ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି। ଏହି ଜିଲ୍ଲାରେ ୮୦ ପ୍ରତିଶତ ଆଦିବାସୀ ଲୋକେ ବସବାସ କରନ୍ତି। ଏମାନେ ବି ୧୨ ମାସରେ ତେର ପର୍ବ ପାଳନ କରନ୍ତି। ସେଥି ମଧ୍ୟରୁ ଆମ୍ବ ପର୍ବ ଅନ୍ୟତମ। ଆମ୍ବ ଫଳିବା ଠାରୁ ସରିବା ପର୍ଯ୍ୟନ୍ତ ଏମାନେ ଆମ୍ବ ଗଛକୁ ଏବଂ ଫଳକୁ ପୂଜା କରନ୍ତି। ତେବେ ସେଦିନର ଆମ୍ବତୋଟା ଆଉ ଦେଖିବାକୁ ମିଳୁ ନାହିଁ ବୋଲି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ। ସ୍ଥାନୀୟ ସତ୍ୟନାରାୟଣ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାହିତ୍ୟ ଘରର ସଭାପତି ଡ.ରଂଜନ କୁମାର ସ୍ବାଇଁ, ଉପଦେଷ୍ଟା ରବୀନ୍ଦ୍ର ମହାରଣା, ସମାଜସେବୀ ନିହାର ରାୟ, ମହାବିଦ୍ୟାଳୟର ନିର୍ଦେଶକ ସଞ୍ଜୟ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।
ମାଲକାନଗିରି ନିର୍ବାଚନ ମଣ୍ଡଳୀ ଏବେ ଜଂଗଲ ଶୂନ୍ୟ ହେବାକୁ ଯାଉଛି। ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ମାଲକାନଗିରି ଜଂଗଲ ଉପରେ ପଡ଼ିଛି। ଦିନକୁ ଦିନ କାହିଁ କେଉଁ କାଳରୁ ଛିଡ଼ା ହୋଇଥିବା ନାନା ଜାତିର ଗଛକୁ କାଟି ପଦାକରିସାରିଲେଣି। ଏପରିକି ପୋଡୁ ଚାଷ ପାଇଁ ଜଂଗଲକୁ ପଦା କରାଯାଉଛି, ଯାହାକୁ ନେଇ ବନ ବିଭାଗ ମଧ୍ୟ ଚୁପ ହୋଇ ବସିଛି। ସେହିପରି ଜଂଗଲ କାଟି ବସତି ସ୍ଥାପନ ଯୋଗୁଁ ମଧ୍ୟ ଜଂଗଲ ଆଜି ପଦା ହୋଇଛି ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
‘ସମ୍ବାଦ’ ଓ ‘କନକ ଟିଭି’ର ଏହି କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀ ମାଡକାମୀ ପ୍ରଶଂସା କରିବା ସହ ଏହି ଆନ୍ଦୋଳନକୁ ସେ ଆଗକୁ ନେବେ ଏବଂ ମାଲାକନଗିରିକୁ ପୁନଶ୍ଚ ମାଲକାନଗିରିରେ ପରିଣିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମା’ଙ୍କ ପାଇଁ ଗଛଟିଏ ଲଗାଇବାକୁ ସମସ୍ତଙ୍କୁ ଆହ୍ବାନ ଦେବା ସହ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଗଛ ଲଗାଇବା ସହ ତାର ଯତ୍ନ ନେଲେ ହିଁ ଆମେ ଏହି ଆନ୍ଦୋଳନ ସଫଳ ହେବ ବୋଲି ଭାବିବା। ଆଗାମୀ ପିଢ଼ି ପାଇଁ ଆମେ ଏବେ ଠାରୁ ଚିନ୍ତା ନକଲେ ଦିନ ଆସିବ ପୃଥିବୀ ଧ୍ବଂସ ଆଡକୁ ଯିବ, ଯାହାକୁ ରୋକିବା ଅସମ୍ଭବ ହୋଇପଡିବ।