କଳାହାଣ୍ଡି : ଗୁଣୁପୁର ଅଞ୍ଚଳର ଚାଷୀ ନାମ ପଞ୍ଜିକରଣ କରି ନପାରି ଟୋକନ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି । ଟୋକନ୍ ନଥିବାରୁ ଧାନ ବିକ୍ରି ହୋଇ ନପାରି ଖଳାରେ ପଡି ରହିଥିବା ବେଳେ ଦଲାଲ୍ ଏହାର ଫାଇଦା ଉଠାଉଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ମଧ୍ୟ ଚାଷୀଙ୍କ ସମସ୍ୟା କହିଲେ ନସରେ ।
ରାୟଗଡାର କୃଷି ଜିଲ୍ଲା ଗୁଣପୁରରେ ଚାଷୀଙ୍କୁ ଟୋକେନ ଚିନ୍ତା ଘାରିଛି । ଅଧିକାଂଶ ଚାଷୀ ନାମ ପଞ୍ଜିକରଣ କରି ନ ପାରି ଟୋକନ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି । ଟୋକନ ନଥିବାରୁ ଚାଷୀର ଧାନ ଖଳାରେ ପଡିରହିଛି, ଆଉ ଦଲାଲ ମାଲାମାଲ ହେଉଛନ୍ତି। ସରକାରୀ ମଣ୍ଡିରେ ଧାନ ବିକ୍ରିର ଆଶା ମଉଳି ଯିବା ପରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟଠାରୁ କମ ଦରରେ ମିଲର୍ସ ଓ ଦଲାଲଙ୍କୁ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛନ୍ତି।
ଗୁଣୁପୁର, ପଦ୍ମପୁର, ଗୁଡ଼ାରି ଓ ରାମାନାଗୁଡ଼ା ବ୍ଲକକୁ ନେଇ ଗଠିତ କୃଷି ଜିଲ୍ଲା । ଚଳିତ ବର୍ଷ ଜିଲ୍ଲାର ୨୧,୬୫୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଗୁଣୁପୁରରେ ୫୨୦୦ ହେକ୍ଟର, ପଦ୍ମପୁରରେ ୭୫୧୦, ଗୁଡାରିରେ ୪୬୯୦ ଓ ରାମନାଗୁଡା ବ୍ଲକର ୪୨୫୦ ହେକ୍ଟର ଜମିରେ ଚାଷୀ ଧାନ ଚାଷ କରିଛନ୍ତି । ଧାନ ଅମଳ ହୋଇସାରିଥିବା ବେଳେ ଟୋକନ ନଥିବାରୁ ବିକ୍ରି ପାଇଁ ଚାଷୀ ହଇରାଣ ହେଉଛନ୍ତି । ସେପଟେ ଏ ନେଇ ସରକାରଙ୍କୁ ଅବଗତ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।
କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଧାନମଣ୍ଡିକୁ ନେଇ ଚାଷୀଙ୍କ ସମସ୍ୟା ବଢିଯାଇଛି । ପ୍ରଥମେ ନିର୍ଧାରିତ ସମୟ ଠାରୁ ବିଳମ୍ବରେ ମଣ୍ଡି ଖୋଲିଥିଲା । ଆଉ ଏବେ ମଜୁରି ବଢାଇବା ଦାବିରେ ଶ୍ରମିକଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ମଣ୍ଡିଗୁଡିକରେ ଅଚଳାବସ୍ଥା। ଟାର୍ଗେଟ ଆଳରେ ମଣ୍ଡିଗୁଡିକୁ ମିଲର୍ସ ନିୟମିତ ଆସୁ ନ ଥିବାରୁ ହଜାର ହଜାର ବସ୍ତା ଖୋଲା ଆକାଶ ତଳେ ପଡ଼ି ରହିଛି। ବର୍ଷକର ପରିଶ୍ରମ ଶୀତ କାକରରେ ପଡିଥିବା ବେଳେ ଏହାକୁ ଚାଷୀ ଜଗି ରହିଛନ୍ତି ।
ସୂଚନା ଅନୁସାରେ, ବଡପୁଝାରିଗୁଡା ମଣ୍ଡିରେ ଧାନ ବିକ୍ରି ପାଇଁ ଉଛୁଲା, ଅଲାଭଟ୍ଟା, ବଡପୁଝାରିଗୁଡା ପଞ୍ଚାୟତର ୧୩୪୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ସେମାନଙ୍କଠାରୁ ୬୩,୨୭୯ କୁଇଣ୍ଟାଲ ଧାନ କିଣିବା ପାଇଁ ପ୍ରଶାସନ ଟାଗେର୍ଟ ରଖିଛି । ଏବେ ସୁଦ୍ଧା ୪୦ ହଜାର ୭୬୮ କୁଇଣ୍ଟାଲ ଧାନ କିଣା ହୋଇଛି । ମଣ୍ଡି କର୍ତ୍ତୃପକ୍ଷ ଟାର୍ଗେଟ ନଥିବା କହି ମିଲର୍ସ ନିୟମିତ ଆସୁ ନଥିବା କଥାକୁ ସ୍ୱୀକାର କରିଛନ୍ତି।