ଯଶିପୁର: ମାଣ୍ଡିଆ ଦିବସ ଅବସରରେ ସଫଳ ଉଦ୍ୟୋଗୀ ପାଲଟିଥିବା ମାଣ୍ଡିଆ ଦିଦି ସୁବାସ ଆଜି ଓଡ଼ିଶା ପୁରୀ ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସମ୍ବର୍ଦ୍ଧିତ ହୋଇ ଯଶିପୁର ମାଟିକୁ ଗର୍ବିତ କରିଛନ୍ତି। ଗୋଟିଏ ନିର୍ବାଚନମଣ୍ଡଳୀ ବାସିନ୍ଦା ଭାବେ ରାଷ୍ଟ୍ରପତିଙ୍କଠାରୁ ସମ୍ବର୍ଦ୍ଧନା ପାଇବାର ଅଭୁଲା ସ୍ମୃତି ଚିରଦିନ ମନେ ରହିବ ବୋଲି କହିଛନ୍ତି ସୁବାସ।

Advertisment

ଯଶିପୁର ବ୍ଲକ୍ ମାଟିଆଗଡ଼ ପଞ୍ଚାୟତର  ସିଙ୍ଗାରପୁର୍ ଗ୍ରାମର ସୁରେଶ ମହାନ୍ତଙ୍କ ସ୍ତ୍ରୀ ସୁବାସ ମହାନ୍ତ। ଗ୍ରାମର ମା’ ଶାରଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ ଥାଇ ଗ୍ରାମକୁ ଆସିଥିବା କୃଷି ବିଭାଗ ଅଧିକାରିଣୀ ଶୁଭଲକ୍ଷ୍ମୀ ଦାଶ ଓ ରାଜ୍ୟ ମାଣ୍ଡିଆ (ମିଲେଟ୍) ମିସନର ସଂଗଠକ କାର୍ଯ୍ୟ କରୁଥିବା ଧନେଶ୍ବର ମହାନ୍ତଙ୍କଠାରୁ ପ୍ରେରଣା ପାଇ ୫ ବର୍ଷ ତଳେ ଆରମ୍ଭ କରିଥିଲେ ମାଣ୍ଡିଆ ଚାଷ। ପରେ ଯଶିପୁର ବ୍ଲକ୍‌ରେ ମାଣ୍ଡିଆ ଚାଷ ଜିଲ୍ଲା ଓ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାବେଳେ ସୁବାସ ଦିଦି ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ମାଟିଆଗଡ଼, କପ୍ତିରା ଆଦି ଗ୍ରାମରେ ବହୁ ମହିଳାଙ୍କୁ ଏ ଦିଗରେ ପ୍ରେରଣା ଦେଇ ମାଣ୍ଡିଆ ଚାଷ କରାଇଛନ୍ତି। ଆଗାମୀ ଦିନରେ ଆହୁରି ଶହଶହ ମହିଳାଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରି ମାଣ୍ଡିଆ ଚାଷକୁ ଅଧିକ ପ୍ରସାର କରିବା ଦିଗରେ ତାଙ୍କର ଭୂମିକା ଜାରି ରହିବ ବୋଲି ସେ ‘ସମ୍ବାଦ’କୁ କହିଛନ୍ତି।

ନିକଟରେ ବାଲେଶ୍ବର ଓ ଭୁବନେଶ୍ବରଠାରେ ‘ସମ୍ବାଦ’ର  ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ ‘ଓଡ଼ିଶା-୫୦’ରେ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ଚଳିତ ବର୍ଷ ସେପ୍‌ଟେମ୍ବର ମାସରେ ନୂଆଦିଲ୍ଲୀଠାରେ ୧୩୨ ଦେଶର ଅଗ୍ରଣୀ ଉଦ୍ୟୋଗୀଙ୍କ ମଧ୍ୟରେ ସ୍ଥାନ ପାଇ ନିଜର ପ୍ରତିଭାର ପରିଚୟ ଦେଇ ସମସ୍ତଙ୍କୁ ଚମତ୍କୃତ କରିଛନ୍ତି ମାଣ୍ଡିଆ ଦିଦି ସୁବାସ।