ବ୍ରହ୍ମପୁରରେ ଖୋଲିଲା ଆମ୍ବ ବଜାର, ଦିନକରେ ଏକ ଟନ୍ ଆମ୍ବ ବିକ୍ରି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ, ଓରମାସ୍ ଓ ଓଡ଼ିଶା ଜୀବିକା ମିସନ୍ ମିଳିତ ଉଦ୍ୟମରେ ବ୍ରହ୍ମପୁର ଠାରେ ‘ଗାଁ ଆମ୍ବ ପସରା’ ଆରମ୍ଭ ହୋଇଛି। ବିଭିନ୍ନ ଜିଲ୍ଲାର ଚାଷୀଙ୍କ ଉତ୍ପାଦିତ ସୁସ୍ବାଦୁ ଆମ୍ବ ଚାଷୀଙ୍କ ଠାରୁ ଆଣି ସୁଲଭ ଦରରେ ଲୋକଙ୍କୁ ଯୋଗଇବା ଏବଂ ମହିଳଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରଶାସନ ନୂତନ ପଦକ୍ଷେପ ନେଇଛି। ବ୍ରହ୍ମପୁର ସହରର ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟସ୍ଥ ବୈକୁଣ୍ଠ ନଗର ଭେଣ୍ଡି ଜୋନ୍ ଠାରେ ଗାଁ ଆମ୍ବ ପସରା ଆରମ୍ଭ ହୋଇଛି। ଏଥିରେ ୮ଟି ଜିଲ୍ଲାରୁ ଆମ୍ବ ଆଣି ସୁଲଭ ଦରରେ ଲୋକଙ୍କୁ ବିକ୍ରି କରାଯାଉଛି। ଦୁଇ ଟନ୍ ଆମ୍ବ ଆସିଥିବା ବେଳେ ସେଥିରୁ ପ୍ରଥମ ଦିନରେ ଏକ ଟନ୍ ଆମ୍ଭ ବିକ୍ରି ହୋଇଛି। ଏଥିସହ ନୂତନ କିସମର ଆମ୍ବ ବ୍ରିକି ହେଉଥିବାର ଏହାର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ପ୍ରଥମ ଥର ‘ଗାଁ ଆମ୍ବ ପସରା’ ଆରମ୍ଭ ହୋଇଛି।  ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଓ କୋରାପୁଟ ଜିଲ୍ଲାରୁ ଆମ୍ବ ଆସୁଛି। ସେଥିରେ ଆମ୍ରପାଲ୍ଲୀ, ବମ୍ବେ ଗ୍ରୀନ୍, ସୁନ୍ଦରୀ, ଦଶେରୀ, ବାଇଗଣପଲ୍ଲୀ, ହିମ୍‌ସାଗର, ନିଲମ୍, ମଲ୍ଲିକା ଓ ଲେଙ୍ଗଡ଼ା ଆମ୍ବ ରହିଛି। ଆଜି ଠାରୁ ଆମ୍ବ ବିକ୍ରି ଆରମ୍ଭ ହୋଇଥିବା ବେଳେ ଅସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ହାଟ ଚାଲୁ ରହିବ। କୋଭିଡ୍‌ ନିୟମାବଳୀ ଓ ସାମାଜିକ ଦୂରତ୍ବ ରକ୍ଷାକୁ ଗୁରୁତ୍ବ ଦେଇ ସକାଳ ୭ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ବିକ୍ରି ବ୍ୟବସ୍ଥା କରାଯାଇଛି। କେତେକ ଆମ୍ବ କିଲୋ ପ୍ରତି ଦର ୫୫ ଟଙ୍କା ରହିଥିବା ବେଳେ ଆଉ କେତେକର ଦର ୬୫ ଟଙ୍କା ରହିଛି।

ଗତ ମଙ୍ଗଳବାର ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଭିନ୍ନ ଚାଷୀଙ୍କ ଠାରୁ ୨ଟନ୍ ଆମ୍ବ ଆସିଥିଲା। ପ୍ରଥମ ଦିନରେ ‌ଏକ ଟନ୍ ଆମ୍ବ ବିକ୍ରି ହୋଇଥିବା ବେଳେ ପାଖାପାଖି ୬୦ ହଜାର ଟଙ୍କା ମିଳିଛି। ବିକ୍ରି ପରେ ଆମ୍ବ ପ୍ରଦାନ କରିଥିବା ଚାଷୀଙ୍କୁ ଟଙ୍କା ଦିଆଯାଉଛି। ଏଥିମଧ୍ୟରେ ଆମ୍ରପାଲ୍ଲୀ ଓ ମଲ୍ଲିକାର ଚାହିଦା ରହିଛି। ଆଜି କୋରାପୁଟ, କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳରୁ ଆମ୍ବ ଆସିଛି। ର‌ଙ୍ଗେଇଲୁଣ୍ଡା ବ୍ଲକ୍‌ର ରଣ୍ଢା ଗ୍ରାମର ମୀରାବାଇ ଉତ୍ପାଦକ ଗୋଷ୍ଠୀର ମହିଳାମାନେ ଏହି ଆମ୍ବ ବିକ୍ରି ଦାୟିତ୍ବ ନିର୍ବାହ କରୁଛନ୍ତି। ଏହି ଗୋଷ୍ଠୀରେ ୩୮ ଜଣ ସଦସ୍ୟା ରହିଥିବା ବେଳେ ପ୍ରତ୍ୟେକ ଦିନ ୧୨ ଜଣ ମହିଳା ନିୟୋଜିତ ହେବେ। ଆମ୍ବ ବିକ୍ରି ପାଇଁ ୪ଟି କାଉଣ୍ଟର ଖୋଲା ଯାଇଥିବା ବେଳେ ପ୍ରତ୍ୟେକ କାଉଣ୍ଟରରେ ୩ ଜଣ ମହିଳା ରହୁଛନ୍ତି। ଓରମାସ୍, ଜୀବିକା ମିସନ୍ ଓ ଏହି ଗୋଷ୍ଠୀର ମହିଳାମାନ‌େ ମିଶି ବିଭିନ୍ନ ଜିଲ୍ଲାର ଚା‌ଷୀଙ୍କ ନିକଟରେ ପହଞ୍ଚି ଆମ୍ବ କିଣି ଆଣୁଛନ୍ତି। ‌ପ୍ରତ୍ୟେକ ଦିନ ଆମ୍ବ ବିକ୍ରିର ଚାହିଦା ଦେଖି ପୁଣି ଆମ୍ବ ଆଣି ଗଚ୍ଛିତ କରାଯିବ। ଏହାକୁ ଓର୍‌ମାସ୍ ସିଇଓ ଜ୍ୟୋତି ପ୍ରକାଶ ମହାନ୍ତି, ଓଡ଼ିଶା ଜୀବିକା ମିସନ୍‌ର ନବୀନ କୁମାର ସେନାପତି, ଅନୁଭବ ପ୍ରସାଦ ଓ ସଭାପତି ପ୍ରଭା ପ୍ରଧାନ ଓ ସଦସ୍ୟମାନ‌େ ପରିଚାଳାନା କରୁଛନ୍ତି।

ସମ୍ବନ୍ଧିତ ଖବର