ଶୋଷଣର ଶିକାର ରାୟଗଡ଼ାର ଆମ୍ବ ଚାଷୀ

୧୩ ଲକ୍ଷ ବକେୟା ବିଦ୍ୟୁତ୍ ବିଲ୍ ଭରି ପାରୁନି ବିଭାଗ, ୨ କୋଟି ୩୧ ଲକ୍ଷର ପ୍ରକଳ୍ପରେ ଝୁଲୁଛି ତାଲା

କାମରେ ଆସୁନି ଗରମ ପାଣି ଉପଚାର
ଶସ୍ତାରେ ଦିଲ୍ଲୀ, ଛତିଶଗଡକୁ ଚାଲାଣ
ବାର୍ଷିକ ଉତ୍ପାଦନ ୫୭୬୨୮ ମେଟ୍ରିକ୍ ଟନ୍

ରାୟଗଡ଼ା : ମିଠା ଆମ୍ବର ପ୍ରକ୍ରିୟାକରଣ ପାଇଁ ନିର୍ମାଣ ହେଲା ପ୍ରକଳ୍ପ। ଲକ୍ଷେ କି ଦୁଇ ଲକ୍ଷ ନୁହଁ, ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଲା ୨ କୋଟି ୩୧ ଲକ୍ଷ ଟଙ୍କା। ଆଶା ଥିଲା ରାୟଗଡ଼ାରୁ ଉତ୍ପାଦିତ ଆମ୍ବକୁ ଅଧିକ ଦିନ ରଖି ବିଶ୍ବ ବଜାରକୁ ରପ୍ତାନି କରି ଚାଷୀଙ୍କୁ ଲାଭବାନ୍ କରିବ। କିନ୍ତୁ ମାସିକ ବିଦ୍ୟୁତ୍ ବିଲ୍ ଭରି ନପାରିବା କାରଣରୁ ବର୍ଷେ ହେଲା ଏହି ପ୍ରକଳ୍ପରେ ତାଲା ଝୁଲୁଛି। ଫଳରେ ଚାଷୀ ଶୋଷଣର ଶିକାର ହେବା ସହ ଶାଗମାଛ ଦରରେ ପୂର୍ବ ଭଳି ଦିଲ୍ଲୀ, ଛତିଶଗଡ଼କୁ ଆମ୍ବ ପଠାଉଛନ୍ତି।

ରାୟଗଡ଼ା ଜିଲ୍ଲା କାଶୀପୁର, କଲ୍ୟାଣସିଂହପୁର, ରାୟଗଡ଼ା, ବିଷମକଟକ ବ୍ଲକରୁ ଉତ୍ପାଦିତ ଆମ୍ବ ବହୁତ ସ୍ବାଦିଷ୍ଟ। ଆମ୍ବ ଉତ୍ପାଦନ ପରେ ଡେମ୍ଫରେ ପିମ୍ପୁଡ଼ି ଲାଗି ନଷ୍ଟ କରି ଦେଉଛନ୍ତି। ତେଣୁ ତୋଳିବା ସଙ୍ଗେ ସଙ୍ଗେ ଚାଷୀ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକ୍ରି କରି ଦେଉଛନ୍ତି। ବାର୍ଷିକ ରାୟଗଡ଼ା ଜିଲ୍ଲାରୁ ୫୭ ହଜାର ୬୨୮ ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହେଉଥିବା ବେଳେ ସମସ୍ତ ଆମ୍ବକୁ ବାହାର ରାଜ୍ୟ ବ୍ୟବସାୟୀ ଅଗ୍ରୀମ ଟଙ୍କା ଦେଇ ରାତାରାତି ଚାଷୀଙ୍କଠାରୁ ନେଇ ଯାଉଛନ୍ତି। ତେଣୁ ୬ ମାସର ପରିଶ୍ରମ ବାବଦକୁ ଚାଷୀ ଆମ୍ବ ବିକ୍ରି ବେଳକୁ ଯେତିକି ଟଙ୍କା ପାଉନି, ବ୍ୟବସାୟୀ ଆମ୍ବକୁ ଖୋଲା ବଜାରରେ ବିକ୍ରି କରି ଦୁଇ ଗୁଣ ଲାଭ ପାଉଛନ୍ତି। ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ପରେ ଜିଲ୍ଲା ପ୍ରଶାସନର ପ୍ରସ୍ତାବକ୍ରମେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଓ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ ୨୦୧୬ ମସିହାରେ ଆମ୍ବ ପାଇଁ ଗରମ ପାଣି ଉପଚାର ଓ ଶ୍ରେଣୀକରଣ ସୁବିଧା ପ୍ରକଳ୍ପ ନିମନ୍ତେ ୨ କୋଟି ଟଙ୍କାର ଅନୁଦାନ ଦେଇଥିଲା। ୨ କୋଟି ୭ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟରେ ପ୍ରକଳ୍ପର ନିର୍ମାଣ କାମ ଶେଷ ହେବା ପରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପ୍ରକଳ୍ପକୁ ବିଦ୍ୟୁତକରଣ କରିବା ପାଇଁ ୨୪ଲକ୍ଷ ୨୨ ହଜାର ଟଙ୍କା ଖର୍ଚ ହୋଇଥିଲା। ୨୦୧୭ ଜୁଲାଇ ୮ତାରିଖରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ମହାନିର୍ଦେଶକ ଡ. ତ୍ରିଲୋଚନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ମାସିକ ୧୦ ମେଟ୍ରିକ୍ ଟନ୍ ଆମ୍ବ ପ୍ରକ୍ରିୟାକରଣ କ୍ଷମତା ରଖିଥିବା ଏହି ପ୍ରକଳ୍ପ ଚାଲିବାକୁ ବିଦ୍ୟୁତ୍ ସଂଯୋଗ ମୁଖ୍ୟ ହୋଇଥିବାରୁ ଏଥିପାଇଁ ସ୍ବତନ୍ତ୍ର ଟ୍ରାନସଫର୍ମର ଓ ପରିଚାଳନା ୟୁନିଟ୍ ରହିଛି। ହେଲେ ପରିଚାଳନାଗତ ତ୍ରୁଟି କାରଣରୁ ଉଦ‌୍‌ଘାଟନର କିଛି ମାସ ପରେ ହିଁ ଏହି ପ୍ରକଳ୍ପ ବନ୍ଦ ହୋଇଗଲା। ମାସିକ ବିଦ୍ୟୁତ୍ ବିଲ୍ ୫୦ହଜାର ଟଙ୍କାରୁ ଊର୍ଧ୍ବ ଆସିବା ପରେ ଅନୁଦାନ ନ ଥିବା କାରଣରୁ ବିଭାଗୀୟ କର୍ତୃପକ୍ଷ ବିଲ୍ ପୈଠ କରିବାରେ ଅକ୍ଷମ ହେଲେ। ୨ ବର୍ଷର ବିଦ୍ୟୁତ୍ ବିଲ୍ ୧୩ ଲକ୍ଷ ଟପିବା ପରେ ବିଦ୍ୟୁତ୍ ବିଭାଗ ୬ ମାସ ତଳେ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦେଇଛନ୍ତି। ଯାହାଫଳରେ ୨ କୋଟିର ଏହି ପ୍ରକଳ୍ପରେ ତାଲା ଝୁଲିବା ପରେ ଚାଷୀ ପୂର୍ବ ଭଳି ଜଳକା ହୋଇ ଚାହିଁ ରହିବା ଛଡ଼ା ଅନ୍ୟ କିଛି ସୁଫଳ ପାଇନି।

ବକେୟା ବିଦ୍ୟୁତ୍ ବିଲ୍ ଭରି ପ୍ରକଳ୍ପ ପୁନଃ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟାନ ବିଭାଗ ରାଜ୍ୟ ସରକାରଙ୍କୁ ଅନୁଦାନ ପାଇଁ ବହୁବାର ଚିଠି ଲେଖିଲେଣି। ଅଥଚ ଅନୁଦାନ ଆସୁନଥିବାରୁ କୋଟି କୋଟି ଟଙ୍କାର ଏହି ପ୍ରକଳ୍ପ ଭୂତକୋଠିରେ ପରିଣତ ହେବାକୁ ଯାଉଛି। ଏ ସଂପର୍କରେ ଉଦ୍ୟାନ ବିଭାଗ ଉପନିର୍ଦେଶକ ଜଗନ୍ନାଥ ବିନ୍ଧାଣୀଙ୍କୁ ପଚାରିବାରୁ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଚାଲିଛି। ବିଦ୍ୟୁତ୍ ବିଲ୍ ଶୁଝିବା ପରେ ପ୍ରକଳ୍ପ ଚାଲିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଆଦିବାସୀ ଅଧ୍ୟୁଷିତ କାଶୀପୁର, କଲ୍ୟାଣସିଂହପୁର, ବିଷମକଟକରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ବାଦ ନିଆରା। ରାଜ୍ୟ ତଥା ରାଜ୍ୟ ବାହାରେ ଏହି ଆମ୍ବର ଚାହିଦା ବେଶ୍ ରହିଥିବାରୁ ବାହାର ରାଜ୍ୟ ବ୍ୟବସାୟୀ ଚାଷୀଙ୍କୁ ହାତବାରିସି କରି ଫଳିବା ପୂର୍ବରୁ ଅଗ୍ରୀମ ଟଙ୍କା ଦେଇଥାନ୍ତି। ବ୍ୟବସାୟୀଙ୍କ ଶୋଷଣ ରୋକିବାକୁ ଉଦ୍ୟାନ୍ ବିଭାଗ ଓ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଅବିଭକ୍ତ କୋରାପୁଟ ଜିଲ୍ଲାର କେବଳ ରାୟଗଡ଼ାରେ ଆମ୍ବ ପାଇଁ ଗରମ ପାଣି ଉପଚାର ଓ ଶ୍ରେଣୀକରଣ ସୁବିଧା ପ୍ରକଳ୍ପ ନିର୍ମାଣ ହୋଇଥିଲା। ଯାହା ଏବେ ଚାଷୀଙ୍କ କାମରେ ଆସିପାରୁନି। କିଛି ଚାଷୀଙ୍କ ମତରେ କାଶୀପୁରରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲେ ଚାଷୀ ଅଧିକ ଲାଭବାନ୍ ହୋଇଥାନ୍ତେ। କିନ୍ତୁ ରାୟଗଡ଼ାରେ ପ୍ରତିଷ୍ଠା ହେବା ଯୋଗୁ ୬୦କିମି ଦୂର ଗାଡ଼ି ଭଡା କରି ଆଣି ଆମ୍ବ ପ୍ରକ୍ରିୟାକରଣ କରିବାକୁ ଚାଷୀ ଇଚ୍ଛା ପ୍ରକାଶ କରୁନାହାନ୍ତି। ବ୍ୟବସାୟୀ ଅଗ୍ରୀମ ଟଙ୍କା ଦେବା ସହ ଘର ଆଗରୁ ଗାଡ଼ି ମାଧ୍ୟମରେ ଆମ୍ବ ନେଇ ଯାଉଛନ୍ତି। ରାଜ୍ୟ ସରକାର ଓ ଉଦ୍ୟାନ୍ ବିଭାଗ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର