ମଙ୍ଗୁ ମଠକୁ ନେଇ ଭିନ୍ନ ଚର୍ଚ୍ଚା

ପୁରୀ : ଶ୍ରୀମନ୍ଦିର ନିରାପତ୍ତା ପାଇଁ ସୁରୁଖୁରୁରେ ଚାଲିଥିବା ୭୫ ମିଟର ଉଚ୍ଛେଦକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଗଲାଣି। ମଠ ସଂସ୍କୃତି ସୁରକ୍ଷା ଆଳରେ ମଠ ଉଚ୍ଛେଦକୁ ବନ୍ଦ କରିବା ଲାଗି କେତେକ ମହଲରେ ଦାବି ଜୋର୍‌ ଧରିଛି। ତେବେ ଭଙ୍ଗା ହେବାକୁ ଥିବା ଜରାଜୀର୍ଣ୍ଣ ମଠର ଉପଯୋଗିତା, ଏଠାରେ ଧର୍ମଚର୍ଚ୍ଚା ହେଉଛି ନ‌ା ଆଉ କିଛି, ବ୍ୟବସାୟ ନାମରେ କିଭଳି କୋଟିପତିମାନେ ମଠକୁ ମାଡି ବସିଛନ୍ତି ତାର ଚିତ୍ର ଏବେ ସାମ୍ନାକୁ ଆସୁଛି। ଅଧିକାଂଶ ମଠକୁ କେବଳ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ୫୦୦ ବର୍ଷର ପ୍ରାଚୀନ ମଙ୍ଗୁ ମଠ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ।

ମଠ ଉଚ୍ଛେଦ ବିରୋଧରେ ଏବେ ଏକାଠି ହୋଇଥିବା କିଛି ନେତୃସ୍ଥାନୀୟ ମଠ ଉଚ୍ଛେଦକୁ ବିରୋଧ କରିବା ପଛର କାରଣ ବ୍ୟାବସାୟିକ ସ୍ବାର୍ଥହାନି ବୋଲି ପୁରୀର କେତେକ ପୁରୁଖା ବ୍ୟକ୍ତି ମତପ୍ରକାଶ କରିଛନ୍ତି। ଆଜି ଗଣମାଧ୍ୟମରେ ସଂସ୍କୃତିର କଥା କହୁଥିବା ଜଣେ ବରିଷ୍ଠ ସେବାୟତ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କିଭଳି ଏହି ପ୍ରାଚୀନ ମଠକୁ କବଳିତ କରି ରଖିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଠ ଉଚ୍ଛେଦ ହେଲେ ହୋଟେଲ ଓ ଦୋକାନ ଘର ଖାଲି ଭାଙ୍ଗିବନି, ମୋଟା ଅଙ୍କର ଆୟ ବି ବନ୍ଦ ହୋଇଯିବ। ଏହି ଆଶଙ୍କାରେ ସଂସ୍କୃତି ସୁରକ୍ଷା ନାମରେ ବ୍ୟବସାୟକୁ ସୁରକ୍ଷ‌ା ଦେବାକୁ ଆଗଭର ‌ହେଉଥିବା ଚର୍ଚ୍ଚା ହେଉଛି। ମଙ୍ଗୁ ମଠର ବାସ୍ତବତାକୁ ପରଖିଲେ ଶିଖମାନଙ୍କ ଏ ପ୍ରାଚୀନ ତଥା ପବିତ୍ର ମଠକୁ କିଭଳି ଅଣନିଃଶ୍ବାସୀ କରି ଦିଆଯାଇଛି ତାହା ସ୍ପଷ୍ଟ ପ୍ରତୀୟମାନ। ଏଠାରେ ମଠ ନାହିଁ କି ମନ୍ଦିର ଦିଶୁନି, ଚାରିପଟୁ ଘେରି ଦିଆଯାଇଛି। ମହନ୍ତ ରହୁଥିବା ଘରୁ ପାଣି ଗଳୁଛି। ବ୍ୟବସାୟ ପାଇଁ ମଠକୁ ଜବରଦଖଲ କରି ରଖାଯାଇଛି। ଏ ବାବଦରେ ମଠକୁ କାଣିଚାଏ ଅର୍ଥ ବି ମିଳୁନାହିଁ। ନାନକପନ୍ଥୀ ଉଦାସୀନ ସଂପ୍ରଦାୟର ଏହି ମଠ ପୁରୀର ଏକ ପ୍ରାଚୀନ ମଠ ମଧ୍ୟରୁ ଅନ୍ୟତମ। ଏହି ମଠର ପ୍ରତିଷ୍ଠାତା ଗୁରୁ ନାନକଙ୍କ ପୁତ୍ର ଶ୍ରୀଚାନ୍ଦଜୀ ମହାରାଜ। ଶିଖମାନଙ୍କ ଏ ପବିତ୍ର ମଠରେ ଏବେ ‌ହୋଟେଲ ଚାଲିଛି। ତାହା ପୁଣି ମଠ ସଂସ୍କୃତି ସୁରକ୍ଷା ପାଇଁ ଆଗଭର ହୋଇଥିବା ଜଣେ ଛାମୁଆଙ୍କର ବୋଲି ଜଣାପଡିଛି। ଖାଲି ସେତିକି ନୁହେଁ, ପୁରୀର ଜ‌ଣେ ବରିଷ୍ଠ ରାଜନେତାଙ୍କ ଏଥିରେ ଭାଗିଦାରୀ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର