ଆସିକା : ଗଞ୍ଜାମ ଜିଲ୍ଲା ଆସିକା କେନ୍ଦ୍ରୀୟ ବ୍ୟାଙ୍କ୍ ପରିଚାଳନା ପରିଷଦର ସଭାପତି ଭାବେ ୧୫ ନମ୍ବର ଜୋନ୍‌ ନିର୍ଦ୍ଦେଶକ ମଙ୍ଗୁଳୁଧର ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ‌ ହୋଇଛନ୍ତି। ଏନେଇ ନିର୍ବାଚନ ଅଧିକାରୀ ତଥା ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରା ସୂଚନା ଦେଇଛନ୍ତି। ସଭାପତି ପଦରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ‌ମଙ୍ଗୁଳୁଧରଙ୍କ ନାମକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବନ୍ଦ ଲଫାପା ଖୋଲି ଘୋଷଣା କରିଥିଲେ। ଏହାପରେ କବିସୂର୍ଯ୍ୟନଗର ବ୍ଲକ୍ ସୁବଳୟାର ମୂଳବାସିନ୍ଦା ମଙ୍ଗୁଳୁଧର ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହିତ ବ୍ୟାଙ୍କ୍‌ରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାରୁ ମଙ୍ଗୁଳୁଧରଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରାଯାଇଥିଲା।
Advertisment
ମନ୍ତ୍ରୀ ଶ୍ରୀ ଅମାତଙ୍କ ସମେତ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ନବନିର୍ବାଚିତ ଏସିଏମ୍‌ପିସିଏସ୍ ସଭାପତି କାର୍ତ୍ତିକେଶ୍ୱର ପରିଡା, ଚିନିଶିଳ୍ପ ପରିଚାଳନା ପରିଷଦ ସଭାପତି ରବୀନ୍ଦ୍ର ପଣ୍ଡା, ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ଵାଇଁ, ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ, ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ଜିଲ୍ଲା ବିଜେଡି ସମ୍ପାଦକ ଅଭିମନ୍ୟୁ ନାହାକ,  ଖାରିଆ ସରପଞ୍ଚ ଭଗବାନ ସାହୁ ଓ ଏସିସିବିର ନିର୍ଦ୍ଦେଶକ ପ୍ରମୋଦ ସ୍ଵାଇଁଙ୍କ ସମେତ ସମସ୍ତ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ମଙ୍ଗୁଳୁଧରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ସୂଚନା ଥାଉକି, ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ପରିଚାଳନା ପରିଷଦର ୧୫ଟି ଜୋନ୍‌ରୁ ୬ଟି ଜୋନ୍‌ରେ ନିର୍ଦ୍ଦେଶକ ପଦରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଆଠଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୧୧ ନମ୍ବର ଜୋନ୍‌ରୁ ବୀରେନ୍ଦ୍ର ଆରୁଖଙ୍କ ପ୍ରାର୍ଥିପତ୍ର ରଦ୍ଦ ହେବା ପରେ ଏହି ଜୋନ୍ ଖାଲି ପଡ଼ିଛି। ନିର୍ବାଚନ ଅଧିକାରୀ ତଥା ଆସିକା ତହସିଲଦାର ଶ୍ରୀ ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।