା’ର ତଦନ୍ତ ଚଳାଇଛି ପୁଲିସ।

ସମ୍ବନ୍ଧିତ ଖବର