ଆଦିବାସୀଙ୍କୁ ଜୀବିକା ଦେଇଛି ଆମ୍ବ ଟାକୁଆ: ବର୍ଷକୁ ଶହଶହ ଟନ୍‌ କୋଇଲି ବେପାର

ଜାହାଜ, ଔଷଧ ଶିଳ୍ପରେ ଲାଗୁଛି କୋଇଲି ତେଲ

ଫୁଲବାଣୀ, (ରଞ୍ଜନ ପ୍ରଧାନ): ଆମ୍ବ ଟାକୁଆରୁ ବାହାରୁଥିବା କୋଇଲି କନ୍ଧମାଳ ଜିଲ୍ଲା ଆଦିବାସୀମାନଙ୍କ ଜୀବନ ଜୀବିକାର ଏକ ବଡ଼ ମାଧ୍ୟମ ପାଲଟିଛି। ଦେଶବିଦେଶରେ କୋଇଲି ତେଲର ଚାହିଦା ବହୁ ଅଧିକ ଥିବାରୁ ପ୍ରତି ବର୍ଷ କନ୍ଧମାଳ ଜିଲ୍ଲାରୁ ଶହ ଶହ ଟନ୍‌ କୋଇଲି ବାହାର ରାଜ୍ୟକୁ ଯାଉଛି । କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଓ ବାଲିଗୁଡ଼ା ଭଳି ସହରରେ ଆମ୍ବ କୋଇଲିର ଏକ ବଡ଼ ବଜାର ରହିଛି। ଆଦିବାସୀମାନେ ବସ୍ତା ବସ୍ତା କୋଇଲି ଏହି ସବୁ ଡିପୋରେ ବିକ୍ରି କରିଥାନ୍ତି। ଆଉ କେତେକ ବେପାରୀ ମଧ୍ୟ ଗାଁ ଗାଁ ବୁଲି ଆଦିବାସୀଙ୍କ ଠାରୁ‌ କୋଇଲି ସଂଗ୍ରହ କରିଥାନ୍ତି। ଜାହାଜ, ଔଷଧ ଓ ପ୍ରସାଧନ ଶିଳ୍ପରେ ଆମ୍ବ କୋଇଲି ତେଲର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାରୁ ଏହାର ଚାହିଦା ଢେର୍‌ ଅଧିକ ରହିଛି।

ଫୁଲବାଣୀ ବ୍ଲକ ନାକୁଡ଼ୁପାଙ୍ଗା ଗ୍ରାମର କନ୍ଧ ସମ୍ପ୍ରଦାୟର ଆଦିବାସୀ ଜିତ କହଁର, ଗୁଟିଲା କହଁର ଓ ଚନ୍ଦ୍ରଶେଖର କହଁର ୩ ବସ୍ତା ଆମ୍ବ କୋଇଲି କାନ୍ଧରେ ବୋହି ଫୁଲବାଣୀ ସହରର ମନ୍ଦାକିନୀ ଟ୍ରେଡର୍ସରେ ପହଞ୍ଚିଲାବ‌େଳେ ଆମ ପ୍ରତିନିଧି ସେମାନଙ୍କୁ ଭେଟିଥିଲେ। ଜିତ କହଁର ୨୫ କିଲୋ, ଗୁଟିଲା କହଁର ୨୭ କିଲୋ ଓ ଚନ୍ଦ୍ରଶେଖର ୨୩ କିଲୋ ଆମ୍ବ କୋଇଲି ମନ୍ଦାକିନୀ ଟ୍ରେଡର୍ସ ମାଲିକ ଜଗବନ୍ଧୁ ସୁବୁଦ୍ଧିଙ୍କୁ କିଲୋ ପିଛା ୧୩ ଟଙ୍କା ହିସାବରେ ବିକ୍ରି କରିଥିଲେ। ଜିତ, ଗୁଟିଲା ଏବଂ ଚନ୍ଦ୍ରଶେଖରଙ୍କ ଭଳି ଶହଶହ ଆଦିବାସୀ କୋଇଲି ବିକି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବିଶେଷ କରି ପ୍ରତିବର୍ଷ ବେପାରୀମାନେ ମେ ମାସରୁ ଜୁଲାଇ ମାସ ମଧ୍ୟରେ କୋଇଲି କିଲୋ ପିଛା ୧୦ ଟଙ୍କାରୁ ଆରମ୍ଭ କରି ୧୩ ଟଙ୍କାରେ କିଣିଥାନ୍ତି ଓ ସେମାନେ ଏହାକୁ ୧୫ରୁ ୨୦ ଟଙ୍କାରେ ବିକ୍ରି କରିଥାନ୍ତି। କନ୍ଧମାଳ ଜିଲ୍ଲାରେ ଦେଶୀ କିସମ ଆମ୍ବର ବଜାର ଚାହିଦା ନାହିଁ। ଦେଶୀ ଆମ୍ବଗୁଡ଼ିକୁ ଆଦିବାସୀମା‌ନେ ଖାଇଥାନ୍ତି ଏବଂ ଟାକୁଆକୁ ଖରାରେ ଶୁଖେଇ ସେଥିରୁ କୋଇଲି ପ୍ରସ୍ତୁତ କରିଥାନ୍ତି। ଆମ୍ବ ଟାକୁଆରୁ ପ୍ରସ୍ତୁତ କୋଇଲି ଗୁଣ୍ଡ ମଧ୍ୟ ଆଦିବାସୀମାନଙ୍କ ଏକ ପାରମ୍ପରିକ ଖାଦ୍ୟ।

କୋଇଲିରୁ ପ୍ରସ୍ତୁତ ‘କୋଇଲି ‌ତେଲ’ ଜାହାଜ ଶିଳ୍ପ ପାଇଁ ଅପରିହାର୍ଯ୍ୟ। ଏହା ସହ କୋଇଲି ତେଲ ମଧ୍ୟ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଓ ଔଷଧ ଶିଳ୍ପରେ ବ୍ୟବହାର ହେଉଛି। ଏଥିପାଇଁ ଓଡ଼ିଶାରୁ ତାମିଲନାଡୁ, ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟକୁ କୋଇଲି ଚାଲାଣ ହୋଇଥାଏ। କୋଇଲି ବ୍ୟବସାୟ କରି ଫୁଲବାଣୀ ସହରର ଅନେକ ବ୍ୟବସାୟୀ ମଧ୍ୟ ବିଶେଷ ଲାଭବାନ ହେଉଛନ୍ତି। ଗତ ବର୍ଷ ପ୍ରାୟ ୨୦୦ କ୍ବିଣ୍ଟାଲ ଆମ୍ବ କୋଇଲି ବିକ୍ରି କରିଥିବା କହିଛନ୍ତି ଫୁଲବାଣୀ ସହରର ପ୍ରମୁଖ ବନଜାତ ଦ୍ରବ୍ୟ ବ୍ୟବସାୟୀ ତଥା ମନ୍ଦାକିନୀ ଟ୍ରେଡର୍ସର ମାଲିକ ଜଗବନ୍ଧୁ ସୁବୁଦ୍ଧି । ଚଳିତବର୍ଷ ମଧ୍ୟ ଭଲ ବିକ୍ରି ହେବ ବୋଲି ସେ ଆଶା ରଖିଛନ୍ତି। ଏବେ ସୁଦ୍ଧା ତାଙ୍କ ଗୋଦାମରେ ପାଖାପାଖି ୭୦ ରୁ ୮୦ କ୍ବିଣ୍ଟାଲ ଆମ୍ବ କୋଇଲି ମହଜୁଦ ଅଛି। ଆସନ୍ତା ସପ୍ତାହରେ ଏସବୁ ଆମ୍ବ କୋଇଲି ମୁମ୍ବାଇ, ଚେନ୍ନାଇ ଏବଂ ରାୟପୁର ଯିବ ବୋଲି ସେ କହିଛନ୍ତି। ଆମ୍ବ କୋଇଲିର ଏତେବଡ଼ ବଜାର ଥିବା ସମ୍ପର୍କରେ ବହୁ କମ୍‌ ଲୋକେ ଜାଣନ୍ତି।

ସମ୍ବନ୍ଧିତ ଖବର