ଅସଜଡ଼ା ଭିତ୍ତିଭୂମି ଉପରେ ଧାନ କିଣାବିକା

ଚାଷୀଙ୍କୁ ମିଳୁନି ମଣ୍ଡିର ସୁବିଧା

ଜୟପୁର: ଚାଷୀ ଅମଳ ଧାନକୁ ସୁବିଧାରେ ବିକିବେ। ସର୍ବନିମ୍ନ ସହାୟକ ମୂଲ୍ୟରେ ବିକି ଟଙ୍କା ପାଇବେ। ଏନେଇ ମଣ୍ଡି ବ୍ୟବସ୍ଥା କରାଯାଇଛି। ଚାଷୀ ମଣ୍ଡିକୁ ଧାନ ଆଣିଲେ କ୍ରୟକାରୀ ସଂସ୍ଥା କିଣି ମିଲର୍ସଙ୍କୁ ଦେବେ। କିନ୍ତୁ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡରେ ଧାନ ମଣ୍ଡିଗୁଡିକ ଅସଜଡା ରହିଛି। ପାଣି, ଆଲୋକୀକରଣ କିମ୍ବା ଗୋଦାମ୍ ବ୍ୟବସ୍ଥା ନାହିଁ। ଧାନ ବିକ୍ରି ପାଇଁ ଆସିଥିବା ଚାଷୀ ବସିବା ପାଇଁ ବ୍ୟବସ୍ଥା ନଥିବା ‌ବେଳେ ଅଧିକାଂଶ ମଣ୍ଡିରେ ନିଜସ୍ବ ଜାଗା ନାହିଁ। ଏଭଳି ଅବ୍ୟବସ୍ଥା ଲାଗି ରହିଥିଲେ ବି ଆସନ୍ତା ମାସ ୧୫ରୁ ଧାନ କିଣାଯିବାକୁ ସ୍ଥିର କରାଯାଇଛି। ଫଳରେ ଚଳିବର୍ଷ ବି ସୁବିଧା ପାଇବାରୁ ଚାଷୀ ବଞ୍ଚିତ ହେବା ନିଶ୍ଚିତ ହୋଇଯାଇଛି। ପ୍ରଶାସନ ବି ଏଥିପ୍ରତି ଦୃଷ୍ଟିନଦେବା ପରିତାପର ବିଷୟ ବୋଲି କୁହାଯାଉଛି।

ସରକାରଙ୍କ ପକ୍ଷରୁ ବଜାର ପ୍ରାଙ୍ଗଣ ଓ ଧାନ କ୍ରୟ ବିକ୍ରୟ କେନ୍ଦ୍ରରେ ଚାଷୀଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ନିୟମ ରହିଛି। କିନ୍ତୁ କେଉଁଠି ନିୟମ ପାଳନ କରାଯାଇପାରୁ ନାର୍ହି। ମଣ୍ଡି ଖୋଲିବା ପାଇଁ ନିଜସ୍ବ ଜମି ନଥିବା ବେଳେ ଭିତ୍ତିଭୂମିର ବିକାଶ ହୋଇପାରୁ ନାହିଁ। କେଉଁଠି ଖେଳପଡିଆ, କେଉଁଠି ମନ୍ଦିର ନିକଟ, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ, ଅଙ୍ଗନବାଡି କେନ୍ଦ୍ର ସମ୍ମୁଖ, ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ଚାଷୀ ଧାନ ବିକୁଛନ୍ତି। ଅଧିକାଂଶ ମଣ୍ଡିରେ ଗୋଦାମ୍ ନାହିଁ । ଧାନ ବିକ୍ରି କରିନପାରିଲେ ଖୋଲା ଆକାଶ ତଳେ ହିଁ ପଡି ରହୁଛି। ବର୍ଷା ହେଲେ ସେହି ଧାନ ଓଦା ହେଉଛି ଓ ତାହାର ଗୁଣବତ୍ତା ମାନ ମଧ୍ୟ କମିଯାଉଛି। ଧାନକୁ ଘୋଡାଇ ରଖିବା ପାଇଁ ଜରିପାଲ ମଧ୍ୟ ପ୍ରଦାନ କରାଯାଉନାହିଁ।

ଧାନକୁ ଛାଡି ଚାଷୀ ଘରକୁ ଫେରି ପାରୁନଥିବା ବେଳେ ଶୀତକାକରରେ ଚାଷୀଙ୍କୁ ଧାନ ଜଗିବାକୁ ପଡୁଛି। ଚାଷୀ ବିଶ୍ରାମ ଗୃହ କିମ୍ବା ଚୌକିର ସୁବିଧା ନାହିଁ। ପାନୀୟ ଜଳ କିମ୍ବା ଶୌଚାଳୟ ବ୍ୟବସ୍ଥା ନାହିଁ। ସମସ୍ତ ମଣ୍ଡିକୁ ଯିବା ପାଇଁ ଉତ୍ତମ ରାସ୍ତା ନାହିଁ। ମଣ୍ଡି ଭିତ୍ତିଭୂମିର ବିକାଶ ପାଇଁ ନିୟନ୍ତ୍ରିତ ବଜାର କମିଟିକୁ ଟିକସ ବାବଦରେ ଶତକଡା ୨ ପ୍ରତିଶତ ମିଳୁଛି, କିନ୍ତୁ ସେହି ଟିକସ ଟଙ୍କା କେଉଁଠି ବିନିଯୋଗ ହେଉଛି ତାହା ଜଣାପଡୁନାହିଁ। ‌ଆମେ ଜୟପୁର ବ୍ଲକ ଉମୁରୀ ଲ୍ୟାମ୍ପସର ଟାଙ୍କୁଆ ମଣ୍ଡିକୁ ଯାଇ ଦେଖିଥିଲୁ ଯେ ସେଠାରେ କେବଳ ଗୋଟିଏ କଂକ୍ରିଟ ଖଳା ଛଡ଼ା ଆଉ କିଛି ସୁବିଧା ନାହିଁ। ସେହିଭଳି ଫାମ୍ପୁଣୀ ଠାରେ ପଞ୍ଚାୟତ ବଜାର ପିଣ୍ଡିରେ ଧାନ ମଣ୍ଡି ଚାଲୁଛି। ଏହି ୨ଟି ନୁହେଁ ଜୟପୁର ଉପଖଣ୍ଡରେ ସମସ୍ତ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି।

କୃଷକ କଲ୍ୟାଣ ମଞ୍ଚ କୋରାପୁଟ ଜିଲ୍ଲା ସମ୍ପାଦକ ନରେନ୍ଦ୍ର ପ୍ରଧାନଙ୍କ କହିବାନୁଯାୟୀ, ଚାଷୀମାନେ ସବୁବେଳେ ଅବହେଳିତ ହୋଇ ରହିଛନ୍ତି। କୌଣସି ଧାନ ମଣ୍ଡିରେ ଭିତ୍ତିଭୂମିର ବିକାଶ ହୋଇପାରୁ ନାହିଁ। କୌଣସି ମଣ୍ଡିରେ ମଧ୍ୟ ଚାଷୀଙ୍କୁ ଆବଶ୍ୟକୀୟ ସୁବିଧା ମିଳିନୁ। ପାଣ୍ଠିରେ ଟଙ୍କା ରହିଛି କିନ୍ତୁ ତାହାକୁ ବିନିଯୋଗ କରିବାକୁ କାହାର ଆନ୍ତରିକତା ନାହିଁ। ମାପ କରିବା ମେସିନ୍‌ ଠାରୁ ଆରମ୍ଭ କରି ଡ୍ରାଏ ମେସିନ୍, କ୍ଲିନିଂ ମେସିନ୍ ଓ ମାନ ନିର୍ଦ୍ଧାରଣ ଯନ୍ତ୍ର ସବୁଠି ଉପଲବ୍ଧ ନାହିଁ। ବ‌ର୍ଷେ କି ଦୁଇ ବର୍ଷ ନାହିଁ ୨୫ ବର୍ଷ ଧରି ଦାବି କରିଆସୁଥିଲେ ମଧ୍ୟ ଚାଷୀର ଧାନ ବିକ୍ରି ପାଇଁ ସୁବନ୍ଦୋବସ୍ତ ହୋଇପାରୁ ନାହିଁ। ମଣ୍ଡି ହ୍ୟାଣ୍ଡଲିଂ ପାଇଁ କ୍ରୟକାରୀ ସଂସ୍ଥାକୁ ଟଙ୍କା ମିଳୁଛି ସତ କିନ୍ତୁ ଚାଷୀକୁ ଅଖାର ଟଙ୍କା ପ୍ରଦାନ କରାଯାଉନାହିଁ। ସରକାର କୃଷିକୁ ଶିଳ୍ପର ମାନ୍ୟତା ଦେଇଛନ୍ତି କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବ‌େ କାର୍ଯ୍ୟକାରୀ ମଧ୍ୟ ହୋଇପାରୁ ନାହିଁ। ଚାଷୀ ସୁବିଧାରେ ଧାନ ବିକ୍ରି କରିପାରୁନଥିବା ବ‌େଳେ ମଣ୍ଡିର ଅବ୍ୟବସ୍ଥା ପାଇଁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର