ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ନଭେମ୍ବର ୨ରୁ ବିଧିବଦ୍ଧ ଭାବେ ଖରିଫ୍‌ ଧାନକିଣା ଆରମ୍ଭ ହୋଇଥିଲା। କିନ୍ତୁ ଧାର୍ଯ୍ୟ ତାରିଖର ସପ୍ତାହେ ପରେ ମଣ୍ଡିଗୁଡ଼ିକରେ ବାସ୍ତବ ଧାନକିଣା ଚାଲିଲା। ଜିଲ୍ଲାରେ ମୋଟ୍‌ ୧୭୬ଟି କ୍ରୟକେନ୍ଦ୍ରରେ ଧାନକିଣା ଚାଲିଥିଲା। ଏବେ ୧୦-୧୫ଟି ମଣ୍ଡି ଖୋଲାଅଛି। ବାକି ସବୁ‌ ଫାଙ୍କା ହୋଇ ସାରିଲାଣି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୩୪ ଲକ୍ଷ କ୍ବିଣ୍ଟାଲ୍‌ ଟାର୍ଗେଟ୍‌ ଆସିଥିଲା। ଯାହା ପରିବର୍ଦ୍ଧିତ ହୋଇ ୪୧ ଲକ୍ଷ କ୍ବିଣ୍ଟାଲ୍‌ରେ ପହଞ୍ଚିଥିଲା। ଏଥର ଜିଲ୍ଲାରେ ମୋଟ୍‌ ୯୪,୩୦୫ ଜଣ ଚାଷୀ ଧାନ ବିକିବାକୁ ପଞ୍ଜୀକରଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୯୦,୫୭୪ ଜଣ ଚାଷୀଙ୍କଠାରୁ ୪୦.୫୬ ଲକ୍ଷ କ୍ବିଣ୍ଟାଲ୍‌ ଧାନ କିଣା ସରିଛି। ଅର୍ଥାତ୍‌, ପାଖାପାଖି ୪ ହଜାର ଚାଷୀଙ୍କ ଧାନକିଣା ସରିଲେ ସବୁ ମଣ୍ଡିରେ ତାଲା ଝୁଲିବ। କାଗଜ କଲମରେ ଧାନକିଣା ପ୍ରକ୍ରିୟା ସୁରୁଖୁରୁରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି। କିନ୍ତୁ ବାସ୍ତବ କଥା ଭିନ୍ନ। ଅଧିକାଂଶ ଚାଷୀଙ୍କ ଧାନ ଛତିଶଗଡ଼ ଗଳିଯାଇଛି।

Advertisment

୪ ହଜାର ଚାଷୀଙ୍କ ଧାନକିଣା ବାକି
ଏଫ୍‌ଏକ୍ୟୁ ଆଳରେ ଆଖିବୁଜା କଟ୍‌ନିଛଟ୍‌ନି
ଛତିଶଗଡ଼କୁ ଗଳାବାଟରେ ଚାଲିଗଲା ଧାନଗାଡ଼ି

ଧାନ ଚୋରାଚାଲାଣ ରୋକିବାକୁ ପ୍ରଶାସନ ଏବଂ ଯୋଗାଣ ବିଭାଗ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରାଗଲା। କିନ୍ତୁ ଗୋଟିଏ ବି ଧାନଭର୍ତ୍ତି ଗାଡ଼ି ହାତରେ ଲାଗିଲା ନାହିଁ। ବଲାଙ୍ଗୀରରୁ କଳାହାଣ୍ଡି, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲା ଦେଇ ଛତିଶଗଡ଼କୁ ଧାନ ଚାଲାଣ ହେଲା। କିନ୍ତୁ କୌଣସି ସ୍ଥାନରୁ ଗୋଟିଏ ବି ଧାନଭର୍ତ୍ତି ଗାଡ଼ି ଜବତ ହେଲା ନାହିଁ। ଜିଲ୍ଲା ଭିତରେ ବି ମିଲର୍‌ମାନେ ଧାନ ଗଚ୍ଛିତ କରି ରଖିଦେଲେ। ସବୁ ଋତୁରେ ଜିଲ୍ଲାରେ ଏଭଳି ଧାନ କେଳେଙ୍କାରୀ ଚାଲିଛି। କିନ୍ତୁ ଏହି ବଡ଼ ଦୁର୍ନୀତି ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବରଂ ଦୁର୍ନୀତିକୁ ପ୍ରଶାସନ ଏବଂ ଯୋଗାଣ ବିଭାଗ ପ୍ରଶ୍ରୟ ଦେଉଥିବା ସ୍ପଷ୍ଟ ବାରି ହେଉଛି। ଏଫ୍‌ଏକ୍ୟୁ ମାନର ଧାନ ଯାଞ୍ଚ ପାଇଁ ମେସିନ୍‌ ଆସିଲା। କିନ୍ତୁ କୌଣସି ସ୍ଥାନରେ ମେସିନ୍‌ ବ୍ୟବହାର ହେଲା ନାହିଁ। କ୍ବିଣ୍ଟାଲ୍‌ ପିଛା ୫ରୁ ୭ କିଲୋ କଟ୍‌ନି କରି ହିଁ ଧାନ କିଣାଯାଇଛି। ଏହି ଅନୁପାତରେ ୮ରୁ ୯ କୋଟି ପର୍ଯ୍ୟନ୍ତ ଧାନକିଣାରେ ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ଜିଲ୍ଲାରେ ପ୍ରତିବର୍ଷ ଏଭଳି ଉପାୟରେ ଦୁର୍ନୀତି ଚାଲିଥିଲେ ହେଁ କେବେ ଏହାର ତଦନ୍ତ ହୋଇନାହିଁ।