କୋରାପୁଟ : କରୋନା ଏଥର ପାର୍ବଣ ମାହୋଲକୁ ଦୋହଲାଇ ଦେଇଛି। ମଣ୍ଡପ ଓ ମନ୍ଦିର ଗୁଡ଼ିକରେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲାଗିଥିବାରୁ ଲୋକେ ପ୍ରତିବର୍ଷ ପରି ଏଥର ଦେବୀ ଦର୍ଶନ କରି ପାରି ନାହାନ୍ତି। ଦଶହରା ବୁଲାବୁଲି ବି ବନ୍ଦ। ଏପଟେ ଏହି ଦଶହରା ଛୁଟି କାଟିବା ପାଇଁ ଲୋକେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବାଝିଛନ୍ତି। ପରିବାର ସହ କିଛି ସମୟ ବିତାଇଛନ୍ତି। ତେଣୁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଆଜି ପ୍ରବଳ ଭିଡ଼ ହୋଇଛି। ବିଶେଷକରି ଦେଓମାଳୀ, ଡୁଡୁମା, ରାଣୀଡୁଡୁମା, କୋଲାବ, କେଚେଲା, ପୁଂଜିସିଲ ଆଦି ସ୍ଥାନରେ ଲୋକଙ୍କ ଗହଳି ହୋଇଛି।
ଉଚ୍ଚତମ ଶୃଙ୍ଗ ଦେଓମାଳିରେ ଆଜି ଦିନ ତମାମ ଗହଳି ଲାଗିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନର ପର୍ଯ୍ୟଟକଙ୍କ ସମେତ ଜିଲ୍ଲା ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥିଲେ। ପରିବାର ସହ ଲୋକମାନେ ବୁଲାବୁଲି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇଥିଲେ। ହଜାର ହଜାର ଲୋକ ପାହାଡ଼ ଉପରେ ଖୋଲା ପବନକୁ ଉପଭୋଗ କରିଥିଲେ। ଏପରିକି କିଛି ଲୋକ ପିକନିକ ବି କରିଥିଲେ। ଅପରପକ୍ଷରେ ରାଣୀ ଡୁଡୁମା ଜଳ ପ୍ରପାତ ନିକଟରେ ଆଜି ବହୁ ଲୋକଙ୍କ ଗହଳି ଲାଗିଥିଲା। ଭିଡ଼ ଏତେ ଥିଲା ଯେ, ଏଠାରେ ଆଜି ନୂଆ ବର୍ଷର ଭ୍ରମ ସୃଷ୍ଟି ହୋଇଥିଲା। ଲୋକମାନେ ନୂଆରେ ତିଆରି ହୋଇଥିବା ପିକନିକ ସ୍ପଟରେ ଭୋଜି କରିବା ସହ ଅପରୂପ ପ୍ରାକୃତିକ ପରିବେଶରେ ହଜି ଯିବାକୁ ପସନ୍ଦ କରିଥିଲେ। ସେହିପରି କୋଲାବ, କେଚେଲାକୁ ମଧ୍ୟ ଆଜି ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ଏପଟେ ଡୁଡୁମାରେ ମଧ୍ୟ ଗହଳି ଲାଗିଥିଲା। କରୋନା ପାଇଁ ଲୋକମାନେ ଦୀର୍ଘଦିନ ହେଲା ଘରୁ ବାହାରି ନ ଥିଲା ବେଳେ ଆଜି ପରିବାର ସହ ଛୁଟି କାଟିଛନ୍ତି। ଯେହେତୁ, ମନ୍ଦିର ଓ ମଣ୍ଡପ ବନ୍ଦ ରହିଛି ତେଣୁ ସେମାନେ ସହର ବାହାରକୁ ଯାଇ ପ୍ରକୃତିର ମଜା ନେଇଛନ୍ତି। ଲୋକଙ୍କ କହିବାନୁଯାୟୀ, ପରିବାର ସହ କିଛି ସମୟ ବାହାରେ କାଟିବା ଫଳରେ ବେଶ ଖୁସି ଲାଗୁଛି। ଦଶହରା ବୁଲାବୁଲି ନ ଥିବାରୁ ଏମିତି ଜାଗା ଆସି ବୁଲି ଯାଉଛୁ। ପୁଣି ପାଗ ଅନୁକୂଳ ଥିବାରୁ ବାହାରେ ବୁଲିବା ଭଲ ଲାଗୁଛି ବୋଲି ଲୋକମାନେ କହିଛନ୍ତି।
ଦଶହରା ସମୟରେ ସାଧାରଣତଃ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ଫାଙ୍କା ରହିଥାଏ। ଲୋକମାନେ ପାର୍ବଣମନସ୍କ ହେବା ଫଳରେ ସହର ବଜାରରେ ଗହଳି ଲାଗେ। ଏଥର କିନ୍ତୁ ଭିନ୍ନ ପରିବେଶ ଦେଖିବାକୁ ମିଳିଛି।