ମାନସ ସ୍ବାଇଁ ହତ୍ୟା ମାମଲା: ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ଜେଲରେ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନକୁ ଭଦ୍ରକ ଜିଲ୍ଲା ଜଜ୍ ଖାରଜ କରି ଦେଇଛନ୍ତି।

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ଗିରଫ ହୋଇଥିଲେ। ପରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ ସମେତ ମୋଟ ୮ ଜଣଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତେ ଭଦ୍ରକ ଜେଲରେ ଥିବା ବେଳେ ସମସ୍ତଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜେରା କରିସାରିଛି। ପ୍ରଥମେ ଶ୍ରୀ ସେଠୀଙ୍କ ଜାମିନ ଆବେଦନକୁ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର  ବିଭାଗୀୟ ମାଜିଷ୍ଟ୍ରେଟ ଖାରଜ କରିବା ପରେ ସେ ଭଦ୍ରକ ଜିଲ୍ଲାଜଜଙ୍କ କୋର୍ଟରେ ଆବେଦନ କରିଥିଲେ। ନିରଞ୍ଜନ ସେଠୀଙ୍କ ଓକିଲ ରମଣିକାନ୍ତ ପଟ୍ଟନାୟକ ପ୍ରାଥମିକ ଭାବେ ଦିଆଯାଇଥିବା ଏତେଲାରେ ନିରଞ୍ଜନଙ୍କ  ନାମ ନ ଥିବାରୁ ତାଙ୍କୁ ଜାମିନରେ ଛାଡିବାକୁ ନିବେଦନ କରିଥିଲେ ବି ଏହି ଚାଞ୍ଚଲ୍ୟକର ମାମଲାଟିକୁ କ୍ରାଇମବ୍ରାଞ୍ଚ ଦ୍ବାରା  ତଦନ୍ତ ଚାଲୁ ରହିଥିବାରୁ ଜିଲ୍ଲାଜଜ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ଅନ୍ୟପକ୍ଷରେ ଅନ୍ୟ ଅଭିଯୁକ୍ତ ପରମେଶ୍ବର ରାଉତ, ଭାଗ୍ୟଧର ନାୟକ, ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକଙ୍କ ଜାମିନ ଆବେଦନ ଆଜି ଜିଲ୍ଲାଜଜଙ୍କ ଅଦାଲତରେ ଶୁଣାଣି ପାଇଁ ଥିଲେ ବି କ୍ରାଇମବ୍ରାଞ୍ଚ ଚାର୍ଜସିଟ ରିପୋର୍ଟ ନ ଦେବାରୁ ପରବର୍ତ୍ତୀ ଶୁଣାଣି ଅନ୍ୟ ଦିନକୁ ଘୁଞ୍ଚାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର