ରିଆମାଳ: ସ୍ବାମୀଙ୍କୁ ପାଣିରୁ ରକ୍ଷା କରିବାକୁ ବହୁତ ଚେଷ୍ଟା କରିଥିଲେ। ପିନ୍ଧା ଶାଢ଼ିକୁ ପୋଖରୀକୁ ପକାଇ ସଂଘର୍ଷ କରିଥିଲେ। ହେଲେ ତାଙ୍କ ସମ୍ମୁଖରେ ପୋଖରୀରେ ବୁଡ଼ି ଗଲେ ସ୍ବାମୀ। ଆଖି ସମ୍ନାରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ଗୁରୁବାର ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଇରିପାଲି ଫାଣ୍ଡି ଅନ୍ତର୍ଗତ ଖିଲେଇ ଗ୍ରାମରେ।

Advertisment

ସୂଚନା ଅନୁସାରେ ଗ୍ରାମର ଭୁବନେଶ୍ୱର ବେହେରାଙ୍କ ପୁଅ ବିଷ୍ଣୁ ବେହେରା (୩୦) ଗାଈ ଚରାଇ ପରିବାର ଚଳାଉଥିଲେ। ଗ୍ରାମର ସମସ୍ତଙ୍କ ଗାଈ ଓ ବଳଦ ନେଇ ଜଙ୍ଗଲରେ ଚରାଉଥିଲେ। ସବୁଦିନ ପରି ଆଜି ସକାଳୁ ଗୋରୁପୋଲ ଧରି ଜଙ୍ଗଲକୁ ଯାଇଥିଲେ। ଅପରାହ୍‌ଣରେ ଗୋରୁପୋଲ ଧରି ଘରକୁ ଫେରିଥିଲେ। ଏହି ସମୟରେ ବିଷ୍ଣୁଙ୍କ ସ୍ତ୍ରୀ ନିକଟସ୍ଥ ସିଆରିମାଳିଆ ପୋଖରୀକୁ ଭାତ ନେଇ ଯାଇଥିଲେ। ହାତ ଗୋଡ଼ ଧୋଇ ଭାତ ଖାଇବାକୁ କହି ସେ ପୋଖରୀକୁ ଯାଇଥିଲେ। ମାତ୍ର ଗୋଡ଼ ଖସି ଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲେ। ପହଁରା ଜାଣି ନ ଥିବାରୁ ବିଷ୍ଣୁ ପାଣିରେ ବୁଡ଼ି ଯାଇଥିଲେ।

ପୋଖରୀରେ ଉବୁଟୁବୁ ହେଉଥିବା ଦେଖି ସ୍ତ୍ରୀ ଉଦ୍ଧାର ପାଇଁ ଚିତ୍କାର କରିଥିଲେ। ପିନ୍ଧା ଶାଢ଼ି ଖୋଲି ଉଦ୍ଧାର କରିବାକୁ ସ୍ୱାମୀଙ୍କ ନିକଟକୁ ଫିଙ୍ଗିଥିଲେ। ମାତ୍ର ପବନ ଯୋଗୁଁ ଶାଢ଼ି ସ୍ୱାମୀ ପାଖରେ ପହଞ୍ଚି ନଥିଲା। କିଛି ଉପାୟ କରି ନ ପାଇ ସ୍ୱାମୀଙ୍କୁ ବଞ୍ଚାଅ ବୋଲି ଚିତ୍କାର କରିଥିଲେ। ମାତ୍ର ନିକଟରେ ଧାନ ବେଙ୍ଗଳା କରୁଥିବା ଟ୍ରାକ୍ଟର ଓ ମେସିନ୍‌ର ଶବ୍ଦ ଯୋଗୁଁ ତାଙ୍କ ଚିତ୍କାର କାହା ପାଖରେ ପହଞ୍ଚି ନଥିଲା। ଶେଷରେ ତାଙ୍କ ଆଗରେ ସ୍ବାମୀ ପାଣିରେ ବୁଡି ଯାଇଥିଲେ।

ସମ୍ମୁଖରେ ସ୍ୱାମୀଙ୍କୁ ଉଦ୍ଧାର କରି ନ ପାରି ଅଚେତ ପଡ଼ିଥିଲେ ସ୍ତ୍ରୀ। ପରେ କିଛି ଜନସାଧାରଣ ଏହି ରାସ୍ତା ଦେଇ ଆସିଥିଲେ। ତାଙ୍କୁ ଅଚେତ ଅବସ୍ଥାରେ ଦେଖି ଚିତ୍କାର କରିବାରୁ ପରିବାର ଓ ଗ୍ରାମବାସୀ ଆସିଥିଲେ। ସ୍ତ୍ରୀର ଚେତା ଆସିବା ପରେ ସେ ଘଟଣା ବିଷୟରେ କହିଥିଲେ। ବନ୍ଧରେ ଅଗଭୀର ଜଳ ଥିବାରୁ ଉଦ୍ଧାର କରିବାକୁ ଗ୍ରାମବାସୀ ଚେଷ୍ଟା କରି ମଧ୍ୟ ସଫଳ ହୋଇ ନ ଥିଲେ। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରିଥିଲା। ଖଇରିପାଲି ଫାଣ୍ଡି ଅଧିକାରୀ ଗୋପବନ୍ଧୁ ବେହେରା ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ବିଷ୍ଣୁଙ୍କ ଉପରେ ପୂରା ପରିବାରର ଭାର ରହିଥିଲା। ଏବେ ତାଙ୍କ ମୃତ୍ୟୁ ପର ପରିବାର ଓ ସ୍ତ୍ରୀ ଭାଙ୍ଗି ପଡିଛନ୍ତି। ।ସ୍ତ୍ରୀ ବାରମ୍ବାର ଚେତା ହରାଇ ବସୁଛନ୍ତି। ଜିଲ୍ଲା ପ୍ରଶାସନ ତାଙ୍କ ପରିବାରଙ୍କୁ ଆର୍ଥିକ ସହୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।