ଆମ୍ବଗଛ ପାଇଁ ଚଳିତ ବର୍ଷ ୫ ହଜାରରୁ ଅଧିକ ଟାକୁଆ ପୋତିଛନ୍ତି ପର୍ଶୁରାମ ପ୍ରଧାନ

ପ୍ରତାପୁର: ଫଳ ଭିତରେ ରାଜା ଆମ୍ବ। କିଏ ବା ନଖାଇବାକୁ ଭଲ ପାଏ। ପିଲାଠୁ ବୁଢ଼ା ସମସ୍ତଙ୍କ ପ୍ରିୟ ହେଲା ଆମ୍ବ। ହେଲେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ନିରବଚ୍ଛିନ୍ନ ଆମ୍ବଗଛ ଲଗାଇ ଚର୍ଚ୍ଚାର ଘେରକୁ ଆସିଛନ୍ତି ‘ମାଙ୍ଗୋମ୍ୟାନ’ ପର୍ଶୁରାମ ପ୍ରଧାନ (୭୪)। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡ଼ା ପଞ୍ଚାୟତ କେପିଟି ଗ୍ରାମର ବାସିନ୍ଦା ପର୍ଶୁରାମ ଚଳିତ ବର୍ଷ ବି ଏହି ଅଭିଯାନକୁ ଜାରି ରଖି ୫ ହଜାରରୁ ଅଧିକ ଟାକୁଆ ସଂଗ୍ରହ କରି ଏହାକୁ ପୋତିଛନ୍ତି। ତାଙ୍କର ଏହି ପ୍ରୟାସକୁ ବନ ବିଭାଗ ବି ପ୍ରଶଂସା କରିଛି।

ପର୍ଶୁରାମ ନାଗାଲ୍ୟାଣ୍ଡ୍‌ରେ ଆର୍ମର୍ ଅଫିସର୍ ଭାବେ କାର୍ଯ୍ୟ କରୁଥିବା ବେଳେ ଅବସର ପରେ ନିଜ ଗାଁ କେପିଟି ଫେରିଆସିଥିଲେ। ନିଜର କୌଣସି ସନ୍ତାନସନ୍ତତି ନଥିବା ବେଳେ ପତ୍ନୀ ମଧ୍ୟ ଆରପାରିକୁ ଚାଲିଗଲେ। ତଥାପି ସେ ଭାଙ୍ଗି ନଥିଲେ। ନିଜେ ବାଡ଼ିବଗିଚାରେ ଆମ୍ବଗଛ ଲଗାଇ ଅଭିଯାନ ଆରମ୍ଭ କରିଥିଲେ। ବାଡ଼ିରେ ଆମ୍ବଗଛ ଭରପୂର ହୋଇଯିବା ପରେ ସେ ଜଙ୍ଗଲ ମଧ୍ୟରେ ଓ ରାସ୍ତାକଡ଼ରେ ବନ ବିଭାଗର ସମ୍ମତି କ୍ରମେ ଗଛ ରୋପଣ କରିଥିଲେ। ଆଉ ଆମ୍ବଗଛକୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରିନେଇ ପଛକୁ ଫେରି ନଥିଲେ।

ଆମ୍ବ ସିଜନରେ ପର୍ଶୁରାମ ଘରକୁ ଘର ବୁଲି ଟାକୁଆ ସଂଗ୍ରହ କରିଥାନ୍ତି। ସବୁଠୁ ଉଲ୍ଲେଖନୀୟ କଥା ହେଲା, ଗାଁର ଅନେକ ଲୋକେ ଟାକୁଆକୁ ଏଣେତେଣେ ନ ଫୋପାଡ଼ି ତାଙ୍କ ଘର ପାଖରେ ପହଞ୍ଚାଇଦିଅନ୍ତି। ଝୁଡ଼ିରେ ସଂଗୃହୀତ ଟାକୁଆ ନେଇ ପର୍ଶୁରାମ ଜଙ୍ଗଲ ଅଭିମୁଖେ ବାହାରିବା ସହ ଖାଲିସ୍ଥାନ ପାଇବା କ୍ଷଣି ପୋତି ଦେଇଥାନ୍ତି। ସେହିପରି କେଉଁ ସ୍ଥାନରେ ଗଛ ଭଲ ବଢ଼ିବ ତାହା ବି ପର୍ଶୁରାମଙ୍କୁ ଜଣା। ବର୍ତ୍ତମାନ ସମୟରେ ଟାକୁଆ ଅଧିକ ମିଳୁଥିବାରୁ ନିଜସ୍ବ ଖର୍ଚ୍ଚରେ ମୂଲିଆ ମାନଙ୍କୁ ନିୟୋଜତ କରିଛନ୍ତି। ଜଙ୍ଗଲକୁ ଟାକୁଆ ବୋହି ପୋତୁଛନ୍ତି।

ଚଳିତ ବର୍ଷ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଆମ୍ବ ଟାକୁଆ ଜଙ୍ଗଲରେ ପୋତାଯାଇଥିବା ପର୍ଶୁରାମ କହିଛନ୍ତି। ବହୁବର୍ଷ ହେଲା ପର୍ଶୁରାମ ଏହି କାର୍ଯ୍ୟ ଜାରି ରଖିଥିବା ବେଳେ ଆମ୍ବ ଗଛ ଦେଖିଲେ ତାଙ୍କର ସବୁ ଦୁଃଖ ଦୂର ହୋଇଯାଉଛି ବୋଲି ସେ କହିଛନ୍ତି। ନିଜ ସମୟକୁ ଗଛ ମାନଙ୍କ ଗହଣରେ ସେ ବିତାଇବା ସହ ଏକୁଟିଆ ସେଗୁଡ଼ିକର ଯତ୍ନ ନେଉଛନ୍ତି। ସେହିପରି ଆମ୍ବଗଛ ରୋପଣ କଲେ ଖାଇବାକୁ ଫଳ ମିଳିବା ସହ ପଶୁପକ୍ଷୀ ବି ଉପକୃତ ହେବେ ବୋଲି ‌ପର୍ଶୁରାମ କହିଛନ୍ତି। ଜଙ୍ଗଲ ସୃଷ୍ଟି ପାଇଁ ପର୍ଶୁରାମଙ୍କ ଏହି ମହତ ପ୍ରୟାସ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବନ ବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର