ମଣ୍ଡି ସ୍ଥିତି ଅଣାୟତ୍ତ, କେବେ କିଣା ହେବ ଚାଷୀଙ୍କ ଧାନ ?

ବରଗଡ଼: ବରଗଡ଼ ଜିଲ୍ଲାରେ ଚା‌ଷୀଙ୍କ ଧାନ କିଣା ହେବ ନା ନାହିଁ, କାହାରି ପାଖରେ ଜବାବ ନାହିଁ। ଏଣେ ଚାଷୀଙ୍କୁ ବି କିଛି ସ୍ପଷ୍ଟ ଚିତ୍ର ମିଳୁନାହିଁ। ଏଣେ ମଣ୍ଡି ସ୍ଥିତି ଅଣାୟତ୍ତ ହେଲାଣି। ବିଭିନ୍ନ ମଣ୍ଡିରେ ମୋଟ୍‌ ୧୩, ୫୦,୨୧୭ ବସ୍ତା ଧାନ ପଡ଼ିଛି। ଖରିଫ୍‌ ଧାନ ବିକିବାକୁ ୧,୩୯,୬୧୮ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏଥିରୁ ୧,୨୯,୩୯୯ ଜଣ ଚାଷୀଙ୍କ ଧାନ ଉଠିଛି। ଏଯାଏଁ ମୋଟ୍‌ ୬୯,୨୭,୦୩୭ କ୍ବିଣ୍ଟାଲ ଧାନ କିଣା ସରିଛି। ଏଥିରୁ ସ୍ପଷ୍ଟ ଯେ ୧୦,୨୧୯ ଚାଷୀ ଧାନ ବିକି ନାହାନ୍ତି। ଏହି ୧୦ହଜାର ଚା‌ଷୀଙ୍କ ଧାନ କେବେ ଉଠିବ, ଏହାର ଉତ୍ତର କାହାରି ପାଖରେ ନାହିଁ।

ଚା‌ଷୀ ମଣ୍ଡିରେ ଧାନ ରଖି ଏବେ ନିଜ ଭାଗ୍ୟକୁ ଅନାଇ ବସିଛି। ଗତ ୨୦ ତାରିଖ ଜିଲ୍ଲାପାଳ ଜାରି କରିଥିବା ଚିଠି ଚା‌‌ଷୀଙ୍କୁ ଅକଳରେ ପକାଇ ଦେଇଛି। ଏହି ଚିଠିରେ ଗତ ୨୩ ତାରିଖ ଅର୍ଥାତ ସୋମବାର ସଂଧ୍ୟା ୫ଟା ସୁଦ୍ଧା ସବୁ ମଣ୍ଡିରେ ଚାଷୀମାନେ ଧାନ ପକାଇବାକୁ ସୁନିଶ୍ଚିତ କରାଯାଇଥିଲା। ୨୪ ତାରିଖ ଅଧିକାରୀମା‌ନେ ମଣ୍ଡି ମଣ୍ଡି ବୁଲି ଗଚ୍ଛିତ ଧାନର ପରିମାଣ ତର୍ଜମା କରିଛନ୍ତି। ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି। ସୁରୁଖୁରୁରେ ମଣ୍ଡିରୁ ଧାନ ଉଠାଇବା ଏବଂ ଟୋକନ୍‌ କଟିଯିବା ଆଶଂକାକୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି। କାଳେ ତୁରନ୍ତ ଧାନ ବିକ୍ରି ହେବ, ସେହି ଆଶାରେ ଚାଷୀମାନେ ସବୁତକ ଧାନ ମଣ୍ଡିରେ ଅଜାଡ଼ି ଦେଇଛନ୍ତି। ତିନି ଦିନ ତଳେ ପଦ୍ମପୁର ଉପଖଣ୍ଡରେ ପାଖାପାଖି ସାଢ଼େ ୯ଲକ୍ଷ ବସ୍ତା ଧାନ ପଡ଼ି ରହିଥିଲା।

କିନ୍ତୁ ଜିଲ୍ଲାପାଳଙ୍କ ଉକ୍ତ ନିର୍ଦ୍ଦେଶ ପରେ ଚାଷୀମାନେ ବିକଳରେ ଆହୁରି ଲକ୍ଷେ ବସ୍ତା ପାଖାପାଖି ଧାନ ମଣ୍ଡିକୁ ନେଇ ପକାଇ ରଖିଛନ୍ତି। ଜିଲ୍ଲା ଯୋଗାଣ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାର ବିଭିନ୍ନ ମଣ୍ଡିରେ ୧୩,୫୦,୨୧୭ ପକେଟ୍‌ ଧାନ ପଡ଼ି ରହିଛି। ଯାହାର ପରିମାଣ ୫,୯୬,୬୧୩ କ୍ବିଣ୍ଟାଲ ହେବ। ଅତାବିରା ଆର୍‌ଏମ୍‌ସି ଅଧିନରେ ୫୪,୭୨୧ ବସ୍ତା, ବରଗଡ଼ ଆର୍‌ଏମ୍‌ସି ଅଧିନରେ ୨,୦୧,୫୦୪ ବସ୍ତା ଏବଂ ପଦ୍ମପୁର ଆର୍‌ଏମ୍‌ସି ଅଂଚଳରେ ସର୍ବାଧିକ ୧୦,୯୩,୯୯୨ ବସ୍ତା ଧାନ ପଡ଼ି ରହିଛି।

ଏବେ ପ୍ରଶ୍ନ ଉଠୁଛି, ଚାଷୀଙ୍କ ସବୁତକ ଧାନ କେବେ କିଣା ହେବ? ନଭେମ୍ବର ୨୧ ତାରିଖରୁ ମଣ୍ଡି ଖୋଲିଲା। ଦୁଇମାସ ବିତିଗଲା। କିନ୍ତୁ ସୁରୁଖୁରୁରେ ଧାନ ଉଠିଲା ନାହିଁ। ବରଂ ଶେଷ ମୁହୂର୍ତ୍ତରେ ଚାଷୀଙ୍କୁ ଅବଧି ଦେଇ ଧାନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀମାନେ ମଣ୍ଡିରେ ଧାନ ପକାଇ ଏବେ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଜିଲ୍ଲା‌ରେ କେବଳ ପଞ୍ଜୀକୃତ ଚାଷୀଙ୍କୁ ୬ଲକ୍ଷ କ୍ବିଣ୍ଟାଲ ଧାନ ଅବିକ୍ରି ହୋଇ ପଡ଼ି ରହିଛି। ଏଣେ ରବି ଚାଷ ଆରମ୍ଭ ହେଲାଣି। କେନାଲ୍‌ରେ ପାଣି ଭରିଛି। ଏଭଳି ସ୍ଥିତିରେ ଚାଷୀ ମଣ୍ଡିକୁ ଯିବ ନା ବିଲକୁ, ସେନେଇ ଦ୍ବନ୍ଦ୍ବରେ ପଡ଼ିଛି। ଜିଲ୍ଲାକୁ ଅତିକମ୍‌ରେ ୫ଲକ୍ଷ କ୍ବିଣ୍ଟାଲର ପରିବର୍ଦ୍ଧିତ ଟାର୍ଗେଟ୍‌ ନ ଆସିଲେ, ଚାଷୀ ପୁଣି ବରବାଦ୍‌ ହୋଇଯି‌ବା ଆଶଂକା ରହିଛି।

ସମ୍ବନ୍ଧିତ ଖବର