ଭୁବନେଶ୍ବର: ପିଏମ୍ ପୋଷଣ ଯୋଜନା ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷକ ତତ୍ତ୍ବ ଥିବା ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯିବ। ଏପ୍ରିଲ ପହିଲାରୁ ସପ୍ତାହର ୩ ଦିନ ଅର୍ଥାତ୍ ସୋମବାର, ମଙ୍ଗଳବାର ଓ ଗୁରୁବାର ଏହି ପୁଷ୍ଟିକର ଲଡ଼ୁ ବଣ୍ଟନ ହେବ। ଗୋଟିଏ ଲଡ଼ୁ ପିଛା ୩ ଟଙ୍କା ୫୦ ପଇସା ଲେଖାଁଏ ଖର୍ଚ୍ଚ କରାଯିବ। ସେଥିରୁ ସାମଗ୍ରୀ ବାବଦରେ ୩ ଟଙ୍କା ୨୪ ଏବଂ ପ୍ରସ୍ତୁତି ପାଇଁ ୨୬ ପଇସା ଦିଆଯିବ। ମାଣ୍ଡିଆ ଚୂନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ, ରାଶି ଓ ଗୁଜୁରାତିରେ ଏହି ଲଡ଼ୁ ପ୍ରସ୍ତୁତ ହେବ। ପିଏମ୍ ଯୋଜନା ଅଧୀନରେ ଆସୁଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପିଲାମାନଙ୍କୁ ଏହା ମିଳିବ। ସକାଳ ସମୟରେ ପିଲାମାନେ ଏକାଠି ହେଉଥିବା ସ୍ଥାନରେ ଲଡ଼ୁ ବଣ୍ଟନ କରାଯିବ। ସ୍କୁଲ ଦ୍ବାରା ନିୟୋଜିତ ରୋଷେୟା ଓ ସହଯୋଗୀ ଏହି ଲଡ଼ୁଗୁଡ଼ିକ ପ୍ରସ୍ତୁତ କରିବେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପିଏମ୍ ପୋଷଣର ରାଜ୍ୟ ନୋଡାଲ୍ ଅଧିକାରୀ ଗିରିଶ ଚନ୍ଦ୍ର ସିଂ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ସିଂ ଚିଠିରେ ଆହୁରି କହିଛନ୍ତି ଯେ ନିୟମାବଳୀ ପ୍ରଦାନ ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ କହିବେ। କେଉଁ ବିଦ୍ୟାଳୟର କେତେ ପିଲା ରହିଛନ୍ତି ତାହାର ତଥ୍ୟ କର୍ତ୍ତୃପକ୍ଷ ପ୍ରଦାନ କରିବେ। ଲଡ଼ୁ ବଣ୍ଟନ ସମୟର ଫଟୋ ଜିଲ୍ଲାପାଳଙ୍କ ସୋସିଆଲ୍ ମିଡିଆରେ ଛାଡ଼ି ବ୍ୟାପକ ପ୍ରଚାର ପ୍ରସାର କରିବାକୁ କୁହାଯାଇଛି। ଏହି ଲଡ଼ୁ ବଣ୍ଟନରେ ପ୍ରଧାନଶିକ୍ଷକଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ନିକଟସ୍ଥ ବଜାରରୁ ମାଣ୍ଡିଆ ଚୂନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ, ରାଶି ଓ ଗୁଜୁରାତି ଆଦି ସପ୍ତାହିକ କିମ୍ବା ୧୫ ଦିନ ଅନ୍ତରରେ କିଣିବା ଦିଗରେ ପଦକ୍ଷେପ ନେବେ। ଯେଉଁ ସାମଗ୍ରୀ ଆଣିବେ ତାହା ବୈଧ ହୋଇଥିବା ଆବଶ୍ୟକ। ସାମଗ୍ରୀଗୁଡ଼ିକୁ ଆଣିବା ପରେ ତାହାକୁ ଏକ ସ୍ବତନ୍ତ୍ର ଜାର୍ ମଧ୍ୟରେ ସାଇତି ରଖିବେ। ୨୦୨୩ ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ରୋଷେୟା ଓ ସହଯୋଗୀଙ୍କ ତାଲିମ କର୍ମଶାଳାରେ ମାଣ୍ଡିଆ ଲଡ଼ୁ ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ଅବଗତ କରାଯାଇଛି। ତଥାପି ଲଡ଼ୁ ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ନିୟମାବଳୀ ଜାରି ସହ ଓଡ଼ିଶା ମିଲେଟ୍ ମିସନ୍ ୟୁଟ୍ୟୁବ୍ରେ ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ଉପଲବ୍ଧ ହୋଇଛି। ଥରେ ଲଡ଼ୁ ତିଆରି ହେଲେ ତାହା ଅତିବେଶିରେ ୩୦ ଦିନ ପର୍ଯ୍ୟନ୍ତ ଜାର୍ ମଧ୍ୟରେ ରଖାଯାଇପାରିବ। ପ୍ରସ୍ତୁତ ଓ ବଣ୍ଟନ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଧାନଶିକ୍ଷକ ସାଇତି ରଖିବେ, ଯାହାକି ଅଡିଟ୍ ସମୟରେ ଦରକାର ହୋଇପାରେ। ପ୍ରତି ମାସରେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକମାନେ ତଦାରଖ କରିବେ। ରାଜ୍ୟସ୍ତରୀୟ ଅଧିକାରୀମାନେ ମଧ୍ୟ ଯାଞ୍ଚ କରିବେ। ପିଏମ୍ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ (ଏସ୍ପିଏମ୍ୟୁ) ପକ୍ଷରୁ ଲଡ଼ୁ ପିଛା ୩ ଟଙ୍କା ୫୦ ପଇସା ହିସାବରେ ଡିଇଓମାନଙ୍କ ନିକଟକୁ ପଠାଯିବ।