ମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଧମକ ମିଳିବା ପ୍ରସଙ୍ଗ : ମନ୍ତ୍ରୀ ତୁଷାରକାନ୍ତିଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର : ଜଣେ ମହିଳାଙ୍କୁ ପୁରୀ ଜିଲ୍ଲା କାକଟପୁର ସ୍ଥିତ ମଙ୍ଗଳା ମହାବିଦ୍ୟାଳୟରେ ଚାକିରି ଦେବା ଲାଗି ମହାବିଦ୍ୟାଳୟ ଅଧ୍ୟକ୍ଷ କାଳୀଚରଣ ପଟ୍ଟନାୟକଙ୍କୁ ଅସ୍ତରଙ୍ଗ ବ୍ଲକ୍‌ ଅଧ୍ୟକ୍ଷ ସ୍ବାଧୀନ ନାୟକ ଧମକାଇଛନ୍ତି। ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ନାୟକ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପୁଅ। ଏ ସମସ୍ତ ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଏପରି ଅଭିଯୋଗ କରିବା ସହିତ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି।

ଦଳୀୟ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରି କହିଛନ୍ତି, ଜନୈକ ମହିଳାଙ୍କୁ ଚାକିରି ଦେବା ପାଇଁ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ନାୟକ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ଉପରେ ବାରମ୍ବାର ଚାପ ପ୍ରୟୋଗ କରି ଆସୁଥିଲେ। ଆଇନ୍‌ ବହିର୍ଭୁତ କାର୍ଯ୍ୟ ନ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିବା ପରେ ଗତ ଅଗଷ୍ଟ ୨୬ ତାରିଖରେ ମନ୍ତ୍ରୀ ଶ୍ରୀ ବେହେରା ଅସ୍ତରଙ୍ଗ ବ୍ଲକ୍‌ ଅଧ୍ୟକ୍ଷଙ୍କୁ ଭେଟିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କହିଥିଲେ। ମନ୍ତ୍ରୀଙ୍କ କଥାକୁ ଭାଙ୍ଗି ନ ପାରି ଶ୍ରୀ ପଟ୍ଟନାୟକ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ନାୟକଙ୍କୁ ଭେଟିଥିଲେ। ଭେଟିବା ସମୟରେ ସମ୍ପୃକ୍ତ ମହିଳାଙ୍କୁ ଚାକିରି ଦେବା ପାଇଁ ବାଧ୍ୟ କରାଯାଇଥିଲା। ଶ୍ରୀ ପଟ୍ଟନାୟକ ରୋକଠୋକ୍‌ ମନା କରି ଦେଇଥିଲେ। ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ନାୟକ ତତକ୍ଷଣାତ୍‌ ରାଗିଯାଇ ଶ୍ରୀ ପଟ୍ଟନାୟକଙ୍କୁ ଧମକ ଦେଇଥିଲେ। ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶରେ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ନାୟକ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ଧମକ ଦେଇଛନ୍ତି। ଏ ନେଇ ଶ୍ରୀ ପଟ୍ଟନାୟକ କାକଟପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ଗଣମାଧ୍ୟମରେ ଏହି କଥା ଆସିବା ପରେ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଫଳରେ ଗତ ୨ ତାରିଖରେ ପୁଲିସ ବାଧ୍ୟ ହୋଇ କାକଟପୁର ପିଏସ୍‌ କେସ୍‌ ନମ୍ବର ୧୫୯/୨୦୨୦ରେ ମାମଲା ପଞ୍ଜୀକରଣ କରିଛି। ଏବେ ମନ୍ତ୍ରୀଙ୍କୁ କ୍ଲିନ୍‌ ଚିଟ୍‌ ଦେବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି ବୋଲି କଂଗ୍ରେସ ନେତା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ର ଦର୍ଶାଇଛନ୍ତି, ବିଗତ ଦିନରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ରାୟଗଡ଼ା ଜିଲ୍ଲାର ଟିକିରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ଆଣିଥିଲେ। ସମସ୍ତ ଉଚ୍ଚ ପଦାଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ବି କେହି ଶୁଣି ନଥିଲେ। ଶେଷରେ ଇତିଶ୍ରୀଙ୍କୁ ପ୍ରାଣବଳି ଦେବାକୁ ପଡ଼ିଥିଲା। ଏବେ ପୁଣି ଜଣେ ଅଧ୍ୟାପକ ସମାନ ଭାବରେ ସରକାରୀ ଦଳର ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଧମକ ପାଇବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ କରନ୍ତୁ। ତଦନ୍ତ ନ ସରିବା ପର୍ଯ୍ୟନ୍ତ ତୁରନ୍ତ ଶ୍ରୀ ବେହେରାଙ୍କୁ ମନ୍ତ୍ରୀ ପଦରୁ ମୁଖ୍ୟମନ୍ତ୍ରୀ ହଟାନ୍ତୁ ବୋଲି କଂଗ୍ରେସ କହିଛି। ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ, କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ବିଶ୍ବଭୂଷଣ ଦାସ ଓ ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର