ରାଜ୍ୟରେ ଧାନମଣ୍ଡି ବନ୍ଦ: ଆଉ ଧାନ ବିକି ପାରିବେନି ଚାଷୀ

ଭୁବନେଶ୍ବର: ରାଜ୍ୟରେ ଧାନମଣ୍ଡି ବନ୍ଦ ହୋଇଗଲା। ଆଉ ଧାନ ବିକି ପାରିବେନି ଚାଷୀ। ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ୧୨ ହଜାର ଚାଷୀ ଧାନ ବିକି ପାରିନାହାନ୍ତି। କେବଳ ସେତିକି ନୁହେଁ, ୫ ହଜାର ଟୋକନର ମଧ୍ୟ ଅବଧି ଶେଷ ହୋଇଯାଇଛି। ତେବେ ବିଧାନସଭାରେ ମନ୍ତ୍ରୀ କହିଥିଲେ, ସବୁ ଚାଷୀଙ୍କଠାରୁ ଧାନ କିଣାଯିବ। ଏଥିପାଇଁ ମାର୍ଚ୍ଚ ୩୧ ଯାଏଁ ଅବଧି ବୃଦ୍ଧି କରାଯାଇଥିଲା।

ଗତକାଲି ଏହି ଅବଧି ଶେଷ ହୋଇଥିଲେ ମଧ୍ୟ ଟୋକନ ପାଇଥିବା ଚାଷୀଙ୍କଠାରୁ ଧାନ କିଣାଯାଇ ନଥିବା ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଚାଷୀଙ୍କଠାରୁ ଧାନ କିଣାଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଏହାର ତଦନ୍ତ ଦାବି କରିଛନ୍ତି ପ୍ରଦୀପ ପୁରୋହିତ। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ  କୁହାଯାଇଛି, ଏଥର ୧୮ ପ୍ରତିଶତ ଅଧିକ ଧାନ କିଣାଯାଇଛି। ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଚଳିତ ବର୍ଷ ସମୁଦାୟ ୬୨.୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ଯାଇଛି ଓ ଗତବର୍ଷ ଏହି ପରିମାଣ ଥିଲା ୫୩.୩୧ ଲକ୍ଷ ଟନ୍। ସେହିପରି ଚଳିତ ବର୍ଷ ୧୧.୯୨ ଲକ୍ଷ ଚାଷୀ ସେମାନଙ୍କର ଧାନ ସରକାରଙ୍କୁ ବିକିଛନ୍ତି, ଯାହା ଗତବର୍ଷର ଚାଷୀ ସଂଖ୍ୟାଠାରୁ ପ୍ରାୟ ୨ ଲକ୍ଷ ଅଧିକ। ଧାନକିଣା ବାବତକୁ ରାଜ୍ୟ ସରକାର ୧୧,୭୫୬ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର