ଗତିପଥ ବଦଳାଇଲା ମଙ୍ଗଳା ମୁହାଣ : କୂଳ ଖାଇ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି, ପୁରୀ ସହର ପାଇଁ ଘନଉଛି ବିପଦ

ପୁରୀ : ବାତ୍ୟା ‘ଫନି’ ପରେ କୂଳ ଲଙ୍ଘି ମୁହାଣ ସଂଲଗ୍ନ ରାସ୍ତାକୁ ଧୋଇ ନେଇଥିବା ମଙ୍ଗଳା ନଦୀ ‌‌ଏବେ ଆହୁରି ଉଗ୍ର ହେଲାଣି। ଲଘୁଚାପଜନିତ ଲଗାଣ ବର୍ଷା ପରେ ସମୁଦ୍ର ମୁହାଣ ନିକଟରେ ମଙ୍ଗଳା ନଦୀ ଗତିପଥ ପରିବର୍ତନ କରିଛି। ପ୍ରାକୃତିକ ଗତିପଥ ଅବରୋଧ ପରେ ଏବେ ସମୁଦ୍ର ଜଳ ରାଶି ସହ ମିଶି ମଙ୍ଗଳା ନଦୀର ଉଚ୍ଛୁଳା ଜଳ ପ୍ରାୟ ୨୦ ଫୁଟ୍‌ ଓସାରରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ମୁହାଣ ନିକଟ ବାମପାର୍ଶ୍ବରେ ଏକ ଗତିପଥ ସୃଷ୍ଟି ହୋଇଛି। ଏହି ନୂଆ ବାଟ‌ ଦେଇ ଉଚ୍ଛୁଳା ଜଳ ପ୍ରବେଶ କରୁଥିବାରୁ ଏହା କୂଳ ଖାଇବା ଆରମ୍ଭ କରିଛି। ଯାହା କି ପୁରୀ ସହର ପାଇଁ ବିପଦ। ଯଦି ଏହାର ପ୍ରତିକାର କଥା ଏବେଠୁ ଚିନ୍ତା କରାନଯାଏ ତେବେ ଅଶାନ୍ତ ସମୁଦ୍ରର ଜଳରାଶି ମଙ୍ଗଳା ନଦୀର ଜଳରାଶି ସହ ମିଶି ସହର ଭିତରକୁ ମାଡ଼ି ଆସିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ପୂର୍ବରୁ ବି ପ୍ରାକୃତିକ ଗତିପଥ ଅବରୋଧ ପରେ ମଙ୍ଗଳାନଦୀ ସହ ମିଶି ସମୁଦ୍ର ଜଳରାଶି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଥିଲା। ବେଳାମାର୍ଗ ସଂଲଗ୍ନ ରାସ୍ତାକୁ ଧୋଇନେବା ସହ ସହର ପାଇଁ ବିପଦ ସୃଷ୍ଟି କରିଥିଲା। ଏହାକୁ ନେଇ ରାଜ୍ୟସ୍ତରରେ ହଇଚଇ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରତିନିଧି ଦଳ ଏହି ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଲୋଚନା ପରେ ଗତିପଥରୁ ବାଲି ହଟାଯାଇ ପ୍ରଶସ୍ତ କରାଯିବା ସହ ସୃଷ୍ଟି ହୋଇଥିବା ଅନ୍ୟ ଗତିପଥକୁ ବନ୍ଦ କରାଯାଇଥିଲା। ବାଲିବସ୍ତା ସାଙ୍ଗକୁ ବାଉଁଶ ବାଡ଼ିଆ ହୋଇ ବନ୍ଧ ନିର୍ମାଣ କରାଯାଇଥିଲା। ଏବେ ଲଗାଣ ବର୍ଷା ଫଳରେ ମଙ୍ଗଳା ନଦୀର ଜଳରାଶି ଫୁଲିବାରେ ଲାଗିଛି। ନଦୀର ଜଳରାଶି ଏତେ ଉଚ୍ଚରେ ଚାଲିଛି ଯେ ଅସ୍ଥାୟୀ ନଦୀବନ୍ଧ ବି ଏଥିରେ ବୁଡ଼ିଯାଇଛି। ଯାହା ମଙ୍ଗଳା ନଦୀର ଉଚ୍ଛୁଳା ଜଳକୁ ଅଟକାଇ ପାରୁନି। ଫଳ‌ସ୍ବରୂପ ସମୁଦ୍ର ଜଳରାଶି ସହ ଏହା ମିଶି ଅସ୍ଥାୟୀ ବନ୍ଧ ଡେଇଁ ଆଉ ଏକ ଗତିପଥ ସୃଷ୍ଟି କରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଯେଉଁ ପରିମାଣରେ ଏହା କୂଳ ଖାଉଛି, ତାହା ସହରବାସୀଙ୍କୁ ଆତଙ୍କିତ କରିଛି। ଯଦି ଏହି ମୁହାଣ ସ୍ଥଳଭାଗ ଆଡ଼କୁ ମାଡ଼ି ଆସି ବେଳାମାର୍ଗ ରାସ୍ତା ଧୋଇନେବ ତେବେ ପୁରୀ ସହର ବିପଦ ମୁହଁକୁ ଠେଲି ‌ହୋଇଯିବ।

ସମ୍ବନ୍ଧିତ ଖବର