ରାଉରକେଲା: ଦୀର୍ଘ ୪୬ ବର୍ଷ ପରେ ବଲାଣି ଖଣିରୁ ମାଙ୍ଗାନିଜ ଖନନ ଆରମ୍ଭ ହୋଇଛି। ରାଉରକେଲା ଇସ୍ପାତ କାରଖାନାର ଓଡ଼ିଶା ଗ୍ରୁପ୍ ଅଫ୍ ମାଇନ୍ସ ଅଧୀନସ୍ଥ ଏହି ଖଣିରୁ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର ଟନ୍ ମାଙ୍ଗାନିଜ୍ ପଠାଯାଇଥିଲା। ଆର୍ଏସ୍ପି ଖଣି ବିଭାଗର ଇଡି ଆଲୋକ ବର୍ମା, ସିଜିଏମ୍(ଖଣି) ଜୟଦେବ ଚାଟୋପାଧ୍ୟାୟ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ନୀତିରେ ପରିବର୍ତ୍ତନ ତଥା ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସମେତ ବିଭିନ୍ନ କାରଣରୁ ୧୯୭୭ ମସିହାରୁ ଏହି ଖଣି ବନ୍ଦ ରହିଥିଲା। ଏଠାରେ ମାଙ୍ଗାନିଜ୍ ଧାତବ ଖନନ ଉପରେ ଅଙ୍କୁଶ ଲଗାଯାଇଥିଲା। ତେବେ ସମସ୍ତ ଆବଶ୍ୟକୀୟ ନିୟମ ପୂରଣ କରିବାପରେ ପୁନର୍ବାର ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଣି ମାଇନ୍ସକୁ ଆବଣ୍ଟିତ ଅଞ୍ଚଳରେ ମାଙ୍ଗାନିଜ ଉପଲବ୍ଧ। ଲିଜ୍ ହୋଇଥିବା ଅଞ୍ଚଳରେ ୧୧ ଟି କ୍ଵାରି ରହିଥିବାବେଳେ ବର୍ତ୍ତମାନ ୧୦ ନମ୍ବର କ୍ବାରିରୁ ଖଣିଜ ଉତ୍ତୋଳନ କରାଯାଉଛି। ଏହି ମାଙ୍ଗାନିଜ୍ ମୁଖ୍ୟତଃ ଚନ୍ଦ୍ରପୁର ଫେରୋ ଆଲୟ ପ୍ଲାଣ୍ଟ (ସିଏଫ୍ପି)ରେ ବ୍ୟବହୃ୍ତ ହେବ। ଅବଶ୍ୟକତା ଅନୁଯାୟୀ ସେଲ୍ର ବିଭିନ୍ନ ୟୁନିଟ୍ରେ ଏହାକୁ ବ୍ୟବହାର କରାଯିବ।