ଜୟପୁର: ଚଳିତ ବର୍ଷ ଏପ୍ରିଲ ତୃତୀୟ ସପ୍ତାହରେ ପହଚିଂଯାଇଛି ପାଚିଲା ଆମ୍ବ। ଏହା ଆସିଛି ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ, ବିଜୟନଗରମ, ଗଜପତିନଗରମ ଅଂଚଳରୁ। ସହରର ବିଭିନ୍ନ ଫଳ ଦୋକାନ ସହ ଉଠାଦୋକାନରେ ବି ବିକ୍ରୀ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ପାଚିଲା ଆମ୍ବ ଆସିଥିବାରୁ ଏହାର ଚାହିଦା ରହିଛି। କିଲୋ ୧୦୦ଟଙ୍କା ରହିଥିଲେ ‌ବି ଲୋକଙ୍କ ଖାତିର ନାହିଁ। ଭଲ ବିକ୍ରି ହୋଇଛି ବୋଲି ଫଳ ବ୍ୟବସାୟୀ ମାନେ କହିଛନ୍ତି। ଏଠାରେ ଉତ୍ପାଦିତ ଆମ୍ବ ଆହୁରି କସି ରହିଥିବା ବେଳେ ଆନ୍ଧ୍ରପ୍ରଦେଶର କେତେକ କିସମର ଆମ୍ବ ବଡ ସାଇଜର ହୋଇଯାଇଛି। ଏବେ ଦର ଅଧିକା ରହିଥିବାରୁ ପାଚି ନଥିଲେ ‌ହେଁ ଗ୍ୟାସ୍ ଓ କାରବାଇଡ୍ କ୍ୟାମିକାଲ ବ୍ୟବହାର କରି ପଚାଯାଉଛି।

Advertisment

ଆନ୍ଧ୍ର ଆମ୍ବ ମିଠା ରହିଥିବାରୁ ଚାହିଦା ବି ଅଧିକା ରହୁଛି। ଚଳିତ ମାସର ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହରେ ସ୍ଥାନୀୟ ଅଂଚଳର ଆମ୍ବ ବଜାରକୁ ଆସିବ ବୋଲି କିଛି ବ୍ୟବସାୟୀ କହିଛନ୍ତି। ସମସ୍ତ ଖର୍ଚ୍ଚ ଯାଇ ୨୦ରୁ ୨୫ଟଙ୍କା ଲାଭ ମିଳିବ ବୋଲି ଏମାନେ କହିଛନ୍ତି। ତେବେ ଅଧିକା ଦିନ ରହିଲେ ବି ଖରାଫ ହେବା ଆଶଙ୍କା ରହିଛି।  ଏହାକୁ ଦୃଷ୍ଟିରେ ରଖି ନଷ୍ଟ ହେବା ପୂର୍ବରୁ ହିଁ ବିକ୍ରୀ କରିଦେବା ଆଶା ରଖିଛନ୍ତି ବ୍ୟବସାୟୀ। ସଂପ୍ରତି ବଜାରରେ ବାଇଗଣପଲ୍ଲୀ, ଆମ୍ରପଲ୍ଲୀ  ଓ ବାରମାସୀ ଆମ୍ବ ଆସିଥିବା କହିଛନ୍ତି ବ୍ୟବସାୟୀ।