କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ମାନସଙ୍କ ବାପା ପଞ୍ଚାନନ ସ୍ବାଇଁ ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ମାନସଙ୍କ ଅପହରଣ ନେଇ ଚାନ୍ଦବାଲି ଥାନାରେ ଫେବ୍ରୁଆରି ୧୪ରେ ଏତଲା ଦେଇଥିବା ବେଳେ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ଆବେଦନରେ ଦର୍ଶାଯାଇଛି। ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ନାହିଁ। ଘଟଣାର ମାଷ୍ଟରମାଇଣ୍ଡର ଠାବ ଓ ଘଟଣା ପଛର ରହସ୍ୟ ଉନ୍ମୋଚନ କରିବାରେ ପୁଲିସ ବିଫଳ ହୋଇଛି।

Advertisment

ଏହି ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବାରୁ ଠିକ୍ ଭାବେ ତଦନ୍ତ କରାଯାଉ ନାହିଁ। ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ବା ଅନ୍ୟ କୌଣସି ସ୍ବାଧୀନ ଏଜେନ୍ସିକୁ ଦାୟିତ୍ବ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଗୃହ ସଚିବ, ଭଦ୍ରକ ଏସପି ଓ ଚାନ୍ଦବାଲି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୂର୍ୟ୍ୟକାନ୍ତ ଦ୍ବିବେଦୀ ମାମଲା ପରିଚାଳନା କରୁଛନ୍ତି।