ରାୟଗଡ଼ା: ରାୟଗଡା ଜିଲ୍ଲା ସପୁରୀ ଏବଂ ଆମ୍ବ ଚାଷ ପାଇଁ ବେଶ ପରିଚିତ। ଜିଲ୍ଲାରେ ପ୍ରଚୁର ଆମ୍ବ ଚାଷ କରାଯାଏ। କିନ୍ତୁ ବଜାର ନଥିବାରୁ ଚାଷୀ ହତାଶ ହୋଇଛନ୍ତି। ଜିଲ୍ଲାର କାଶୀପୁର, ମୁନିଗୁଡା, ବିଷମକଟକ ଭଳି ଅଂଚଳରେ ଆମ୍ବର ରାଜା କୁହାଯାଉଥିବା ଆମ୍ରାପଲୀ, ଦଶହରୀ, ତୋଟାପୁରୀ, ବାଇଗଣପାଲୀ, ଲେଙ୍ଗାଡା ଭଳି ସୁସ୍ବାଦୁ ଆମ୍ବ ଚାଷ କରାଯଏ। ଏହି ଆମ୍ବଗୁଡିକର ବଜାରରେ ଚାହିଦା ରହିଥିବାରୁ ଉଦ୍ୟାନ ବିଭାଗ ପକ୍ଷରୁ ଜିଲ୍ଲାର୧୫,୨୩୦ ହେକ୍ଟର ଜମିରେ ଆମ୍ବ ଚାଷ କରାଯାଉଛି। ସେଥିରୁ କାଶୀପୁର ବ୍ଲକରେ ୪୨୦୦ ହେକ୍ଟର ଜମିରେ ଆମ୍ବ ଚାଷ କରାଯାଉଛି।
ସେହିପରି ଜିଲ୍ଲାରେ ୯୮୩୦ ହେକ୍ଟର ଜମିରେ ୩୪,୪୦୫ ମ୍ୟାଟ୍ରିକ ଟୋନ ଆମ୍ବ ଫଳୁଛି। ତେବେ କାଶୀପୁର ବ୍ଲକରେ ୨୮୦୦ ହେକ୍ଟର ଜମିରେ ୯୫୦୦ ମ୍ୟାଟ୍ରିକ ଟନ ଆମ୍ବ ଫଳୁଥିବା ବିଭାଗ କହୁଛି। ବିଶେଷକରି କାଶୀପୁର ଅଂଚଳରେ ଉପରୋକ୍ତ ଆମ୍ବଗୁଡିକ ଡେରିରେ ପାଚୁଥିବାରୁ ଏହାର ଚାହିଦା କମୁଥିବା ସ୍ଥାନୀୟ ଚାଷୀ ବିଶ୍ବମ୍ବର ନାୟକ ପ୍ରକାଶ କରିଛନ୍ତି। କାଶୀପୁର ବ୍ଲକର କାଶୀପୁର, ଖୁରିଗାଁ, ତାଲାଝିରି, ଆଡାଜର, ସୁଙ୍ଗେର, ସୁନ୍ଦରଘାଟି, ଚନ୍ଦ୍ରଗିରି, ମନସୁଗାଁ, ଗୋଦିବାଲି, ମାଣ୍ଡିବିସି, କୋଡିପାରୀ ଏବଂ ହାଡିଗୁଡା ପଞ୍ଚାୟତ ଭଳି ୧୫ଟି ପଞ୍ଚାୟତର ୪୨୦୦ ହେକ୍ଟର ଜମିରେ ଆମ୍ବ ଚାଷ କରାଯାଉଛି।
ତେବେ ଯେତେବେଳେ ଦାମ ୮୦ରୁ ୧୦୦ ଥାଏ ସେତେବେଳେ ଆମ୍ବ ପାଚିନଥାଏ। ଯେତେବେଳେ ଆମ୍ବ ପାଚେ ସେତେବେଳେ ଦାମ ୧୦ରୁ ୧୨ ଟଂକାରେ ବିକ୍ରି କରିବାକୁ ବାଧ୍ୟ ହୋଇଥାଉ ବୋଲି ଚାଷୀ ପ୍ରକାଶ କରିଛନ୍ତି। ବେପାରୀ ଆମ୍ବ ବାଡକୁ ଯାଇ ୧୦ରୁ ୧୨ ଟଂକାରେ ଆମ୍ବ କିଣି ଆଣି ବଜାରରେ କିନ୍ତୁ ପଚାଶରୁ ଅଶୀ ଟଂକାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏବେ ପୁଣି ବର୍ଷା ଆରମ୍ଭ ହୋଇଥିବାରୁ ଆମ୍ବ ନଷ୍ଟ ହେବାକୁ ବସିଲାଣି। ଗୋଟିଏ ଦିଗରେ ଟନ୍ ଟନ୍ ଆମ୍ବ ବଗିଚାରେ ପଡି ରହିଥିବା ବେଳେ ବଜାର ନଥିବାରୁ ସେସବୁ ଆମ୍ବକୁ ଚାଷୀ ବିକ୍ରି କରିପାରୁନାହାନ୍ତି। ବେପାରୀଙ୍କୁ ଶାଗମାଛ ଦରରେ ଆମ୍ବ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଚାଷୀ କହନ୍ତି।
ଅନ୍ୟଦିଗରେ ଓରମାସ ଏବଂ ଓଏଲଏମ ତରଫରୁ ଚାଷୀଙ୍କ ଆମ୍ବକୁ କିପରି ବଜାର ଦର ମିଳିବ ସେନେଇ କୌଣସି ପ୍ରଚେଷ୍ଟା କରାଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି।ପ୍ରକାଶ ଥାଉକି ଓରମାସ ତରଫରୁ ଆମ୍ବ ମେଳା କରାଯାଇ ଚାଷୀଙ୍କ ଆମ୍ବକୁ ବିକ୍ରି କରିବା ପାଇଁ ପ୍ରୟାସ କରାଯାଇଥିଲା। ଚାଷୀଙ୍କ ଠାରୁ କମ୍ ଦାମରେ ଆମ୍ବ କିଣିଆଣି ଚଢା ଦରରେ ଆମ୍ବ ମେଳାରେ ଆମ୍ବ ବିକ୍ରି କରାଯିବାରୁ ଗ୍ରାହକ ମେଳାରେ ପାଦ ପକାଇନଥିଲେ। ଯଦ୍ବାରା କ୍ବିଣ୍ଟାଲ କ୍ବିଣ୍ଟାଲ ଆମ୍ବ ବିକ୍ରି ନହୋଇ ପଡି ରହିଲା। ଅନ୍ୟଦିଗରେ ପଡ଼ୋଶୀ ରାଜ୍ୟ ଏହି ଆମ୍ବର ଦରକୁ ନିର୍ଦ୍ଧାରଣ କରୁଥିବା ଅଭିଯୋଗ ମଧ୍ୟ ହେଉଛି। ପଡୋଶୀ ରାଜ୍ୟରୁ କଞ୍ଚା ଆମ୍ବକୁ ଜବରଦସ୍ତ କେମିକାଲ ଦେଇ ପଚାଯାଇ ବଜାରରେ ଚଢା ଦରରେ ବିକ୍ରି କରାଯାଉଛି। କିନ୍ତୁ ସ୍ଥାନୀୟ ଅଂଚଳର ଏକ ନମ୍ବର ଆମ୍ବକୁ କମ୍ ଦାମରେ ବେପାରୀ ମାଗିବା ସହ ଏହାର ବଜାର ଦର ନଥିବା କହି ଚାଷୀଙ୍କୁ ହତାଶ କରାଯାଉଛି ବୋଲି ଅଭିଯୋଗ ହୋଇଛି।
ଏବେ କାଶୀପୁର ଅଂଚଳରେ ଟନ୍ ଟନ୍ ଆମ୍ବ ଚାଷୀଙ୍କ ନିକଟରେ ରହିଥିବା ବେଳେ ଏତେ ଆମ୍ବକୁ ନେଇ କଣ କରିବେ ଚିନ୍ତାରେ ପଡିଛନ୍ତି। ଆମ୍ବଗୁଡିକ କଳା ପଡିଯିବାରୁ ବେପାରୀମାନେ ମଧ୍ୟ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି। କିଛି ଚାଷୀ ଆମ୍ବକୁ ବାହାର ରାଜ୍ୟକୁ ପଠାଇ ମଧ୍ୟ କ୍ଷତି ସହିଥିବା କହନ୍ତି। ସରକାର ଏବଂ ପ୍ରଶାସନର ପ୍ରତ୍ସାହନ ଅଭାବ ଯୋଗୁଁ ଆମ୍ବ ଚାଷୀ ହତାଶ ହେଉଥିବା ଅଭିଯୋଗ ହୋଇଛି। ବିଭାଗରେ କାମ କରୁଥିବା କର୍ମଚାରୀ ମାର୍କେଟିଂ ବିଷୟରେ ଅଭିଜ୍ଞ ନଥିବା ଚାଷୀ ଅଭିଯୋଗ କରିଛନ୍ତି।ଜିଲ୍ଲାର ଆମ୍ବକୁ କିପରି ବିକ୍ରି କରାଯାଇ ଚାଷୀକୁ ଦିପଇସା ଅଧିକା ମିଳିବ ସେନେଇ ପ୍ରଶାସନ କୌଣସି ପ୍ରକାର ସହଯୋଗ କରୁନଥିବା ଚାଷୀ କହିଛନ୍ତି। ପ୍ରତିବର୍ଷ କ୍ଷତି ସହୁଥିବାରୁ ଚାଷୀ ଆମ୍ବ ଚାଷ ପ୍ରତି ବିମୁଖ ହେବା ସହ ଆମ୍ବ ଗଛ କାଟି ଅନ୍ୟ ଚାଷ କରିବା ପାଇଁ ମନ ବଳାଉଥିବା ଦେଖିବାକୁ ମିଳିଛି। ସରକାର ଏବଂ ପ୍ରଶାସନର ସହଯୋଗ ରହିଲେ ଆମ୍ବ ଚାଷୀ ଆଗକୁ ଭଲ ଦିପଇସା ପାଇବେ ବୋଲି କୁହାଯାଇଛି।