କାଶୀପୁର(ରତ୍ନାକର ନାଏକ): ଦିନେ ଅଖାଦ୍ୟକୁ ନେଇ ଜାତୀୟ ମାନଚିତ୍ରରେ ଚର୍ଚ୍ଚାରେ ରହିଥିଲା କାଶୀପୁର। ଆମ୍ବ ଟାକୁଆ ଖାଇ ଝାଡ଼ାବାନ୍ତିର ଶିକାର ହୋଇ ଶହଶହ ଲୋକଙ୍କ ମୃତ୍ୟୁ ସଭିଁଙ୍କୁ ବିଚଳିତ କରିଥିଲା। ସ୍ଥିତି ଏତେ ଅଣାୟତ୍ତ ହୋଇଥିଲା ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ କାଶୀପୁର ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଆରମ୍ଭ ହୋଇଥିଲା ଆଇଫାଡ୍‌ (ଇଣ୍ଟରନ୍ୟାସନାଲ୍‌ ଫଣ୍ଡ୍‌ ଫର୍‌ ଏଗ୍ରିକଲଚର୍‌ ଡେଭଲପମେଣ୍ଟ୍‌) ଯୋଜନା। ୪ ଦଶନ୍ଧି ପରେ ଅପବାଦର ଶିରୋନାମା ମୁଣ୍ଡାଇଥିବା କାଶୀପୁରର ଚିତ୍ର ଏବେ କିନ୍ତୁ ବଦଳିବାରେ ଲାଗିଛି। ଭୋକର ଭୂଗୋଳ ଏହି ଇଲାକା ଏବେ ସାରା ଭାରତକୁ ସୁସ୍ବାଦ ଆମ୍ବ ଯୋଗାଇ ଟାକୁଆ ଅପବାଦକୁ ଭରଣା କରିବାରେ ଲାଗିଛି।

Advertisment

ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍‌ ଏବେ ଆମ୍ବର ହବ୍‌ ହେବାକୁ ଯାଉଛି। ବ୍ଲକରୁ ଉତ୍ପାଦନ ହେଉଥିବା ଶହ ଶହ କୁଇଣ୍ଟାଲ ବିଭିନ୍ନ କିସମର ଆମ୍ବ ରାଜ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲା ଜିଲ୍ଲା ସମେତ ରାଜ୍ୟ ବାହାରକୁ ରପ୍ତାନି ହେବାରେ ଲାଗିଛି। ଚାଷୀଙ୍କ ଦୃଢ଼ ଆତ୍ମ ବିଶ୍ୱାସ ସହିତ ସରକାରୀ ସହାୟତା କାରଣରୁ ବ୍ଲକର ବହୁ ଚାଷୀ ଆମ୍ବ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଦାଦନର ସୁଅ ପୂର୍ବ ଭଳି ଆଉ ନାହିଁ। ଆମ୍ବ ଚାଷୀଙ୍କ ମଧ୍ୟରୁ ସିନ୍ଦୁରଘାଟି ପଞ୍ଚାୟତ ସଦର ବାସିନ୍ଦା ନରେନ୍ଦ୍ର ମାଝୀ ନିଜ ତିନି ଏକର ଜମିରେ ଦାଶରି, ଆମ୍ରପଲ୍ଲୀ ଭଳି କିସମର ଆମ୍ବ ଚାଷ କରି ଚଳିତ ବର୍ଷ ଲାଭ ବାବଦକୁ ୭୦ ହଜାର ଟଙ୍କା ପାଇ ସାରିଲେଣି। ଆହୁରି ଅନେକ ଆମ୍ବ ଗଛରେ ଥିବା କହିଛନ୍ତି ନରେନ୍ଦ୍ର। ସବୁଠୁ ବଡ଼ କଥା ହେଲା ଆମ୍ବର ଚାହିଦା ଏତେ ରହିଛି ଯେ, ବ୍ୟବସାୟୀମାନେ ଘରକୁ ଆସି ନଗଦ ଟଙ୍କା ଦେଇ କିଣି ନେଉଛନ୍ତି। କେଜି ପିଛା ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲେ ମଧ୍ୟ ଭଲ ଲାଭ ହେଉଥିବା କହିଛନ୍ତି ନରେନ୍ଦ୍ର। କାରଣ ବିକ୍ରି ପାଇଁ ବଜାର କିମ୍ବା ପରିବହନ ବାବଦ କୌଣସି ଚିନ୍ତା କରିବାକୁ ପଡ଼ୁନି। ନରେନ୍ଦ୍ରଙ୍କ ଭଳି ସିନ୍ଦୁରଘାଟି ପଞ୍ଚାୟତରେ ପ୍ରାୟ ଶହେ ଜଣ ଚାଷୀ ବ୍ୟବସାୟିକ ଭିତ୍ତିରେ ଆମ୍ବ ଚାଷ କରୁଛନ୍ତି। ଗ୍ରାମର ସୁରୁ ନାଏକ, ହଳଧର ନାଏକ ସର୍ବାଧିକ ଆଠ ଏକର ଜମିରେ ଆମ୍ବ ଲଗାଇଛନ୍ତି। ବ୍ଲକର ସମସ୍ତ ୨୪ ପଞ୍ଚାୟତରେ ଆମ୍ବ ଚାଷ ହେଉଥିଲେ ମଧ୍ୟ କାଶୀପୁର, ତଳଝିରି, ସୁଙ୍ଗେର, ସିନ୍ଦୁରଘାଟି, ଅଡ଼ାଜୋର, ଚନ୍ଦ୍ରଗିରି, ଗୋରଖପୁର ପଞ୍ଚାୟତରେ ଅଧିକ ପରିମାଣର ଆମ୍ବ ଉତ୍ପାଦନ ହେଉଛି।

ଖଣି ଓ ଶିଳ୍ପ ସମୃଦ୍ଧ କାଶୀପୁରର ମାଟି ଓ ଜଳବାୟୁ ଆମ୍ବ ଏବଂ ଅନ୍ୟାନ୍ୟ ଫଳ ଚାଷ ପାଇଁ ବେଶ୍‌ ଅନୁକୂଳ ରହିଛି। ଚଳିତ ବର୍ଷ ପ୍ରାୟ ୪ ହଜାର ଟନ୍‌ ଆମ୍ବ ଏହି ବ୍ଲକରୁ ଉତ୍ପାଦନ ହେବାର ଆକଳନ କରିଛି ଉଦ୍ୟାନ୍ କୃଷି ବିଭାଗ। ଓରମାସ୍ ସହାୟତାରେ ପ୍ରାଥମିକ ପର୍ଯ୍ୟାୟରେ ୬ ଟନ୍ ଆମ୍ବ ତେଲେଙ୍ଗାନାକୁ ପଠାଯାଇଛି। ‌ଆଗକୁ ନିୟମିତ ଭାବେ ଓରମାସ୍ ଚାଷୀଙ୍କଠାରୁ ଆମ୍ବ କିଣି ଚାହିଦା ମୁତାବକ ଅନ୍ୟ ରାଜ୍ୟକୁ ପଠାଇବ। ସରକାରୀ ସୂତ୍ରକୁ ଛାଡ଼ିଲେ ବେସରକାରୀ ଭାବେ ଦୈନିକ ଶହ ଶହ ଟନ୍ ଆମ୍ବ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ ସମେତ ଦିଲ୍ଲୀ ଭଳି ରାଜ୍ୟକୁ ଯାଉଛି। ବାହାର ରାଜ୍ୟକୁ ରପ୍ତାନି ହେଉଥିବା ଆମ୍ବ ମଧ୍ୟରେ ଦାଶରୀ ଓ ଆମ୍ରପଲ୍ଲୀ ଆମ୍ବର ଚାହିଦା ସବୁଠୁ ଅଧିକା ରହିଥିବା ଚାଷୀ କହିଛନ୍ତି। ତେବେ କାଶୀପୁରରୁ ଉତ୍ପାଦନ ହେଉଥିବା ଆମ୍ବକୁ ଶୀତଳଭଣ୍ଡାରରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ। ‌ଶୀତଳଭଣ୍ଡାର ଉପଲବ୍ଧ ହେଲେ ଚାଷୀ ଅଧିକ ଲାଭ ପାଇଥାନ୍ତେ।