ଅନନ୍ୟ ମଙ୍ଗଳୁ ଚରଣ : ଲେଖନୀରେ ଶାଣିତ ଥିଲା ସମାଜର ଅବହେଳିତ ମଣିଷର ସ୍ବର

ମଙ୍ଗଳୁ ଚରଣ ବିଶ୍ବାଳ କେବଳ ଜଣେ ପ୍ରଖ୍ୟାତ ଲେଖକ ନ ଥିଲେ ସେ ଥିଲେ ଗୋଟେ ଅନୁଷ୍ଠାନ। ଜଣେ ଆଦର୍ଶ ଶିକ୍ଷକ ଭାବରେ ମଣିଷ ଗଢ଼ା କାରଖାନାର ସେ ଥିଲେ ଜଣେ ସଫଳ ବିନ୍ଧାଣୀ। ସେ ଗାଁ ମା’ର ଆକର୍ଷଣରେ ସାଧାରଣ ଜୀବନଟିଏ ବଞ୍ଚିବାକୁ ସୁଖ ପାଉଥିଲେ। ସମାଜର ଅବହେଳିତ ମଣିଷର ସ୍ବରକୁ ସଜଉଥିଲେ ତାଙ୍କର ଲେଖନୀରେ। ୫୬ ଖଣ୍ଡ ପୁସ୍ତକ ସହିତ ସେ ଶତାଧିକ ଗୀତ ଲେଖିଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପାଇଥିଲେ। ୧୯୬୨ରୁ ସେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ଥିଲେ। ତାଙ୍କ ଶିଶୁ ସାହିତ୍ୟ, ଏକାଙ୍କିକା, ପ୍ରବନ୍ଧ, ଗଳ୍ପ ସ୍କୁଲ ପାଠ୍ୟକ୍ରମରେ ସ୍ଥାନୀତ ହୋଇଛି।

ପିତାପାଲିର ସବୁ ମିଠା
ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ପିତାପାଲି ଗାଁ ଏବେ ଜଳମଗ୍ନ। ଏହି ଗାଁରେ ୧୯୩୫ ମସିହା ମେ’ ୪ ତାରିଖ ବାପା ଶ୍ରୀବତ୍ସ ବିଶ୍ବାଳ ଓ ମା’ ଭଗବତୀଙ୍କ କୋଳ ମଣ୍ଡନ କରିଥିଲେ ମଙ୍ଗଳୁ ବିଶ୍ବାଳ। ଏହି ଗାଁର ପାଣି ପବନ, ପ୍ରାକୃତିକ ପରିବେଷ୍ଟନୀ, ଜନଜୀବନ ତାଙ୍କୁ ସର୍ଜ୍ଜନଶୀଳ କରିଥିଲା। ତେଣୁ ସେ ସବୁବେଳେ କହୁଥିଲେ, ଆମ ଗାଁର ନାଁ ସିନା ପିତାପାଲି, ତା’ର ପାଣି, ପବନ, ଛାଇ-ଖରା ସବୁ ମିଠା। ୨୦୧୫ ମସିହାରେ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଦ୍ବାରା ମଙ୍ଗଳୁ ଚରଣ ବିଶ୍ବାଳଙ୍କ ଜୀବନ ଓ କୃତିତ୍ବକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ‘ପିତାପାଲିର ମିଠା ମଣିଷ’‌ ବେଶ୍ ଆଦୃତ ହୋଇଛି।

୭ମ ଶ୍ରେଣୀରେ ପ୍ରଥମ ବହି
ଗାଁ ଚାଟଶାଳୀରେ ମଙ୍ଗଳୁ ଚରଣ ଚତୁର୍ଥ ଶ୍ରେଣୀ ଯାଏ ପାଠପଢ଼ି ମାମୁଘର ଗାଁ କୁଦୋପାଲିରେ ପଞ୍ଚମ ଶ୍ରେଣୀ ଏବଂ ଏହାପରେ ଝାରସୁଗୁଡ଼ା ମନମୋହନ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ସପ୍ତମ ଶ୍ରେଣୀର ଛାତ୍ର ଥିବା ସମୟରେ ତାଙ୍କ ତଳ ଶ୍ରେଣୀରେ ପଢୁଥିବା ପ୍ରଫେସର ଧ୍ରୁବରାଜ ନାୟକ (ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି)ଙ୍କ ନେତୃତ୍ବରେ ଛାତ୍ରମାନେ ପାଣ୍ଠି ସଂଗ୍ରହ କରି ମଙ୍ଗଳୁ ବିଶ୍ବାଳଙ୍କ କବିତା ବହି ‘ଅଇଲା ବସନ୍ତ ଫେରି’ ପ୍ରକା‌ଶ କରିଥିଲେ। ଝାରସୁଗୁଡ଼ାରେ ହାଇସ୍କୁଲ ନ ଥିବାରୁ ସେ ଲରମ୍ଭା ଆବାସିକ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲେ। ସେଠାରେ ଶିକ୍ଷକତା କରୁଥିଲେ ଅତିବଡ଼ୀ ପୁରସ୍କାରପ୍ରାପ୍ତ କବି ଉମାଶଙ୍କର ପଣ୍ଡା। ସେ କଲିକତାରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘ଯୁଗ ଭାରତୀ’କୁ ମଙ୍ଗଳୁ ଚରଣଙ୍କ କବିତା ପଠାଇଥିଲେ। ୧୯୫୧ ମସିହାରେ ଏହି ପତ୍ରିକାରେ ମଙ୍ଗଳୁ ଚରଣଙ୍କ ଉକ୍ତ କବିତା ‘ଧୂମାଳ’ ପ୍ରକାଶ ପାଇଥିଲା।

ବାହାଘର ଦିନ ମାଟ୍ରିକ ପରୀକ୍ଷା ଫଳ
ମଙ୍ଗଳୁ ବିଶ୍ବାଳ ଥିଲେ ମେଧାବୀ ଛାତ୍ର। ୧୯୫୫ ମାଟ୍ରିକୁଲେସନ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ତାଙ୍କର ବିବାହ ହୋଇଥିଲା। କୁଦୋପାଲି ନିବାସୀ ତାଙ୍କ ମାମୁ ନୀଳକଣ୍ଠ ତ୍ରିପାଠୀଙ୍କ କନ୍ୟା ଶୈଳବାଳାଙ୍କ ସହିତ ତାଙ୍କ ବିବାହ ହୋଇଥିଲା। ବରଯାତ୍ରୀ ବାହାରିବା ସମୟରେ ମଙ୍ଗଳୁ ବାବୁ ମାଟ୍ରିକ ପାସ କରିଥିବା ଖବର ପାଇଥିଲେ।

ମାନସିଂହଙ୍କ ପ୍ରିୟ ଛାତ୍ର
ଲରମ୍ଭା ହାଇସ୍କୁଲର ପ୍ରଧାନ ଶିକ୍ଷକ ଖଗେନ୍ଦ୍ର ନାଥ ସେନଗୁପ୍ତ ମଙ୍ଗଳୁ ବିଶ୍ବାଳଙ୍କୁ ଜଣେ ବିଚକ୍ଷଣ ଓ କଠୋର ପରିଶ୍ରମୀ ଛାତ୍ର ଭାବରେ ଅଭିହିତ କରିଥିଲେ। ଆର୍ଥିକ ସ୍ବଚ୍ଛଳତା ନଥିବାରୁ ତାଙ୍କ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ଦରକାର ବୋଲି ଉଲ୍ଲେଖ କରିବା ସହିତ ଗଙ୍ଗାଧର ମେହେର କଲେଜ କର୍ତ୍ତୃପକ୍ଷ ତାଙ୍କୁ ମାଗଣା ଶିକ୍ଷା ସୁବିଧା ଯୋଗାଇ ଦିଅନ୍ତୁ ବୋଲି ଦର୍ଶାଇଥିଲେ। ଗଙ୍ଗାଧର ମେହେର କଲେଜରେ ସେ ନାମ ଲେଖାଇଲା ବେଳକୁ ଡ.ମାୟାଧର ମାନସିଂହ ଥିଲେ ଅଧ୍ୟକ୍ଷ। ସେ ମଙ୍ଗଳୁ ବିଶ୍ବାଳଙ୍କୁ ଖୁବ୍‌ ଭଲ ପାଉଥିଲେ। ଏପରିକି ମାନସିଂହ ଶଗଡ଼ ଗାଡ଼ିରେ ମଙ୍ଗଳୁ ବିଶ୍ବାଳଙ୍କ ଗାଁକୁ ଯାଇଥିଲେ।

ଅଧ୍ୟାପକ ନ ହୋଇ ‌ଶିକ୍ଷକ ହେଲେ
ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଉପାଧ୍ୟୁତ୍ତର ଏବଂ ବିଏଡ୍‌ ଡିଗ୍ରୀ ହାସଲ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅଧ୍ୟାପକ ପଦ ପାଇଁ ମନୋନୀତ ହୋଇ ସୋନପୁର କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେବାପାଇଁ ସେ ନିଯୁକ୍ତି ପତ୍ର ପାଇଥିଲେ। କିନ୍ତୁ ସେତେବେଳେ ପାରିବାରିକ ସ୍ଥିତି ଜଟିଳ ଥିଲା। ପିତାପାଲି ଜଳଭଣ୍ଡାରରେ ଗାଁ ବୁଡ଼ି ଯାଇଥିବା ଯୋଗୁଁ ନୂଆ ସ୍ଥାନରେ ରହିବାର ବ୍ୟବସ୍ଥା ହେଉଥାଏ। ପାରିବାରିକ ଦାୟିତ୍ବକୁ ଗୁରୁତ୍ବ ଦେଇ ସେ ଅଧ୍ୟାପକ ଚାକିରି ଗ୍ରହଣ କଲେ ନାହିଁ। ୧୯୫୭ରୁ ୧୯୬୩ ଯାଏ ଝାରସୁଗୁଡ଼ା ନିକଟ ଶ୍ରୀପୁରା ସ୍ଥିତ ଆବାସିକ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ୧୯୬୪ରୁ ୧୯୯୫ ଯାଏଁ ଅବସର ଗ୍ରହଣ ପର୍ଯ୍ୟନ୍ତ ପରମାଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ବ ତୁଲାଇଥିଲେ। ୧୯୯୪ ମସିହା ଗୁରୁଦିବସରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଶଙ୍କର ଦୟାଲ ଶର୍ମାଙ୍କ ଠାରୁ କୃତୀ ଶିକ୍ଷକ ଭାବରେ ପୁରସ୍କାର ଗ୍ରହଣ କରିଥିଲେ।

‘ଭୁଖା’କୁ ଆନ୍ତର୍ଜାତିକ ସ୍ବୀକୃତି
ତାଙ୍କ ରଚିତ ସମ୍ବଲପୁରୀ ନାଟକ ‘ଭୁଖା’କୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ସବ୍ୟସାଚୀ ମହାପାତ୍ରଙ୍କ ଦ୍ବାରା ନିର୍ମିତ ତଥା ନିର୍ଦ୍ଦେଶିତ ‘ଭୁଖା’ ଚଳଚ୍ଚିତ୍ର ୧୯୮୪ରେ ସ୍ପେନ୍‌ରେ ଆ‌ୟୋଜିତ କ୍ୟାନ୍‌ସ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ସ୍ବତନ୍ତ୍ର ଜୁରି ପୁରସ୍କାର ଲାଭ କରିଥିଲା। ପିତାପାଲିର ସ୍ମୃତି ତଥା ସେଠାକାର ବଜନିଆ (ବାଦ୍ୟକାର) ସଂପ୍ରଦାୟର ଲୋକଙ୍କ ଜୀବନ ସଂଘର୍ଷକୁ ନେଇ ରଚିତ ଏହି ନାଟକ ସମଗ୍ର ନାଟ୍ୟ ଜଗତରେ ଏକ ନୂତନ ସ୍ବର ଉଠାଇବାରେ ସଫଳ ହୋଇଥିଲା।

ମଙ୍ଗଳୁ ବିଶ୍ବାଳଙ୍କ ସାହିତ୍ୟକୁ ନେଇ ପ୍ରଥମ ପିଏଚ୍‌ଡି

ମଙ୍ଗଳୁ ଚରଣଙ୍କ ସାରସ୍ବତ କୃତି ଉପରେ ଗବେଷଣା କରି ୨୦୧୪ ମସିହାରେ ଶିକ୍ଷକ ଗୌରୀଦାସ ପ୍ରଧାନ ଡକ୍ଟରେଟ୍‌ ଉପାଧି ଲାଭ କରିଛନ୍ତି। ‘ସାହିତ୍ୟ ସାଧକ ମଙ୍ଗଳୁ ଚରଣ’ ନାମରେ ତାହା ପୁସ୍ତକ ଭାବରେ ପ୍ରକାଶିତ।

 

 ସାହିତ୍ୟ ସାଧକ ମଙ୍ଗଳୁ ଚରଣଙ୍କୁ ଶ୍ରଦ୍ଧାଞ୍ଜଳି

ମଙ୍ଗଳୁ ଚରଣ ବିଶ୍ବାଳ ଜଣେ ନିରଳସ ସାହିତ୍ୟ ସାଧକ। ତାଙ୍କ ବିୟୋଗରେ ଆମ ସାହିତ୍ୟର ବହୁତ ବଡ଼ କ୍ଷତି ହୋଇଛି। ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି।

-ରମାକାନ୍ତ ରଥ

ମଙ୍ଗଳୁ ଚରଣ ବିଶ୍ବାଳ ଉଭୟ ଓଡ଼ିଆ ଏବଂ ସମ୍ବଲପୁରୀ ଭାଷାରେ ଅନେକ ଉତ୍ତମ ଗ୍ରନ୍ଥ ଲେଖିଛନ୍ତି। ବିଶେଷତଃ ସମ୍ବଲପୁରୀ ଭାଷାରେ କବିତା ଏବଂ ନାଟକ କ୍ଷେତ୍ରରେ ତାଙ୍କର ଅବଦାନ ପ୍ରଶଂସନୀୟ। ସମ୍ବଲପୁରୀ ଭାଷାରେ ସେ ଏକ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ। ତାଙ୍କ ସହିତ ମୋର ପରିଚୟ ମୋର ଆଦ୍ୟ କଲେଜ ଜୀବନରୁ। ତାଙ୍କର ବିୟୋଗ ଓଡ଼ିଆ ଏବଂ ସମ୍ବଲପୁରୀ ସାହିତ୍ୟରେ ଏକ ବିରାଟ ଅପୂରଣୀୟ କ୍ଷତି। ମୁଁ ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି ଏବଂ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି।

-ରାଜେନ୍ଦ୍ର କିଶୋର ପଣ୍ଡା

ସମ୍ବଲପୁରୀ ନାଟକର ଆତ୍ମା ଥିଲେ ମଙ୍ଗଳୁ ଚରଣ ବିଶ୍ବାଳ। କେବେ ସୁଦ୍ଧା ସେ ପଦପଦବି, ଉପାଧି, ସମ୍ବର୍ଦ୍ଧନା‌, ପୁରସ୍କାର ପ୍ରତି ଲାଳାୟିତ ହୋଇ ନ ଥିଲେ। ସେ ଥିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯିଏକି ନିଜ ପୁଅକୁ ମଧ୍ୟ ସେଣ୍ଟ୍ ଅପ୍ କରି ନ ଥିଲେ। ନୀତିନିଷ୍ଠ ଓ ନିର୍ମଳ ମଣିଷ ସେ। ମୋର ସୌଭାଗ୍ୟ ଯେ, ତାଙ୍କ ନାଟକରେ ମୁଁ ଅଭିନୟ କରିଛି ଏବଂ ନିର୍ଦ୍ଦେଶନା ଦେଇଛି। ତାଙ୍କ ତିରୋଧାନରେ ଏମିତି ଲାଗୁଛି, ଯେମିତିକି ମୋର ଆଉ ଜଣେ ବାପା ଚାଲିଗଲେ। ତାଙ୍କର ଭାଷା ଓ ସାହିତ୍ୟ ଚିର ଅମର ହୋଇ ରହିବ।

-ଦ୍ବାରିକାନାଥ ନାୟକ

ମଙ୍ଗଳୁ ଚରଣ ବିଶ୍ବାଳ ଗଦ୍ୟ, ପଦ୍ୟ, ନାଟକ, ଶିଶୁ ସାହିତ୍ୟ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖୁଥିଲେ। ତାଙ୍କ ରଚିତ ନାଟକ ‘ଭୁଖା’ ଖୁବ୍ ଚର୍ଚ୍ଚିତ। ତାଙ୍କ ଆତ୍ମଜୀବନୀ ‘ହଜିଲାଦିନ’ରେ ହୀରାକୁଦ ବିସ୍ଥାପିତ ଗାଁର ମାର୍ମିକ ବର୍ଣ୍ଣନା ରହିଛି। ଗାଁର ସଂସ୍କୃତି ଏବଂ ବିସ୍ଥାପନର ଦୁଃଖକୁ ସେ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି। ସେ ଜଣେ ଆଦର୍ଶ ଶିକ୍ଷକ ଏବଂ ଖୁବ୍ ଭଦ୍ର ଓ ନମ୍ର ମଣିଷ ଥିଲେ। ତାଙ୍କ ପରଲୋକରେ ଆମେ ଜଣେ ସଚ୍ଚୋଟ ସା‌ଧକଙ୍କୁ ହରାଇଛୁ।

-ପ୍ରୀତୀଶ ଆଚାର୍ଯ୍ୟ

ସମ୍ବନ୍ଧିତ ଖବର