ଖୋର୍ଦ୍ଧା : ଚଳିତ ବର୍ଷ ଆମ୍ବ ଭଲ ଫିଳିଥିଲା। ଆମ୍ବ ଦର କମିବା ଆଶା କରାଯାଉଥିଲା। କିନ୍ତୁ ଖୋର୍ଦ୍ଧା ବଜାରରେ ଆମ୍ବ ଦର ଜୁନ୍ ମାସ ପ୍ରଥମ ସପ୍ତାହରେ ୫–୬ ଦିନ ପାଇଁ ୫୦ଟଙ୍କାକୁ ଖସି ପୁଣି ବଢ଼ିଲା। ତୃତୀୟ ସପ୍ତାହ ବେଳକୁ ବଜାରରୁ ଆମ୍ବ ପ୍ରାୟତଃ ଗାଏବ ହୋଇଯାଇଛି। ଖୋର୍ଦ୍ଧା ବଜାରରେ ରଥଯାତ୍ରା ସମୟରେ ଦେଶୀ ଆମ୍ବଠାରୁ ଆରମ୍ବ କରି ଉତ୍ତର ପ୍ରଦେଶରୁ ଆସୁଥିବା ଦସହରି, ଆନ୍ଧପ୍ରଦେଶରୁ ଆସୁଥିବା ସୁନ୍ଦରୀ, ବାଇଗଣପଲି, ଆଖୁରସ, ରାଜ୍ୟର ଢେଙ୍କାନାଳ, ବୌଦ୍ଧ, ମୟୂରଭଂଜ଼ ଆଦିରୁ ଆସୁଥିବା ଲେଙ୍ଗଡ଼ା, ଆମ୍ରପଲ୍ଲୀ ଆଦି ପ୍ରାୟ ୧୦–୧୨ ପ୍ରକାର ଆମ୍ବ କିଣିବାକୁ ମିଳିଥାଏ। କିନ୍ତୁ ଚଳିତ ବର୍ଷ ରଥଯାତ୍ରା ବେଳକୁ ବଜାରରେ କେବଳ ସନ୍ଥେସା ଓ ଉତ୍ତର ପ୍ରଦେଶରୁ ଆସୁଥିବା ଦସହରି ଆମ୍ବ ହିଁ ମିଳୁଛି। ଆଖୁରସ, ଲେଙ୍ଗଡ଼ା, ଆମ୍ରପଲି ଆମ୍ବର ଦେଖା ମଳୁନଥିବା ବେଳେ ବାଇଗଣପଲି କାଁଭାଁ ଦେଖିବାକୁ ମିଳୁଛି।
ଆଜି ବଜାର ଦରରେ ସନ୍ଥେସା ଦର ୬୦ରୁ ୭୦ଟଙ୍କା ଥିବା ବେଳେ ଦସହରି ଦର କିଲୋଗ୍ରାମ ପିଛା ୮୦ ଟଙ୍କା ରହିଛି। ଭଲ ବାଇଗଣପଲି କିଲୋଗ୍ରାମ ପିଛା ଦର ୧୦୦ଟଙ୍କାରୁ ୧୨୦ଟଙ୍କା ରହିଛି। ଖୋର୍ଦ୍ଧା ସମବାୟ ବ୍ୟାଙ୍କ ନିକଟରେ ଫଳ ବ୍ୟବସାୟ କରୁଥିବା ବେଣୁଧର ସିଂହ କହନ୍ତି, ସାଧାରଣତଃ ଏପ୍ରିଲ୍ଠାରୁ ଜୁଲାଇ ମଧ୍ୟରେ ମାସକୁ ୫ରୁ ୬ଲକ୍ଷ ଟଙ୍କାର ଆମ୍ବ ବ୍ୟବସାୟ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଏହା ମାସକୁ ଦେଢ଼ ଲକ୍ଷ ଟଙ୍କାକୁ ଖସି ଆସିଛି। ବାହାରୁ ଏହି ସମୟରେ ଦୈନିକ ୫–୬ ଟ୍ରକ୍ ଆମ୍ବ ଖୋର୍ଦ୍ଧା ବଜାରକୁ ଆସିଥାଏ। ଚଳିତ ବର୍ଷ ୧ରୁ ୨ଟ୍ରକ୍ ଆସୁଛି। ଦୋକାନବଜାର ବନ୍ଦ ରହୁଥିବାରୁ ଆମ୍ବଗୁଡ଼ିକ ପଚିସଢ଼ି ଯାଉଛି, ଏଣୁ ଅନେକ ଦିନ କ୍ଷତିରେ ହିଁ ଆମ୍ବ ବ୍ୟବସାୟ ଚାଲୁଛି। ସେହିଭଳି ଆମ୍ବ ବ୍ୟବସାୟୀ ଟି ବାଲା ପାତ୍ରଙ୍କ କହିବା ଅନୁସାରେ, ଚଳିତ ବର୍ଷ ଆମ୍ବ ଆସିବାରେ କିଛି ସମସ୍ୟା ନାହିଁ। ବାହାର ରାଜ୍ୟର ବ୍ୟବସାୟୀ ଫୋନ୍ କରି ଆମ୍ବ ନେବାକୁ କହୁଛନ୍ତି। କିନ୍ତୁ କରୋନା ମହାମାରୀ ଯୋଗୁଁ ୮ ଘଣ୍ଟିଆ ବଜାର ଖୋଲା ନିଷ୍ପତ୍ତି ଯୋଗୁଁ ଆମ୍ବ ଉଠାଉନାହୁଁ। ଗୋଦାମରେ ମଧ୍ୟ ଆମ୍ବ ୨–୩ ଦିନରୁ ଅଧିକ ରହିପାରିବ ନାହିଁ, ନଷ୍ଟ ହେବା ସମ୍ଭାବନା ଅଧିକ। ସେ କହିଛନ୍ତି ଚଳିତ ବର୍ଷ ଆମ୍ବ ବ୍ୟବସାୟ ଯୋଗୁଁ ସେ କ୍ଷତିରେ ଅଛନ୍ତି। ପ୍ରତିବର୍ଷ ଏପ୍ରିଲ୍ ଠାରୁ ଜୁନ୍ ସେ ଦୈନିକ ୫–୬ହଜାର ଟଙ୍କାର ଆମ୍ବ ବିକ୍ରି କରିଥାନ୍ତି କିନ୍ତୁ ଚଳିତ ବର୍ଷ ଏହା ପ୍ରାୟ ଅଧା ହୋଇଯାଇଛି।