ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିର ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ଣ ସାଢେ଼ ୫ଟାରେ ମଙ୍ଗଳସୂତ୍ର ଲୁଟ୍ ବେଳେ ବାଇକ୍ରୁ ଖସିପଡ଼ି ମା’ଝିଅ ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ହାତରୁ ସୁନା ଶାଙ୍ଖି ଓ କାଚ ଭିଡ଼ି ନେଇ ଚମ୍ପଟ ମାରିଥିଲେ। ଏପଟେ ଦୁର୍ବୃତ୍ତମାନେ ରାହାଜାନି କରୁଥିବା ବେଳେ ରାସ୍ତାର ଅପରପାର୍ଶ୍ବ ଭାଲୁଖାଇ ଗାଁ ଛକରେ ପୁଲିସ୍ ଚେକିଂ ହେଉଥିଲା।
ପ୍ରକାଶ ଯେ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଣକା ପଞ୍ଚାୟତ ଭୁଲୁକା ଗ୍ରାମର ସଞ୍ଜୟ କୁମାର ରାଉତ ପତ୍ନୀ ରୂପାଲୀ (୨୬) ଓ ଝିଅ ଶୁଭଦର୍ଶିନୀ(୩)ଙ୍କୁ ବାଇକ୍ରେ ବସାଇ କୁଆଖିଆ ଥାନା କରଜଙ୍ଗା ଗ୍ରାମସ୍ଥିତ ଶ୍ବଶୁର ଘରକୁ ଯାଉଥିଲେ। ଏକ କଳାରଙ୍ଗର ପଲସର ବାଇକ୍ରେ ସେମାନଙ୍କୁ ପିଛା କରୁଥିବା ଦୁଇଜଣ ଦୁର୍ବୃତ୍ତ ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟରେ ରୂପାଲୀଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ଥିଲେ। ପ୍ଲାଷ୍ଟିକ୍ ସୂତାରେ ଗୁନ୍ଥା ଯାଇଥିବା ମଙ୍ଗଳସୂତ୍ରଟି ଛିଡ଼ି ନଥିଲା। ଟଣାଭିଡ଼ା ମଧ୍ୟରେ ଝିଅକୁ କୋଳରେ ଧରି ବସିଥିବା ରୂପାଲୀ ବାଇକ୍ରୁ ଖସି ପଡ଼ିଥିଲେ। ରାସ୍ତାରେ ପଡ଼ିଗଲା ପରେ ଜଣେ ଦୁର୍ବୃତ୍ତ ରୂପାଲୀଙ୍କ ବାମ ହାତରୁ ସୁନା ଶାଙ୍ଖି ସମେତ ସମସ୍ତ କାଚ ଭିଡ଼ି ନେଇଥିଲା। ପରେ ଲୁଟେରାଦ୍ବୟ ବାରବାଟି ଅଭିମୁଖେ ଚମ୍ପଟ ମାରିଥିଲେ। ଆହତ ମା’ ଓ ଝିଅଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରୂପାଲିଙ୍କ ମୁଣ୍ତରେ ଗଭୀର କ୍ଷତ ହୋଇଥିବା ବେଳେ ଗୋଟିଏ ହାତ ଭାଙ୍ଗିଯାଇଛି। ସେହିପରି ଝିଅ ଶୁଭଦର୍ଶିନୀ ମୁଣ୍ତରେ ଆଘାତ ଲାଗିଛି। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/୧୪-1.jpg)