ଖୋର୍ଦ୍ଧା: ବେଗୁନିଆ ବ୍ଲକ୍‌ ବଡ଼ବେରେଣା ପଞ୍ଚାୟତର ଚାଷୀ ବିପିନ୍‌ ବିହାରୀ ପଣ୍ଡା। ଧାନ ବିକ୍ରି କରିବାକୁ ନିଜକୁ କରିଥିଲେ ପଞ୍ଜୀକରଣ। ତଦନୁସାରେ, ଗଲା ମାସ ୨୭ତାରିଖରେ ତାଙ୍କ ନିକଟକୁ ଟୋକନ ପଠାଇଲେ ସରକାର। ଜାନୁଆର ୩ତାରିଖରୁ ଦିନ ୧୧ଟାରୁ ଅପରାହ୍‌ଣ ୧ଟାରେ ମଣ୍ଡିରେ ବିକ୍ରି କରିବାକୁ କରିଥିଲେ ମେସେଜ୍‌ କଲେ। କିନ୍ତୁ, ସମବାୟ ସମିତିକୁ ଯାଇ ଦେଖିଲା ବେଳକୁ ମିଲର୍ସ ନାହିଁ କି, ମଣ୍ଡି ନାହିଁ। ବଡ଼ବେରେଣା ସମବାୟ ସମିତିରେ ତାଲା ଝୁଲୁଛି। ଇଏ କେବଳ ବିପିନ୍‌ଙ୍କର ସମସ୍ୟା ନୁହେଁ, ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ଚାଷୀକୁଳ ଏମିତି ସମସ୍ୟାଙ୍କୁ ଅଙ୍ଗେ ନିଭାଇଲେଣି। ଗଲାବର୍ଷ ଡିସେମ୍ବର ୨୯ତାରିଖରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଣ୍ଡିର ଉଦ୍‌ଘାଟନ ପର୍ବ କରି ଦାୟିତ୍ବ ସାରି ଦେଇଥିବା ବେଳେ ଜିଲ୍ଲାର ୧୩୮ଗୋଟି ମଣ୍ଡି ଏଯାବତ୍‌ ଖାତା ଖୋଲି ନାହାନ୍ତି।

Advertisment

ଆରମ୍ଭରୁ ଧାନକିଣାରେ ଏ ପ୍ରକାର ବିଭ୍ରାଟର କାରଣ ହେଉଛି, ମିଲର୍ସ। ଜିଲ୍ଲାର ମୋଟ୍ ୧୩୯ଟି ମଣ୍ଡିରୁ ଧାନ ଉଠାଇବା ପାଇଁ ଏଥର ମୋଟ୍ ୧୩ଗୋଟି ମିଲର୍ସ ଅଂଶଗ୍ର୍ରହଣ କରିଛନ୍ତି। କିନ୍ତୁ, ଜିଲ୍ଲା ଯୋଗାଣ ବିଭାଗ ତଥ୍ୟ ମୁତାବକ, ଏଥର ଖୋର୍ଦ୍ଧା ଜିଲ୍ଲାରୁ ମୋଟ୍ ୧୩ଲକ୍ଷ ୧୧ହଜାର କୁଇଣ୍ଟାଲ୍ ଧାନ କିଣାଯିବାକୁ ଅଛି। ପ୍ରଥମ ପର୍ଯ୍ୟାୟରେ ୯ଲକ୍ଷ ୯୨ହଜାର କୁଇଣ୍ଟାଲ୍‌ର ଟାର୍ଗେଟ୍ ଆସିଛି। ଜିଲ୍ଲାରେ ଧାନମଣ୍ଡି ପର୍ବ ଆରମ୍ଭ ହେବା ପରଠାରୁ ଆର୍‌ଏମ୍‌ସିଠାରୁ ସେବା ସମବାୟ ସମିତି ଯାଏ, ଧାନକିଣା ପାଇଁ ସମସ୍ତେ ପ୍ରସ୍ତୁତ ହୋଇ ସାରିଛନ୍ତି। ଏପାଖେ ଜିଲ୍ଲାର ଚାଷୀଙ୍କୁ ବି ସରକାର ଟୋକନ୍‌ ବାଣ୍ଟି ସାରିଛନ୍ତି। କିନ୍ତୁ କେଉଁ ମିଲର୍ସ କେଉଁ ମଣ୍ଡିରୁ କେବେ ଧାନ ଉଠାଇବ ତାହା ନିଷ୍ପତ୍ତି ହୋଇପାରୁନାହିଁ। ଜିଲ୍ଲା ଯୋଗାଣ ବିଭାଗ ସମବାୟ ସମିତି ସହିତ ମିଲର୍ସଙ୍କୁ ଯୋଡି ପାରୁନାହିଁ ବୋଲି ଧାନକିଣା ପ୍ରକ୍ରିୟା ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ। ଚଳିତବର୍ଷ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଚାଷୀକୁଳ ଧାନବିକ୍ରି କରିବେ। ପ୍ରାୟ ମଣ୍ଡି ସପ୍ତାହକୁ ଥରୁଟିଏ ଖୋଲାଯିବାକୁ ଧାର୍ଯ୍ୟ ହୋଇଛି। ଯଦିଓ ଧାନର ଟୋକନର ସମୟ ସୀମା ଏକ ମାସ ଧାର୍ଯ୍ୟ କରାଯାଇଛି, ତଥାପି ପ୍ରତି ସପ୍ତାହରେ ଧାନ କିଣା ଚାଲୁ ରହିଲେ, ସେବା ସମବାୟ ସମିତିଗୁଡ଼ିକ ଚାପମୁକ୍ତ ହେବା କଥା। କିନ୍ତୁ, ମିଲର୍ସ ସମସ୍ୟା ଯୋଗୁ ପ୍ରତ୍ୟେକ ସେବା ସମବାୟ ସମିତିର ପ୍ରଥମ ମଣ୍ଡି ବାତିଲ୍ ହୋଇଥିବା ବେଳେ ଦ୍ବିତୀୟ ସପ୍ତାହରେ ଦୁଇ ଦୁଇ ଥର ମଣ୍ଡି ଖୋଲିବା ଉଭୟ ମିଲର୍ସ ଏବଂ ପ୍ୟାକ୍ସ ପାଇଁ ଚାପ ସୃଷ୍ଟି କରିଛି।

ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ସୁଗ୍‌ଦା ମୁର୍ମୁ କହିଛନ୍ତି, ମଣ୍ଡି ସହିତ ମିଲର୍ସଙ୍କୁ ଯୋଡ଼ାଯାଇଥିଲା। କିନ୍ତୁ, ମୁଖ୍ୟାଳୟ ଯେଉଁ ମିଲର୍ସଙ୍କୁ ଯେଉଁ ମଣ୍ଡି ସହିତ ଯୋଡ଼ାଯାଇଥିଲା, ସେ ତାଲିକାକୁ ଗ୍ରହଣ କଲା ନାହିଁ। ତେଣୁ, ନୂଆ କରିବାକୁ ପଡ଼ିଲା। ଯେଉଁଥିପାଇଁ ମଣ୍ଡି ଖୋଲିବା ବିଳମ୍ବ ହୋଇଛି। ନୂଆ ତାଲିକା ପଠା ସରିଛି। ଆସନ୍ତାକାଲିଠାରୁ ମଣ୍ଡି ଖୋଲିବା ଆରମ୍ଭ କରିବ ବୋଲି ଶ୍ରୀ ମୁର୍ମୁ ପ୍ରକାଶ କରିଛନ୍ତି।