ଲୋପ କରିଦେଲେ, ଏବେ ଖର୍ଚ କରୁଛନ୍ତି: ୪୦ ବର୍ଷରେ ୯୦% ଅଞ୍ଚଳରେ ମାଣ୍ଡିଆ ଚାଷ କମିଗଲା

ପୁଣି ଚାଷୀଙ୍କ ବିଶ୍ୱାସ ଫେରିବ ତ ?
ଜିଲ୍ଲା ମୁଖ୍ୟାଳୟରେ ଖୋଲିବ ମାଣ୍ଡିଆ ଷ୍ଟଲ୍‌

ଭୁବନେଶ୍ୱର : ପ୍ରୋତ୍ସାହନ ଅଭାବରୁ ରାଜ୍ୟରେ ଲୋପ ପାଇବାକୁ ଯାଉଥିଲା ମାଣ୍ଡିଆ ଜାତୀୟ ଚାଷ(ମିଲେଟ)। କିନ୍ତୁ କୋଭିଡ ପରେ ଲୋକମାନେ ଏହାର ଗୁରୁତ୍ବ ବୁଝିବା ଆରମ୍ଭ କରିଛନ୍ତି। ସରକାର ବି ହୃଦୟଙ୍ଗମ କରିଛନ୍ତି। ୪୦ ବର୍ଷରେ ରାଜ୍ୟରେ ୯୦ ପ୍ରତିଶତରୁ ଊର୍ଧ୍ବ ଅଞ୍ଚଳରେ ମାଣ୍ଡିଆ ଚାଷ ଏକ ପ୍ରକାର ଲୋପ ପାଇଯାଇଛି। ବର୍ତ୍ତମାନ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ଜାଣିବା ପରେ ମିଲେଟ ମିସନ ନାମରେ ୫୦୦ କୋଟି ଟଙ୍କା ଖର୍ଚର ଯୋଜନା କରୁଛି ରାଜ୍ୟ ସରକାର। ଏପରିକି ଜିଲ୍ଲା ମୁଖ୍ୟାଳୟରେ ମାଣ୍ଡିଆ ଷ୍ଟଲ ପାଇଁ ମଧ୍ୟ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନବନ୍ଦର ଏବଂ ରେଳ ଷ୍ଟେସନରେ ମାଣ୍ଡିଆର ବିସ୍କୁଟ, କେକ, ଚିପ୍ସ, କାଙ୍ଗୁର ଉପମା, ଦୋସା, କ୍ଷୀରି, ବିସ୍କୁଟ, ବାଜରାର ଲଡ଼ୁ ବିକ୍ରି କରାଯିବା ପାଇଁ ଯୋଜନା ରହିଥିବା ରାଜ୍ୟ କୃଷି ବିଭାଗ ସୂତ୍ରରୁ ସୂଚନା ମିଳିଛି। ତେବେ ମାଣ୍ଡିଆ ଚାଷ ପ୍ରତି ଚାଷୀକୂଳ କେତେଦୂର ଆଗ୍ରହ ହେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

curioski.com

ରାଜ୍ୟ କୃଷି ପରିସଂଖ୍ୟାନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୯୮୦ ମସିହାରେ ରାଜ୍ୟରେ ୩୬୨.୩୧ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇ ସମୁଦାୟ ୧୯୭.୫୦ ଟନ ଉତ୍ପାଦନ ହେଉଥିଲା। ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ, ଗଜପତି, କଳାହାଣ୍ଡି, କେନ୍ଦୁଝର, ଅନୁଗୁଳ, ବରଗଡ଼ ଆଦି ଜିଲ୍ଲାରେ ବ୍ୟାପକ ପରିମାଣରେ ମାଣ୍ଡିଆ ଚାଷ ହେଉଥିଲା। ମାତ୍ର ଏଥି ପାଇଁ ପ୍ରୋତ୍ସାହନ ଅଭାବରୁ ସ୍ଥିତି ଏଭଳି ହୋଇଥିଲା ଯେ ୨୦୧୦ ମସିହାରେ ମାତ୍ର ୧୫.୭୫ ହେକ୍ଟର ଜମିରେ ଏହି ଚାଷ କରାଯାଇ ସମୁଦାୟ ୭.୨୮ ଟନ ଉତ୍ପାଦନ ହୋଇଥିଲା। ୨୦୧୯ ମସିହାରେ ୩୨.୮୭ ହେକ୍ଟରରେ ଚାଷ କରାଯାଇ ୧୬.୯୯ ଟନ ମାଣ୍ଡିଆ ଉତ୍ପାଦନ ହୋଇଥିଲା। ୧୯୮୨ ମସିହାରେ ରାଜ୍ୟରେ ୩୭.୧୪ ହେକ୍ଟର ଜମିରେ ଜଓ୍ବାର ଚାଷ ହୋଇ ୩୭.୦୨ ଟନ ଉତ୍ପାଦନ ହେଉଥିଲା। ୨୦୧୬ ମସିହା ବେଳକୁ ଏହା ସର୍ବନିମ୍ନ ୫.୪୭ ହେକ୍ଟରରେ ଚାଷ ହୋଇ ୩.୪୪ ଟନ ଉତ୍ପାଦନ ହେଉଛି।

କିଛି ବର୍ଷ ହେଲା ସରକାର ବିଭିନ୍ନ କାରଣରୁ ଅଣଧାନକୁ ଗୁରୁତ୍ବ ଦେବା ଆରମ୍ଭ କଲେ। ୨୦୧୮ ମସିହାରେ ରାଜ୍ୟରେ ମିଲେଟ ମିସନ ଆରମ୍ଭ କରାଯାଇ ଏହା ଅଧୀନରେ ୩୨.୭୮ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଗଲା। ଏଥିରୁ ୧୬.୯୮ ଟନ ମାଣ୍ଡିଆ ଉତ୍ପାଦନ ହେଲା। ୨୦୨୦ ମସିହା କୋଭିଡ ପରେ ମାଣ୍ଡିଆକୁ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ବଦଳିଥିବା ବିଭାଗୀୟ ଅଧିକାରୀ କହୁଛନ୍ତି। ଦୁଇ ବର୍ଷ ହେଲା ମିଲେଟ ମିସନ ଅଧୀନରେ ରାଜ୍ୟରେ ପ୍ରାୟ ୧୦୦ କୋଟି ଲେଖାଏଁ ଖର୍ଚ କରାଯାଉଛି। ଆଗାମୀ ଦିନରେ ଖର୍ଚ ୫୦୦ କୋଟିରେ ପହଞ୍ଚିଯିବା ନେଇ ଯୋଜନା ରହିଛି। ଏହା ଅଧୀନରେ ପୂର୍ବରୁ ୧୫ଟି ଜିଲ୍ଲାରେ ଉତ୍ପାଦିତ ମାଣ୍ଡିଆ ଜାତୀୟ ଫସଲର ବୃଦ୍ଧି ସହିତ ନୟାଗଡ଼, ଯାଜପୁର, ବୌଦ୍ଧ, ଢେଙ୍କାନାଳକୁ ମିଲେଟ ମିସନରେ ସାମିଲ କରାଯିବ। ମାଣ୍ଡିଆ ଜାତୀୟ କ୍ଷୁଦ୍ରଶସ୍ୟ ଗବେଷଣା, ପିଡିଏସ୍‌ରେ ଅନ୍ତର୍ଭୁକ୍ତ କରାଯିବା, ବିକ୍ରୟ କେନ୍ଦ୍ର ସହିତ ଏହାକୁ ନେଇ କିଭଳି ବଡ଼ କମ୍ପାନି ସହିତ ସରକାର ଯୋଡ଼ି ହୋଇ ପାରିବେ, ଏଥିପାଇଁ ଚିନ୍ତା କରୁଥିବା କୁହାଯାଉଛି। ମାଣ୍ଡିଆକୁ ନେଇ କେକ, ବିସ୍କୁଟ ଭଳି କିପରି ଶୁଖିଲା ଜଳଖିଆ ଉତ୍ପାଦନ କରାଯାଇ ପାରିବ, ସେଥି ପାଇଁ କିଛି ଦିନ ପୂର୍ବରୁ ଆଇଟିସି, ବ୍ରିଟାନିଆ ଭଳି କମ୍ପାନି ସହିତ ରାଜ୍ୟ ସରକାର ଆଲୋଚନା କରିଥିଲେ। ଏଥି ସଂକ୍ରାନ୍ତରେ ନିଷ୍କର୍ସ ବାହାରି ନାହିଁ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ମିସନ ଶକ୍ତି ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ମିଲେଟ ଷ୍ଟଲ ଖୋଲାଯାଉଛି। ଲୋକସେବା ଭବନ ଓ କୃଷି ଭବନରେ ଏଭଳି ଷ୍ଟଲ ଖୋଲିବା ପାଇଁ ସ୍ଥାନ ଚୟନ କରାଯାଉଛି। ଏଥିସହିତ ସବୁ ଜିଲ୍ଲା ମୁଖ୍ୟାଳୟରେ ଓମ୍‌ଫେଡ୍‌ ସହାୟତାରେ ଏଭଳି ଷ୍ଟଲ ଖୋଲିବ, ଯେଉଁଠି ମିଲେଟରେ ତିଆରି ଶୁଖିଲା ଜଳଖିଆ ମିଳିପାରିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୩କୁ ଆନ୍ତର୍ଜାତିକ କ୍ଷୁଦ୍ରଶସ୍ୟ ଦିବସ ପାଳନ କରାଯାଉଛି। ଓଡ଼ିଶା ଢାଞ୍ଚାରେ ଛତିଶଗଡ଼ ମଧ୍ୟ ମିଲେଟ ମିସନ ଆରମ୍ଭ କରିଛି। ମହାରାଷ୍ଟ୍ର ମଧ୍ୟ ଏଭଳି ଯୋଜନା ପ୍ରସ୍ତୁତ କରିଛି। ଅନ୍ୟ ରାଜ୍ୟଗୁଡ଼ିକ ଏହି ଦିଗରେ ଅଗ୍ରସର ହେଉଛନ୍ତି। ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ଯେତେବେଳେ ରାଜ୍ୟରେ ବ୍ୟାପକ ପରିମାଣରେ ମାଣ୍ଡିଆ ଜାତୀୟ ବିଭିନ୍ନ ପ୍ରକାର କ୍ଷୁଦ୍ରଶସ୍ୟର ଉତ୍ପାଦନ ହେଉଥିଲା, ସେତେବେଳେ ସରକାର ଏହାକୁ ଗୁରୁତ୍ବ ଦେଲେ ନାହିଁ। ବର୍ତ୍ତମାନ ଯେତେବେଳେ ଚାଷ ଏବଂ ଚାଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ସେତେବେଳେ ଏହାକୁ ପୁନର୍ବାର ଗୁରୁତ୍ବ ଦିଆଯାଉଛି। ମାଣ୍ଡିଆ ଚାଷରୁ ମୁହଁ ମୋଡ଼ିଥିବା ଚାଷୀମାନେ ଏବେ ପୁଣି ଥରେ ଏହି ଚାଷ ଉପରେ ଭରସା କରି ଫେରିବେ ତ ?

ସମ୍ବନ୍ଧିତ ଖବର