ମାନସ ସ୍ବାଇଁ ହତ୍ୟାକାଣ୍ଡ: ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ହୋଇଥିଲା, ଡାଏରିରେ ଶର୍ମିଷ୍ଠା ପାଇଁ ପ୍ରେମ କବିତା

କ୍ରାଇମବ୍ରାଞ୍ଚର ପଲିଗ୍ରାଫ୍ ଟେଷ୍ଟ ଯୋଜନା, ପୁଣି ତିନିଦିନ ରିମାଣ୍ଡରେ ଶର୍ମିଷ୍ଠା, ଝୁନା

କଟକ/ଧାମରା: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁଙ୍କୁ ଦୟାଲ ଆଶ୍ରମରେ ପିଟିପିଟି ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତମାନେ ଫେବ୍ରୁଆରି ୭ ତାରିଖ ରାତିରେ ଉଦ୍ୟମ କରିଥିଲେ। କିନ୍ତୁ ଯୋଜନା ସଫଳ ହୋଇ ନଥିବା କୁହାଯାଉଛି। ଆଜି ଉଭୟ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଆଣିବାପରେ ଏ ସଂକ୍ରାନ୍ତରେ ଅଧିକ ପଚରାଉଚରା କରିବ। ଉଭୟଙ୍କୁ ରସୁଲଗଡ଼ ଫରେନ୍ସିକ୍‌ ସାଇନ୍ସ ଲାବୋରେଟୋରିରେ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ‘ମେମୋରି କାର୍ଡ’ କୁହାଯାଉଥିବା ବ‌େଳେ କ୍ରାଇମବ୍ରାଞ୍ଚ ହାତରେ ଏହି କାର୍ଡ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। କାର୍ଡର ରହସ୍ୟ ଖୋଜିବାକୁ ପଲିଗ୍ରାଫ୍ ଟେଷ୍ଟ କରାଯିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି। ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ମଧ୍ୟାହ୍ନ ୨ଟା ୪୦ରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସମେତ ଝୁନା, ରଞ୍ଜନ ନାୟକ ଓ ନିରଞ୍ଜନ ସେଠୀଙ୍କୁ ଧରି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ପହଞ୍ଚିଥିଲା କ୍ରାଇମ୍‌ବ୍ରାଞ୍ଚ। କୋର୍ଟ ପରିସରସ୍ଥିତ ପୁଲିସ ରୁମ୍‌ରେ ଆବଶ୍ୟକ ଦସ୍ତାବିଜ୍ ପ୍ରସ୍ତୁତ ପରେ ଅଭିଯୁକ୍ତ ୪ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅପରାହ୍ନ ୩ଟା ୫୦ରେ କୋର୍ଟରେ ହାଜର କରାଯାଇଥିଲା। ଅଧିକ ତଦନ୍ତ ନିମନ୍ତେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ଆଉ ୩ ଦିନ ରିମାଣ୍ଡରେ ନେବାଲାଗି କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ କୋର୍ଟ ଏହାକୁ ଅନୁମୋଦନ କରିଥିଲେ। ଅନ୍ୟ ୨ ଅଭିଯୁକ୍ତ ରଞ୍ଜନ ନାୟକ ଓ ନିରଞ୍ଜନ ସେଠୀଙ୍କୁ ଭଦ୍ରକ ଉପ କାରାଗାରକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ହାଜର କରାଯିବା ସମୟରେ ଶର୍ମିଷ୍ଠାଙ୍କ ଓକିଲ ଧନଞ୍ଜୟ ଉଦ୍‌ଗାତା, ସରକାରୀ ଓକିଲ ମାନସ ରଞ୍ଜନ ନାୟକ ଓ ସନ୍ତୋଷ ମହାରଣା ଉପସ୍ଥିତ ଥିଲେ।

ଡାଏରିରେ ଶର୍ମିଷ୍ଠା ପାଇଁ ପ୍ରେମ କବିତା
କ୍ରାଇମବ୍ରାଞ୍ଚର ପଲିଗ୍ରାଫ୍ ଟେଷ୍ଟ ଯୋଜନା
ପୁଣି ତିନିଦିନ ରିମାଣ୍ଡରେ ଶର୍ମିଷ୍ଠା, ଝୁନା
ଜେଲ୍‌ ଫେରି‌ଲେ ନିରଞ୍ଜନ, ରଞ୍ଜନ
ଅପହରଣ ସମୟରେ ଜଣେ ସାମ୍ବାଦିକ ସାକ୍ଷୀ

ଶର୍ମିଷ୍ଠା ଓ ଝୁନାକୁ ୩ଦିନିଆ ରିମାଣ୍ଡ୍‌ ପ୍ରଦାନ ପରେ କ୍ରାଇମବ୍ରାଞ୍ଚ ପୁଣି କଟକ ଆଣିଛି। ଏହି ଦ୍ବିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆଣିବା ପରେ କ୍ରାଇମବ୍ରାଞ୍ଚ କେଉଁଦିଗ ପ୍ରତି ଗୁରୁତ୍ବ ଦେବ, ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଶୁଣିବାକୁ ମିଳୁଛି ଯେ ‘ମେରୋରି କାର୍ଡ’ ଉପରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦଳ ଅଧିକ ଗୁରୁତ୍ବ ଦେବେ। ଯେଉଁ ଅଶ୍ଳୀଳ ଭିଡିଓ ଥିବା ‘ମେମୋରି କାର୍ଡ’ ପାଇଁ ମାନସଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା, ତାହା ବର୍ତ୍ତମାନ ସୁଦ୍ଧା ଶର୍ମିଷ୍ଠା ନିକଟରେ ନଥିବା ସେ ବୟାନ ଦେଇସାରିଛି। ଯେଉଁଥିପାଇଁ କୋର୍ଟରେ ହତ୍ୟାକାଣ୍ଡର କାରଣ ଉପସ୍ଥାପନ କରିବାକୁ କ୍ରାଇମବ୍ରାଞ୍ଚ ପାଇଁ ସମସ୍ୟା ହୋଇପାରେ। ଏହାବାଦ୍‌ ସୁନ୍ଦରପଦା ଆପାର୍ଟମେଣ୍ଟରୁ ମିଳିଥିବା ଡାଏରି ସେଠାକୁ କେମିତି ଆସିଲା, ସେକଥା ନିରଞ୍ଜନ ଜାଣି ନଥିବା ବୟାନରେ କହିଛନ୍ତି। ତେବେ ଏହି ଡାଏରିରେ ଶର୍ମିଷ୍ଠା ପାଇଁ ନିରଞ୍ଜନ ପ୍ରେମ କବିତା ଲେଖିଥିବା କ୍ରାଇମବ୍ରାଞ୍ଚ ଦେଖିବାକୁ ପାଇଛି। ଅନ୍ୟପଟେ ଶର୍ମିଷ୍ଠା ଦୟାଲ ଆଶ୍ରମ ଖୋଲି ସମାଜସେବା କରୁଥିବା ବେଳେ ସମ୍ପୂର୍ଣ୍ଣା ଓ୍ବେବପୋର୍ଟାଲ ଖୋଲି ସାମ୍ବାଦିକତା କରୁଥିଲେ। ତା’ସହିତ ଯୋଡ଼ି ହୋଇଥିଲା ଅଶ୍ଳୀଳ ଓ ଭଜନ ଭି଼ଡିଓ ସୁଟିଂ। ଶର୍ମିଷ୍ଠା ଷ୍ଟୁଡିଓରେ କଣ୍ଠଶିଳ୍ପୀଙ୍କୁ ଡାକି ଗୀତ ବି ରେକର୍ଡ କରୁଥିବା ଫଟୋ ଏବେ ଭାଇରାଲ୍ ହୋଇଛି। ଏହି ଗୀତ ରେକର୍ଡ ସମୟରେ ମାନସ ଏହାର ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରୁଥିଲେ। ଅନେକ ଯୁବତୀ ଏହି କାରବାରରେ ବି ନିୟୋଜିତ ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷରେ; ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଶର୍ମିଷ୍ଠାଙ୍କ ଭାଉଜ, ଝୁନାଙ୍କ ସ୍ବାମୀ ଅରୁଣ ଭୋଇ, ଅଫିସ୍‌ର ଜଣେ କମ୍ପ୍ୟୁଟର୍‌ ଅପରେଟର୍ ହିଁ ପ୍ରତ୍ୟକ୍ଷ ସାକ୍ଷୀ। ଯେଉଁମାନଙ୍କ ବୟାନ ଗିରଫ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସାହାଯ୍ୟ କରିପାରନ୍ତି। କିନ୍ତୁ କମ୍ପ୍ୟୁଟର ଅପରେଟରଙ୍କୁ ବାଦ୍‌ ଦେଲେ ଅନ୍ୟ ଦୁଇଜଣ ହେଉଛନ୍ତି ଅଭିଯୁକ୍ତଙ୍କ ସମ୍ପର୍କୀୟ। ସେମାନଙ୍କୁ ଅଦାଲତରେ ସାକ୍ଷୀ ଭାବେ ହାଜର ସମୟରେ ବୟାନ ବଦଳାଇବାର ଯଥେଷ୍ଟ ଆଶଙ୍କା ରହିଛି। ଅନ୍ୟପଟେ ଫେବ୍ରୁଆରି ୬ ତାରିଖ ରାତିରେ ଶର୍ମିଷ୍ଠା ସମେତ ଅନ୍ୟ ଅଭିଯୁକ୍ତ ଯେତେବେଳେ ମାନସଙ୍କୁ ଅପହରଣ କରିବାକୁ ଚାନ୍ଦବାଲି ପଳାସପୁର ଛକକୁ ଯାଇଥିଲେ, ସ୍ଥାନୀୟ ଅଞ୍ଚଳର ଏକ ଖବରକାଗଜ ସାମ୍ବାଦିକ ଶରତ ପଣ୍ଡା ସେମାନଙ୍କୁ ମାନସଙ୍କ ଠିକଣା ଦେଇଥିଲେ। ଯଦିଓ ଶରତ ଏଭଳି ଅପହରଣ ଯୋଜନା ସମ୍ପର୍କରେ କିଛି ଜାଣନ୍ତି ନାହିଁ, କ୍ରାଇମବ୍ରାଞ୍ଚ ତାଙ୍କୁ ରାଜସାକ୍ଷୀ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ୬ ତାରିଖରେ ତିନିଦିନିଆ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ୭ ତାରିଖ ଦିନ ପ୍ରାୟ ୧୦ ଟା ସୁଦ୍ଧା କୋର୍ଟରେ ହାଜର ହେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦିଆଯାଇଛି। ଅନ୍ୟପଟେ ନିରଞ୍ଜନ ଓ ରଞ୍ଜନକୁ କ୍ରାଇମବ୍ରାଞ୍ଚ ପୁଣି ଭଦ୍ରକ ଉପ-କାରାଗାରରୁ ପଠାଇ ଦେଇଛି।

 

ସମ୍ବନ୍ଧିତ ଖବର