ଲକ୍ଷ୍ମୀପୁର ଲ୍ୟାମ୍ପସ ପରିସରରେ ମାଣ୍ଡିଆ ମଣ୍ଡି ଉଦଘାଟିତ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଲ୍ୟାମ୍ପସ ପରିସରରେ ବୁଧବାର ଦିନ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ କରାଯାଇଛିା ଲ୍ୟାମ୍ପସର ଶାଖାପରିଚାଳକ ଗୋପାଳ କୃଷ୍ଣ ଆଚାର୍ଯ୍ୟଙ୍କ ପ୍ରତ୍ୟକ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ମଣ୍ଡି ଶୁଭାରମ୍ଭ ଅବସରରେ ତହସିଲ କାର୍ଯ୍ୟାଳୟର ସୁପରଭାଇଜର କୃଷ୍ଣ ମୁର୍ତ୍ତି ପାଣି, ୱାସନ ସଂସ୍ଥାର ଜିଲ୍ଲା ସଂଯୋଜକ ଶିବ ଶଙ୍କର ସେଠି,ସିୱାଇଏସଡି ବ୍ଲକ ସଂଯୋଜକ ଅଜିତ କୁମାର ବିଷୋଇ, ଉତ୍ପାଦକ କମ୍ପାନିର ସିଇଓ ଶ୍ୟାମଘନ ବିଷୋଇ, ଆରଏମସି ମାର୍କେଟ୍‍ ଗାର୍ଡ ଭରତ ଚନ୍ଦ୍ର ବେହେରା, ଚାଷୀ ଇଶ୍ୱର ଚନ୍ଦ୍ର ସାହୁଙ୍କ ସମେତ ଅଞ୍ଚଳର ଅନେକ ଚାଷୀଙ୍କ ଉପସ୍ଥିତିରେ ପୂଜା ଓ ନଡିଆ ଭଙ୍ଗାଯାଇ ମଣ୍ଡିର ଶୁଭାରମ୍ଭ କରାଯାଇଥିଲା। ବର୍ତମାନ ଦିନକୁ ଦିନ ମାଣ୍ଡିଆ ପ୍ରତି ଲୋକଙ୍କ ଚାହିଦା ବଢୁଥିବା ବେଳେ କୋରାପୁଟ ଜିଲ୍ଲାରେ ଏହି ଚାଷ ଆଗଭଳି ଆଉ ଦେଖିବାକୁ ମିଳୁନାହିଁ। ଏହାର ଅନେକ ଗୁଡିଏ କାରଣ ରହିଥିବା ବେଳେ କିଛି ଚାଷୀ ମାଣ୍ଡିଆ ସକାଶେ ଉଚିତ୍‍ ଦାମ୍‍ ମିଳୁନଥିବା ଅଭିଯୋଗ କରି ଚାଷ କରୁନଥିବା ବେଳେ ନିଳଗିରି ଗଛ ଯୋଗୁଁ ଅଞ୍ଚଳରେ ମାଣ୍ଡିଆ ଚାଷ ହୋଇପାରୁନଥିବା ମଧ୍ୟ ଜଣାପଡିଛିା ବର୍ତମାନ କିନ୍ତୁ ଚାହିଦାକୁ ଦେଖି ଓ ଏଫଏକ୍ୟୁ ମାନର ମାଣ୍ଡିଆ ଅମଳର ଉଦ୍ୟମ ଜାରିରଖି ସିୱାଇଏସ୍‍ଡି ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୬୦ହଜାର ହେକ୍ଟର ଜମିରୁ ୪୦ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଥିବା ବେଳେ ୨୦ହଜାର ହେକ୍ଟରରେ ସୁଆଁ ଅଳସି ଭଳି ବିଭିନ୍ନ ଚାଷ କରାଯାଇଥିବା ସଂଯୋଜକ ଶ୍ରୀ ବିଷୋଇ କହିଛନ୍ତିା

ଟିଡିସିସି ମାଧ୍ୟମରେ ଜିଲ୍ଲାର ପ୍ରତ୍ୟକ ଲ୍ୟାମ୍ପସରୁ ମାଣ୍ଡିଆ ଚାଷୀମାନଙ୍କ ଠାରୁ ୩୧ ଟଙ୍କା ୫୦ ପଇସାରେ କିଣାଯିବାକୁ ଦର ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପର୍ଯ୍ୟାୟ କ୍ରମେ ସରକାରଙ୍କ ପିଡିଏସ୍‍, ଆଇସିଡିଏସ୍‍ ଓ ଏମ୍‍ଡିଏମ୍‍ ଯୋଜନାରେ ପ୍ରଦାନ କରାଯିବ ବୋଲି ଜଣାପଡିଛି। କେବଳ ଲକ୍ଷ୍ମୀପୁର ବ୍ଲକର ୭୮୧ ଜଣ ଚାଷୀ ଚଳିତ ବର୍ଷ ୩୮୭ ହେକ୍‍ଟର୍‍ ଜମିରେ ମାଣ୍ଡିଆ ଚାଷ ଉନ୍ନତ ପ୍ରଣାଳିରେ କରିଥିବା ବେଳେ ସେମାନେ ନିଶ୍ଚିତ ଭାବେ ଲାଭବାନ ହେବେ ବୋଲି ଜଣାପଡିଛି। ଚଳିତ ବର୍ଷ ଏହି ମଣ୍ଡି ମାଧ୍ୟମରେ ୨ହଜାର କୁଇଣ୍ଟାଲ୍‍ରୁ ଅଧିକ ମାଣ୍ଡିଆ କିଣାଯିବା ସକାଶେ ଧାର୍ଯ୍ୟଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ଦିନରେ ୧୨୫ କୁଇଣ୍ଟାଲ୍‍ ମାଣ୍ଡିଆ କିଣାଯାଇ ପାରିଥିଲା। ଚାଷୀଙ୍କ ଏକାଉଣ୍ଟକୁ ୭୨ ଘଣ୍ଟା ମଧ୍ୟରେ ବିକ୍ରୟ କରିଥିବା ମାଣ୍ଡିଆ ଟଙ୍କା ଯିବାର ବ୍ୟବସ୍ଥା କରାଯାଇଥିବା ଶାଖାପରିଚାଳକ ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତିା

ଉପାନ୍ତ ଅଞ୍ଚଳର ଚାଷୀଙ୍କୁ ଉନ୍ନତ ପ୍ରଣାଳିରେ ମାଣ୍ଡିଆ ଚାଷ କରିବାକୁ ପରାମର୍ଶ ଦେବା ସହ ବିକ୍ରୟ କରିବା ପାଇଁ ଟୋକେନ ବ୍ୟବସ୍ଥା ଓ ମଣ୍ଡିରେ ଆଣି ବିକ୍ରୟ କରିବା ପର୍ଯ୍ୟନ୍ତ ସିୱାଇଏସଡିର କର୍ମକର୍ତା ସହଯୋଗ କରୁଥିବା ଜଣାପଡିଛିା ଟିଡିସିସିର ସହାୟତାରେ ଲକ୍ଷ୍ମୀପୁର ଲ୍ୟାମ୍ପସ୍‌ରେ ମଣ୍ଡି ଜରିଆରେ ମାଣ୍ଡିଆ କିଣାଯାଉଥିବା ବେଳେ ଆସନ୍ତା ମାର୍ଚ ଶେଷ ସପ୍ତାହ ପର୍ଯ୍ୟନ୍ତ ମାଣ୍ଡିଆ କିଣାଯିବାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଲ୍ୟାମ୍ପସ ପରିସରରେ ଅଧିକ ସଂଖ୍ୟକ ଗୋଦାମ୍‍ ଗୃହ ନଥିବା କାରଣରୁ ମଣ୍ଡିକୁ ଆଣୁଥିବା ଧାନ ଚାଷୀ ହେଉ ଅବା ମାଣ୍ଡିଆ ଚାଷୀ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଆଉକିଛି ଗୋଦାମ୍‍ ଗୃହ କରିବା ସକାଶେ ଚାଷୀମାନେ ଦାବି କରିଛନ୍ତିା

ସମ୍ବନ୍ଧିତ ଖବର