ମନ୍ଥର ଗତିରେ ମାଣ୍ଡିଆ ସଂଗ୍ରହ: ମାସକରେ ୧୧% ଚାଷୀ ବିକିଲେ

ଭୁବନେଶ୍ବର : ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ମାଣ୍ଡିଆ ସଂଗ୍ରହ ଲକ୍ଷ୍ୟ ୩ ଗୁଣ ବୃଦ୍ଧି ପାଇଛି। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ ପାଖାପାଖି ୧ ମାସ ମଧ୍ୟରେ ୧୧ ପ୍ରତିଶତ ପଞ୍ଜୀକୃତ ଚାଷୀଙ୍କ ଠାରୁ ମାଣ୍ଡିଆ ସଂଗ୍ରହ କରାଯାଇ ପାରିଛି। ୩୯୮ରୁ ୧୮୩ ମଣ୍ଡି ଖୋଲି ପାରିନାହିଁ। ତେଣୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଉଭୟ ମିଲେଟ୍ ମିସନ ଏବଂ ସଂଗ୍ରହକାରୀ ସଂସ୍ଥା ଆଦିବାସୀ ଉନ୍ନୟନ ସମବାୟ ନିଗମ ପାଇଁ ଚ୍ୟାଲେଞ୍ଜ ରହିବ। ଫେବ୍ରୁଆରି ୧୫ସୁଦ୍ଧା ସଂଗ୍ରହ କାର୍ଯ୍ୟ ସ୍ବାଭାବିକ ହେବ ଏବଂ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ ବୋଲି ଟିଡିସିଏଲ ପକ୍ଷରୁ କୁହାଯାଇଛି।

ଚଳିତ ବର୍ଷ କେବଳ ମାଣ୍ଡିଆ ସଂଗ୍ରହ ପାଇଁ ୨୧୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି ସରକାର। ତେଣୁ ପୂର୍ବ ବର୍ଷ ମାନଙ୍କରେ ଯେତେ ମାଣ୍ଡିଆ ଚାଷ ହୋଇଥିଲା ଚଳିତ ବର୍ଷ କାହିଁରେ କେତେ ବୃଦ୍ଧି ପାଇଛି। ୨୦୨୨ ମସିହାରେ ପଞ୍ଜୀକୃତ ୪୦ ହଜାର ଚାଷୀଙ୍କ ଠାରୁ ୬ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪୩୫୬ ଚାଷୀଙ୍କ ଠାରୁ ଆଦିବାସୀ ଉନ୍ନୟନ ସମବାୟ ନିଗମ ୩୮ ହଜାର କ୍ବିଣ୍ଟାଲ ମିଲେଟ୍ ସଂଗ୍ରହ କରିଛି। ହେଲେ ପ୍ରଥମ କରି ମିଲେଟ୍ ମିସନରେ ସାମିଲ ହୋଇଥିବା ୪ ଜିଲ୍ଲା ଢେଙ୍କାନାଳ, ଝାରସୁଗୁଡ଼ା, ନୟାଗଡ଼ ଏବଂ ବୌଦ୍ଧ ସମେତ କନ୍ଧମାଳ ଏବଂ କେନ୍ଦୁଝର ଜିଲ୍ଲାରେ ମଣ୍ଡି ଖୋଲି ପାରିନାହିଁ। କଳାହାଣ୍ଡି, ବରଗଡ଼ରେ ମଧ୍ୟ ସଂଗ୍ରହ କାର୍ଯ୍ୟ ସ୍ବାଭାବିକ ହୋଇ ପାରିନାହିଁ। ରାୟଗଡ଼ା, ମାଲକାନଗିରି, କୋରାପୁଟରେ ଅମଳ ବିଳମ୍ବିତ ହୋଇଥିବାରୁ ସେଠାରେ ସଂଗ୍ରହ କାର୍ଯ୍ୟ ମନ୍ଥର ରହିଛି। ଫେବ୍ରୁଆରି ସୁଦ୍ଧା ସ୍ବାଭାବିକ ହେବା ନେଇ ଆଶା ରହିଛି।

curioski.com

କୋରାପୁଟ ଚାଷୀଙ୍କ କହିବା ଅନୁସାରେ, ସରକାର ଧାର୍ଯ୍ୟ ଲକ୍ଷ୍ୟ ବଢାଇଛନ୍ତି ସତ କିନ୍ତୁ ଏକର ପିଛା ମାଣ୍ଡିଆ ସଂଗ୍ରହ ବୃଦ୍ଧି କରାଯାଇ ନାହିଁ। ଏହାର ଲାଭ ଉଠାଇ ବିଭିନ୍ନ ସାମାଜିକ ସଂଗଠନ ବ୍ୟାପକ ଭାବରେ ମିଛ ମାଣ୍ଡିଆ ବିକ୍ରି ପାଇଁ ସୁଯୋଗ ପାଉଛନ୍ତି। ଅର୍ଥାତ ଚଳିତ ବର୍ଷ ଏକର ପିଛା ୮ କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଯେଉଁ ଉତ୍ସାହୀ ଚାଷୀମାନେ ଏକର ପିଛା ୮ କ୍ବିଣ୍ଟାଲରୁ ଅଧିକ ଉତ୍ପାଦନ କରୁଛନ୍ତି, ସେମାନେ ବାଧ୍ୟ ହୋଇ ଖୋଲା ବଜାରରେ ସରକାରଙ୍କ ଧାର୍ଯ୍ୟ ଦର ଠାରୁ ଅଳ୍ପ ଦରରେ ବିକ୍ରି କରିବେ। ସାମାଜିକ ସଂଗଠନ ଏବଂ ବ୍ୟବସାୟୀମାନେ ମିଛ ପଞ୍ଜୀକରଣ କରାଇ ଏମଏସ୍‌ପିର ଲାଭ ନେବାର ଆଶଙ୍କା ରହିଛି। ଦ୍ବିତୀୟତଃ ଦକ୍ଷିଣ ଓଡ଼ିଶାରେ ଅଧିକ ସଂଖ୍ୟକ ମଣ୍ଡି ଏବଂ କ୍ରୟ କେନ୍ଦ୍ରର ଆବଶ୍ୟକତା ରହିଛି। ଅନେକ ଗାଁରେ ଚାଷୀଙ୍କୁ ୫ରୁ୮ କିଲୋମିଟର ଦୂର ମଣ୍ଡିକୁ ଯିବା ପାଇଁ ମାତ୍ରାଧିକ ପରିବହନ ଖର୍ଚ୍ଚର ବୋଝ ସହିବାକୁ ପଡ଼ୁଛି। ସଠିକ ଗୁଣାତ୍ମକମାନ ପାଇଁ ମାଣ୍ଡିଆକୁ ମିଲିଂ କରିବାକୁ ପଡ଼ିଥାଏ। ଏଥିପାଇଁ ଚାଷୀଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିପ୍ରତି ସରକାର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

 

 

ସମ୍ବନ୍ଧିତ ଖବର