ଧାନ ରଖିବା ପାଇଁ ମଣ୍ଡିରେ ସୁବିଧା ନାହିଁ, ତଦନ୍ତରେ ଧରାପଡ଼ିଛି ୧୧ ମଣ୍ଡିର କାରସାଦି

ଯାଜପୁର : ଧାନ ରଖିବା ପାଇଁ ମଣ୍ଡିରେ ସୁବିଧା ନାହିଁ। ଗୋଟିଏ ପଟେ ଚାଷୀ ବିଭିନ୍ନ କାରଣରୁ ଧାନ ବିକି ପାରୁନଥିବାବେଳେ ଅନ୍ୟପଟେ ଯେଉଁମାନେ ବିକ୍ରିପାଇଁ ଆସୁଛନ୍ତି ସେମାନେ ମଣ୍ଡିରେ ଜାଗା ପାଉନାହାନ୍ତି। ଯାଜପୁର ଜିଲ୍ଲାବେଳେ ଏହିଭଳି ଅଜବ ପରିସ୍ଥିତି ଦେଖିବାକୁ ମିଳୁଛି। କେବଳ ନାମକୁମାତ୍ର ମଣ୍ଡି ଖୋଲି ଚାଷୀଙ୍କଠାରୁ ଧାନ କିଣାଯାଉଥିବାର କାଗଜପତ୍ର ପ୍ରସ୍ତୁତ ହେଉଛି। ଅନେକ ମଣ୍ଡି କେବଳ ୧୦ଫୁଟ ଲମ୍ବ ଏବଂ ୧୦ଫୁଟ ଚଉଡ଼ାର ଗୋଟିଏ ବଖରାରେ ଚାଲିଛି। କେବଳ ଯାଜପୁର କାହିଁକି, ବିଭିନ୍ନ ଜିଲ୍ଲାରେ ବି ଏହିଭଳି ସମସ୍ୟା ଥିବ ବୋଲି ଅନୁମାନ କରାଯାଉଛି।

ଜିଲ୍ଲାର କୋରେଇ ବ୍ଲକ୍‌ ଅନ୍ତର୍ଗତ ତଳଗଡ଼ ପ୍ୟାକ୍ସକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ଏକବଖରିଆ କ୍ୟାବିନ୍‌ରେ ମଣ୍ଡି ଚାଲିଛି। ଏହି ମଣ୍ଡିରେ ଦଣ୍ଡି ଲାଗିନଥିବା ବେଳେ ଧାନ ବୋଝେଇ ଟ୍ରାକ୍ଟରଟିଏ ଯିବା ମଧ୍ୟ କଷ୍ଟକର। ତେଣୁ ମଣ୍ଡି ଦାୟିତ୍ବରେ ଥିବା କର୍ମଚାରୀ ଏଠାରେ କେବଳ କାଗଜପତ୍ର ପ୍ରସ୍ତୁତ କରନ୍ତି। ଧାନ ଓଜନ,ମାନ ପରୀକ୍ଷା ସବୁ ଏହି ମଣ୍ଡି ସହ ଅନୁବନ୍ଧିତ ମିଲ୍‌ରେ ହୁଏ। ଚାଷୀମାନେ ଗାଡ଼ିରେ ଧାନ ନେଇ ସିଧା ମିଲ୍‌ରେ ପହଞ୍ଚନ୍ତି। କଟ୍‌ନି ଛଟ୍‌ନି ମିଲ୍‌ରେ କରାଯିବା ‌ପରେ ବିକ୍ରି ଧାନର ପରିମାଣ ଚାଷୀଙ୍କୁ ଜଣାଇ ଦିଆଯାଏ। ଏଥିସହ ମିଲରଙ୍କ ଦଲାଲ ଜରିଆରେ ଯେଉଁ ଧାନ କିଣାଯାଇଥାଏ ସେ ସଂପର୍କରେ ମଧ୍ୟ କାଗଜପତ୍ର ପ୍ରସ୍ତୁତ କରିବାରେ କିଛି ଅସୁବିଧା ନଥାଏ।

୨୦୨୧-୨୨ ବର୍ଷରେ ଯାଜପୁର ଜିଲ୍ଲାରେ ୧୫୧ ମଣ୍ଡି ଖୋଲାଯାଇଥିଲା। ଧାନକିଣା ସଂପର୍କରେ ଯେଉଁ ହାତଗଣତି ମଣ୍ଡିରେ ତଦନ୍ତ ହୋଇଥିଲା ସବୁଠି କେଳେଙ୍କାରୀ ହୋଇଥିବା ପଦାକୁ ଆସିଥିଲା। ମଣ୍ଡିରେ ଧାନ ମହଜୁଦ୍‌ ନଥିଲେ ମଧ୍ୟ ଭେଣ୍ଡର ରସିଦ କଟାଯାଇଥିଲା। ଚାଷୀଙ୍କଠାରୁ କିଣାଯାଇଥିବା ୮୫ ପ୍ରତିଶତ ଧାନ ପ୍ୟାକ୍ସକୁ ନଆସି କେବଳ କାଗଜପତ୍ର ପ୍ରସ୍ତୁତ ହୋଇଥିଲା। ସମବାୟ ବିଭାଗ କିମ୍ବା ଯୋଗାଣ ବିଭାଗ ତରଫରୁ ପ୍ୟାକ୍ସଗୁଡ଼ିକର ଧାନକିଣା ନେଇ ଜମାରୁ ଅନୁଧ୍ୟାନ କରାଯାଉ ନଥିବା ତଦନ୍ତ ବେଳେ ସ୍ପଷ୍ଟ ହୋଇଛି। ଏହି ତଦନ୍ତ ବେଳେ ସମସ୍ତ ୧୧ଟି ମଣ୍ଡିରେ ବ୍ୟାପକ ଅନିୟମିତତା ହୋଇଥିବା ନଜରକୁ ଆସିଛି।

ସମ୍ବନ୍ଧିତ ଖବର