ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରୁ ଉତ୍ପାଦିତ  ଫଳ ଓ ପନିପରିବାର ବଜାର ସୃଷ୍ଟି ସହିତ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସହର ଉପକଣ୍ଠ ଗୋବିନ୍ଦପୁରଠାରେ ୧୧ କୋଟି ବ୍ୟୟରେ ନିର୍ମାଣ ହୋଇଥିଲା ଫଳ ଓ ପନିପରିବା ସଂରକ୍ଷଣ କେନ୍ଦ୍ର (ମ୍ୟାଙ୍ଗୋ ହବ୍)। ପରିଚାଳନାଗତ ତ୍ରୁଟି ଯୋଗୁଁ  ୩ ବର୍ଷ ଚାଲିବା ପରେ ଏହା ବନ୍ଦ ହୋଇଯାଇଛି। ତା’ ପରଠାରୁ ଦୀର୍ଘ ୮ ବର୍ଷ ଧରି ଏହି କେନ୍ଦ୍ରରେ ତାଲା ପଡ଼ି ରହିବା ଯୋଗୁଁ ଆସବାବପତ୍ର ଏବଂ ମେସିନ୍‌ଗୁଡିକ ନଷ୍ଟ ହେବାରେ ଲାଗିଛି। ଯେଉଁ ଉଦ୍ଦେଶ୍ୟରେ ଏହା ଖୋଲାଯାଇଥିଲା, ସେଥିରେ ସଫଳତା ପାଇଁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।

Advertisment

ସୂଚନା ଅନୁଯାୟୀ, ଜିଲ୍ଲାରେ ଉନ୍ନତମାନର ଆମ୍ବ ଉତ୍ପାଦନକୁ ଦୃଷ୍ଟିରେ ରଖି ଏବଂ ଢେଙ୍କାନାଳ, ଅନୁଗୁଳ, କାମାକ୍ଷାନଗର, ଗଜପତି, ବୌଦ୍ଧ, ସୋନପୁର, କଟକ, ଯାଜପୁର, ଦେବଗଡ଼ ଆଦି ଅଞ୍ଚଳରେ କ୍ଷୁଦ୍ର ଓ ନାମମାତ୍ର ଆମ୍ବଚାଷୀଙ୍କୁ ଉଚିତ ମୂଲ୍ୟରେ ବଜାର ଯୋଗାଇ ଦେବା ଲାଗି ‘ମ୍ୟାଙ୍ଗୋ ହବ୍’ ନିର୍ମାଣ କରାଯାଇଥିଲା। ୨୦୧୩ ମସିହା ଜୁନ୍ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ସଂରକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଷ୍ଟ୍ରୀୟ ଉଦ୍ୟାନ କୃଷି ମିସନ୍‌ ପକ୍ଷରୁ ୮ କୋଟି ଟଙ୍କା, ଉଦ୍ୟାନ ଉନ୍ନୟନ ସମିତିରୁ  ୨ କୋଟି ଟଙ୍କା ଏବଂ ସ୍ଥାନୀୟ ଆମ୍ବ ଚାଷୀମାନଙ୍କଠାରୁ ୧ କାଟି ଟଙ୍କା ଏପରି ମୋଟ ୧୧ କୋଟି ଟଙ୍କା ବ୍ୟୟରେ  ୪ ଏକର ୯ ଡେସିମିଲ ଜମି ଉପରେ ଏହା  ନିର୍ମିତ ହୋଇଛି। ଫଳ ଓ ପନିପରିବାକୁ ସୁରକ୍ଷିତ ରଖି ବିପଣନ ପାଇଁ ଏହାର ନାମ ରଖାଯାଇଥିଲ‘ଢେଙ୍କାନାଳ ଫ୍ରୁଟ୍‌ସ ଆଣ୍ଡ ଭେଜିଟେବୁଲସ୍ ମାର୍କେଟିଂ କମ୍ପାନି ଲିମିଟେଡ୍’। ପିପିପି ମୋଡ୍‌ରେ ଚାଲୁଥିବା ଏହି ପ୍ରକଳ୍ପ  ୩ ବର୍ଷ ଚାଲିବା ପରେ ୨୦୧୬ ମସିହାରେ ସରକାର ହାତକୁ ନେବା ପରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହା  ବନ୍ଦ ହୋଇଯାଇଥିଲା। ଦୀର୍ଘ ବର୍ଷଧରି ଏହା ବନ୍ଦ ହୋଇ ପଡ଼ିବା ଯୋଗୁଁ ତା’ମଧ୍ୟରେ ରହିଥିବା ଶୀତଳଯନ୍ତ୍ର, ଅନ୍ୟାନ୍ୟ ଯନ୍ତ୍ରାଂଶ ଏବଂ  ପ୍ରକଳ୍ପ ଗୃହଗୁଡିକ ନଷ୍ଟ ହେବାରେ ଲାଗିଛି।

ଢେଙ୍କାନାଳ ଜିଲ୍ଲାରେ ଦୋସରୀ, ମଲ୍ଲିକା, ଆମ୍ରପଲ୍ଲୀ, ଲେଙ୍ଗେଡ଼ା ଆଦି ଆମ୍ବ ଚାଷୀ ଓ ବେପାରୀଙ୍କଠାରୁ କିଣାଯାଇ ବଜାର ସୃଷ୍ଟି କରିବାକୁ ଏହି ‘ମ୍ୟାଙ୍ଗୋ ହବ୍’ କାର୍ଯ୍ୟକାରୀ ହୋଇଥିଲା। ଆମ୍ବ ଅମଳ ପରେ ସେଠାରେ ପନିପରିବା, ଫଳ ସଂରକ୍ଷଣ କାର୍ଯ୍ୟରେ ବ୍ୟବହାର କରାଯାଇଥା’ନ୍ତା ।  ହେଲେ ତାହା ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଥିବାରୁ ପ୍ରକୃତ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା ସାଧାରଣରେ ଆଲୋଚନା ହେଉଛି।
ଏ ସଂପର୍କରେ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶିକା ଗୀତାଶ୍ରୀ ପାଢ଼ୀ କୁହନ୍ତି ଯେ, ମ୍ୟାଙ୍ଗୋ ହବ୍‌ ଖୋଲିବା ସଂପର୍କରେ କୌଣସି ନିଷ୍ପତ୍ତି ଅଦ୍ୟାବଧି ସରକାରୀସ୍ତରରେ ନିଆଯାଇ ନାହିଁ।