ସୁନ୍ଦରଗଡ଼: ‘ମେ ହୁଁ ଡନ୍’ ଗୀତରେ ଛାତି ପିଟି ନାଚିଲେ ଶ୍ରମମନ୍ତ୍ରୀ ସାରଦା ନାୟକ। ସୁନ୍ଦରଗଡ଼ ସୁନାରିପଡ଼ା ଗଣେଶ ପୂଜା କମିଟିର ସିଲଭର ଜୁବଲି ଅବସରରେ ଚାଲିଥିବା ରଙ୍ଗାରଙ୍ଗ ଷ୍ଟେଜ୍ ‘ସୋ’ରେ ମନ୍ତ୍ରୀ କରିଥିଲେ ଦମଦାର ନୃତ୍ୟ। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀଙ୍କ ନୃତ୍ୟର ଭିଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଏବେ ଏହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିଛି ଦିନ ତଳେ ସୁନ୍ଦରଗଡ଼ରେ ବିଜେଡିର ଗୋଷ୍ଠକନ୍ଦଳ ପଦାକୁ ଫୁଟି ବାହାରିଥିଲା।

Advertisment

ବରିଷ୍ଠ ଆଦିବାସୀ ନେତା ମଙ୍ଗଳା କିସାନ ଓ ଛାତ୍ରନେତା ରବୀନ୍ଦ୍ର ପ୍ରଧାନ ମନ୍ତ୍ରୀ ସାରଦା ଓ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନଙ୍କୁ ଖୋଲା ବିରୋଧ କରିଥିଲେ। ଏସ୍ଥିତିରେ ମଞ୍ଚରେ ମନ୍ତ୍ରୀ ସାରଦା ନାୟକଙ୍କ ଛାତିପିଟା ନୃତ୍ୟ ଶୈଳୀ ଓ ଗୀତର ବୋଲି ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ନୃତ୍ୟରେ ନୃତ୍ୟରେ ମନ୍ତ୍ରୀ ବିରୋଧୀଙ୍କ ଆଗରେ ନିଜର ଦମ୍ ଦେଖାଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଗୋଷ୍ଠୀ କନ୍ଦଳକୁ ନେଇ ଯୁବ ବିଜେଡି ନେତା ପ୍ରକାଶ ପାଶୱାନ ଓ ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ପ୍ରକାଶଙ୍କୁ ବହିଷ୍କାର ଓ ରବୀନ୍ଦ୍ରଙ୍କୁ ନିଲମ୍ବିତ କରାଯାଇଛି।

publive-image

ଏହା ପରେ ରବୀନ୍ଦ୍ର ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ସାରଦା ନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼େଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ସହ ବହୁତ ବର୍ଷିଥିଲେ। ଏପରିକି ସାରଦାଙ୍କ ରାଜନୀତି ଆଉ ବେଶୀ ଦିନ ନୁହେଁ, ୨୦୨୪ରେ ସେ ତାର ପରାଭବ ଭୋଗିବେ ‌ବୋଲି କହିଥିଲେ। ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଦିବାସୀ ନେତା ମଙ୍ଗଳା କିଷାନ ରବୀନ୍ଦ୍ରଙ୍କ ସ୍ୱରରେ ସ୍ୱର ମିଳାଇ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଥିଲେ । ସେ ଦୁଇ ମନ୍ତ୍ରୀ ସାରଦା ଓ ପ୍ରୀତିରଞ୍ଜନ ଦଳକୁ ଦୁର୍ବଳ କରୁଥିବା ଗଣମାଧ୍ୟମ ଆଗରେ ସିଧାସଳଖ ଅଭିଯୋଗ ଆଣିଥିଲେ। ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନକଲେ ଜିଲ୍ଲାରେ ବିଜେଡି ସଂଗଠନ ଧ୍ବଂସ ହେବ ବୋଲି ମଙ୍ଗଳା କହିଥିଲେ। ଗୋଷ୍ଠୀ କନ୍ଦଳକୁ ନେଇ ସୁନ୍ଦରଗଡ଼ ବିଜେଡି ରାଜନୀତି ସରଗରମ ଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଭେଟି ଅଧଘଣ୍ଟା ଆଲୋଚନା କରିଥିଲେ ମଙ୍ଗଳା କିଷାନ । ଏହା ପରେ ମନ୍ତ୍ରୀଙ୍କ ମଞ୍ଚ ନୃତ୍ୟ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।