ଜଗମୋହନପୁର : ତେଲକୋଇ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ସେଥିରୁ ମୁକ୍ତି ପାଇଁ ଲୋକମାନେ ପ୍ରମାଦ ଗଣୁଛନ୍ତି। କିଛି ଦିନ ପୂର୍ବେ ସରୁଆଳି ଗ୍ରାମର ସନାତନ ଖୁଣ୍ଟିଆ (୨୮) ଓ କୁନା ଖୁଣ୍ଟିଆ (୨୯)ଙ୍କର ଆମ୍ଵ ବଗିଚାରେ ଏକ ୪ ଟିକିଆ ହାତୀ ପଲ ପଶି ଆମ୍ବଗଛ ଭାଙ୍ଗି ନଷ୍ଟ ଭ୍ରଷ୍ଟ କରି ଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ କୁନା ଖୁଣ୍ଟିଆଙ୍କ ବଗିଚାରେ ପଶି କେତେକ ମୂଲ୍ୟବାନ ଆମ୍ବ ଗଛ ମୂଳରୁ ଉପାଡି ଦେଇଛି। ସନାତନଙ୍କର ୬ଟି ଓ କୁନାର ୪ଟି ଗଛ ଭାଙ୍ଗି ଦେଇଥିବା ବେଳେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆମ୍ବ ନଷ୍ଟ ହୋଇଛି। ଫଳରେ ଉଭୟ ଚାଷୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Advertisment

ଦୁଇ ସପ୍ତାହ ମଧ୍ୟରେ ଦୁଇ ଥର ହାତୀ ଉପଦ୍ରବ କରି ସାରିଲେଣି ଆମ୍ବ ବଗିଚା। ମାସ ମାସ ଧରି ଜଗୁ ଥିବା ବଗିଚା ରାତିରେ ସର୍ବନାଶ କରୁଛନ୍ତି ହାତୀ ଏବଂ ବନ ବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ତଦନ୍ତ ପାଇଁ କୌଣସି କର୍ମଚାରୀ ଆସୁନଥିବା କଥା ସନାତନ ଓ କୁନା ବଖାଣିଛନ୍ତି। ହାତୀ ଘଉଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ ଓ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ସାଧାରଣରେ ଦାବି ହେଉଛି।