ମନରେଗା ଦୁର୍ନୀତି: ୫ ଲକ୍ଷ ଖର୍ଚ୍ଚରେ ୫ ଗଛ

କୋରେଇ : କୋରେଇ ବ୍ଲକ୍‌ ଅନ୍ତର୍ଗତ ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମରେ ମନରେଗ‌ା ବୃକ୍ଷରୋପଣ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଛୋଟରାୟପୁର ଗ୍ରାମ ଜଙ୍ଗଲ ପଡ଼ିଆରେ ମନରେଗା ପ୍ରକଳ୍ପ କୋର୍ଡ ନମ୍ବର-୨୪୨୦୦୦୮୦୧୭/ଡିପି/୧୦୩୫୪୨୬୮ରେ ଚାରା ଲଗାଯାଇଥିଲା।

ଏଥିରେ ପଞ୍ଚାୟତର କୁରୁପଦା, ନରପଦା, ଛୋଟରାୟପୁର, ଜହ୍ନା ଆଦି ଗ୍ରାମର ଶହେ ଜଣ ଶ୍ରମିକ କାମ କରିଥିବା କାଗଜପତ୍ରରେ ଦର୍ଶାଯାଇଛି। ଏହି ପ୍ରକଳ୍ପ ପାଇଁ ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ଶ୍ରମିକଙ୍କ ମଜୁରି ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୋଇସାରିଛି। ଗଛର ସୁରକ୍ଷା ପାଇଁ ବାଡ଼ ବୁଲାଇବା, ପାଣିଦେବା ବାବଦକୁ ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ହେଲେ ଗତବର୍ଷ ଅଗଷ୍ଟ ମାସରେ ଲାଗିଥିବା ଏହି ଗଛ ମଧ୍ୟରୁ ଏବେ ମାତ୍ର ୫ଟି ରହିଛି। ଅନାବନା ଘାସରେ ପୂରିଥିବା ଏହି ପଡ଼ିଆରେ କୌଣସି ବାଡ଼ ନଥିବା ଦେଖିବାକୁ ମିଳିଛି। ଏହି ପ୍ରକଳ୍ପ ନାଁରେ ବ୍ୟାପକ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କୋରେଇ ବିଡିଓ ରଂଜନ କୁମାର ପରିଡ଼ାଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ଓ ଅନିୟମିତତାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର