ଶେରଗଡ଼ : ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ ନିସ୍ତାର ନାହିଁ। ପ୍ରକୃତିର କ୍ରୁରତା ପରେ ଏବେ ପ୍ରାଶାସନିକ ବିଧିବ୍ୟବସ୍ଥା ଭିତରେ ପେଷି ହେବା ଅବସ୍ଥା। ଏଣୁ ମଣ୍ଡି ଖୋଲିବାରେ ବିଳମ୍ବ କାରଣରୁ ଅମଳ ଧାନକୁ ପକାଇ ରଖିବା ବଦଳରେ ଯାହିତାହି ଉପାୟରେ ବିକି ଚିନ୍ତାମୁକ୍ତ ହେବାକୁ ଶ୍ରେୟ ମଣୁଛନ୍ତି। ଚଳିତ ବର୍ଷ ବହୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିଛନ୍ତି। ବର୍ଷ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଚାଷ କାର୍ଯ୍ୟକୁ ପ୍ରଭାବିତ କରିଥିଲା। ଅମଳ ପୂର୍ବରୁ ଲଗାଣ ବର୍ଷା, ଝଡ଼ିବାତ୍ୟା ଫସଲ ଉଜାଡ଼ିଦେଲା। ତଥାପି କଷ୍ଟେମଷ୍ଟେ ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ଭଲ ଧାନ ଅମଳ କରିଛି। ତେବେ ଆସନ୍ତା ଡିସେମ୍ବର ୧୬ ତାରିଖରେ ମଣ୍ଡି ଖୋଲିବା ନେଇ ପ୍ରଶାସନର ପ୍ରସ୍ତାବ ରହିଛି। କିନ୍ତୁ ଏଥିପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ହୋଇନାହିଁ। ଏହା ପୂର୍ବରୁ ସ୍ଥାନୀୟ ଓ ଆନ୍ଧ୍ର ଦଲାଲ୍ ସେମାନଙ୍କ କାୟା ବିସ୍ତାର କରି ସାରିଲେଣି। ଆଉ ଦିନ ଦିପହର ଓ ରାତାରାତି ପିକ୍ଅପ୍ ଭ୍ୟାନ୍ ଏବଂ ଟ୍ରକ୍ ଯୋଗେ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଧାନ ଚାଲାଣ ହେଉଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଶେରଗଡ଼ ବ୍ଲକ୍ରେ।
ଏଠାରେ ମଣ୍ଡିରୁ ଧାନକିଣା ଆଗରୁ ଚାଷୀ ଅମଳ ଧାନକୁ କମ୍ ମୂଲ୍ୟରେ ଦଲାଲ୍ ଓ ବେପାରୀ ହାତକୁ ଶାଗମାଛ ଦରରେ ଟେକିଦେଛନ୍ତି। ୨୨ଟି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରତିଦିନ ଟ୍ରକ୍ ଓ ପିକ୍ଅପ୍ ଭ୍ୟାନ୍ ଲାଗୁଥିବା ବେଳେ ଧାନ ବସ୍ତା ଲୋଡ଼୍ ହୋଇ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଆଉ ଏଭଳି ପରିସ୍ଥିତିରେ ବ୍ଲକ୍ କୃଷି ବିଭାଗ ଓ ଯୋଗାଣ ବିଭାଗ କେବଳ ନିରବଦ୍ରଷ୍ଟା ସାଜିଛି।
ସ୍ଥିତି ଏମିତି ହୋଇଛି ଯେ, ଚାଷୀ ବିଲରୁ ହିଁ ଧାନବସ୍ତାକୁ ଦଲାଲ୍ ହାତକୁ ଟେକି ଦେଉଛନ୍ତି। ଗତ ଦଶବର୍ଷ ହେଲା ଶେରଗଡ଼ ବ୍ଲକ୍ରେ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନ ଅମଳ ବାଧାପ୍ରାପ୍ତ ହେଉଥିଲା। ତେବେ ଚଳିତବର୍ଷ ଧାନ ଅମଳ ଭଲ ହୋଇଛି। କିନ୍ତୁ ଦଲାଲ ଓ ବେପାରୀମାନେ ଚାଷୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଧାନ କିଣିନେଉଛନ୍ତି। ଯଦ୍ବାରା ଧାନର ଅଭାବୀ ବିକ୍ରି ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବନି।
ଅନ୍ୟପକ୍ଷରେ ଗଞ୍ଜାମରେ ଆସନ୍ତାମାସ ୧୬ ତାରିଖରୁ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସାଟେଲାଇଟ୍ ସର୍ବେକ୍ଷଣ ମାଧ୍ୟମରେ ବହୁ ଜାଲ୍ ଜମି ବିଷୟରେ ତଥ୍ୟ ମିଳିବା ପରେ ପ୍ରଶାସନ ଖୋଳତାଡ଼ ଚଳାଇଛି। ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମଣ୍ଡି ଖୋଲିବ କି ନାହିଁ, ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି।
ସେହିପରି ଶେରଗଡ଼ ବ୍ଲକ୍ରୁ ଗତ ୧୦ ବର୍ଷ ହେଲା ଧାନର ଗୁଣବତ୍ତା କମ୍ ଥିବା ଦର୍ଶାଇ କ୍ବିଣ୍ଟାଲ୍ ପିଛା ୫ରୁ ୧୦ କେଜି ଅଧିକ ଧାନ ସଂଗ୍ରହ ହେଉଥିଲା। କିନ୍ତୁ ଚଳିତବର୍ଷ ଭଲ ଅମଳ ହୋଇଥିବାରୁ ଅଧିକ ୫ରୁ ୧୦ କେଜି ଧାନ ନନେବା ଲାଗି ଚାଷୀ ଦାବି କରିଛନ୍ତି।