ଭାଇଚାରାର ପ୍ରତୀକ ମାଣିକାଗଡ଼ା ଦଶହରା: ମୁସଲମାନ କର୍ତ୍ତା, ହିନ୍ଦୁ ପୁରୋହିତ

ବୋଲଗଡ଼ : ଭିନ୍ନତାରେ ଏକତାର ପରିଚୟ ଦେଇଥାଏ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍‌ ମାଣିକଗୋଡ଼ାର ଦଶହରା। ଗ୍ରାମରେ ଶାରଦୀୟ ପର୍ବ ପାଳନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଢେର ବର୍ଷ ହେବ ଭାଇଚାରା ଓ ଏକତାର ବାର୍ତ୍ତା ବାଣ୍ଟି ଆସୁଛି। ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀ ରାତିରୁ ଏଠାରେ ଆରମ୍ଭ ହୋଇଥାଏ ଏହି ପ୍ରସିଦ୍ଧ ପର୍ବ। ଷୋଡ଼ଶ ଶତାବ୍ଦୀର ଶେଷ ଭାଗରୁ ମାଣିକଗୋଡ଼ାରେ ଏହି ପର୍ବ ପାଳନ କରାଯାଉଥିବା ଲୋକକଥା ରହିଛି । ଏହି ଗ୍ରାମରେ ହିନ୍ଦୁ ସଂପ୍ରଦାୟର ସବର୍ଣ୍ଣ, ଅସବର୍ଣ୍ଣ ଏବଂ ମୁସଲମାନମାନେ ମିଳିମିଶି ପାଳନ କରିଥାନ୍ତି ଏହି ପର୍ବ । ଦଶହରା ରାତ୍ରିରେ ‘ଅପରାଜିତା ହୋମ’ ହେଉଛି ପର୍ବର ମୁଖ୍ୟ ଆକର୍ଷଣ। ଏହି ହୋମରେ ମୁସଲମାନ ଦଳବେହେରା ଅଜିବୁର ରେହେମାନ କର୍ତ୍ତା ହେବେ।

ଚଳିତ ବର୍ଷ ସପ୍ତମୀ ରାତ୍ରିରେ ମାଣିକଗୋଡ଼ାର ବିଭିନ୍ନ ସ୍ଥାନରୁ ଚାରିଟି ପୃଥକ୍ ପୃଥକ ରୋଷଣୀ ପଟୁଆରା ବାହାରିଥିଲା। ପ୍ରଥମେ ପ୍ରଫୁଲ୍ଲ ବାରିକ ଧରିଥିବା ମଶାଲ ଆଲୋକ ଏବଂ ପାରମ୍ପରିକ ଢୋଲ ଓ ଘଣ୍ଟ ବାଦ୍ୟ ମଧ୍ୟରେ ଗଜପତିଙ୍କ ଦ୍ବାରା ପ୍ରତିଷ୍ଠିତ ଓ ଦିବ୍ୟସିଂହପୁ୍ର ଶାସନ ଗ୍ରାମରେ ଅବସ୍ଥାପିତ ଶ୍ରୀକନକଦୁର୍ଗାଙ୍କୁ ପୂଜକ ଦେବେନ୍ଦ୍ର ହୋତା ଖଟୁଲିରେ ଧରି ଭାଗବତୀଙ୍କ ପୀଠକୁ ଆସିଥିଲେ। ପରେ ଗଜପତିଙ୍କ ପ୍ରଦତ୍ତ ଖଡ୍ଗ, ଯାହାକି ମାଣିକାଗୋଡ଼ା ଗ୍ରାମର ମୁସଲମାନ ଦଳବେହେରାଙ୍କ ଘରେ ରହିଛି; ସେହି ଖଡ୍ଗକୁ ଭାଗବତୀଙ୍କ ପୀଠକୁ ଆଣିବା ପାଇଁ ମଶାଲ ଆଲୋକରେ ଢୋଲବାଦ୍ୟ ବଜାଇ ମାନସିଂହ ଉପାଧି ପାଇଥିବା ପରିବାରର ପ୍ରଦୀପ୍ତ ମାନସିଂହ ଦଳବେହେରାଙ୍କ ଦୁଆର ସମ୍ମୁଖରେ ପହଂଚିଥିଲେ। ମଶାଲ ଓ ଢୋଲ ବାଦ୍ୟରେ ମୁସଲମାନ ଦଳବେହେରା ଅଜିଜୁର ରେହେମାନ ଗଜପତିଙ୍କ ପ୍ରଦତ୍ତ ଖଡ୍ଗକୁ ଘରୁ ଆଣି ମାନସିଂହଙ୍କୁ ପ୍ରଦାନ କରିଥିଲେ। ମାନସିଂହ ଖଡ୍ଗ ଧରି ରୋଷଣୀ ପଟୁଆରରେ ଆସିଥିଲେ ଭାଗବତୀଙ୍କ ପୀଠକୁ ।

ଅନୁରୂପ ଭାବେ ମଶାଲ ଓ ଢୋଲବାଦ୍ୟରେ ଗାଁକରଣ ଅବନୀ ପଟ୍ଟନାୟକ ଲେଖନୀ ଓ ତାଳପତ୍ର ନେଇ ବାହାରିଥିଲେ। ପୁଣି ଆଉ ଏକ ରୋଷଣୀ ପଟୁଆରରେ ଡୁମାଳଗଉଡ଼ (ଶବର) ପୂଜିତ ଉକ୍ତ ଗ୍ରାମସ୍ଥିତ ମହିଷାମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ଏକ ବିରାଟ କଟାରୀ (ଲମ୍ବା କଟୁରି) ଧରି ପୂଜକ ଦୁର୍ଯ୍ୟୋଧନ ଦିହୁଡ଼ି ଆସିଥିଲେ। ଏହି ଚାରିଟି ପୃଥକ୍ ପୃଥକ୍ ରୋଷଣୀ ପଟୁଆର ଗ୍ରାମର ଦେବୀପୀଠ ଶ୍ରୀଭଗବତୀ ଠାକୁରାଣୀଙ୍କ ମନ୍ଦିରକୁ ଯାଇ ଏକତ୍ରିତ ହୋଇଥିଲେ। ଏହି ମନ୍ଦିର ସମ୍ମୁଖ ମଣ୍ଡପ ଉପରେ ନବନିର୍ମିତ ସ୍ବତନ୍ତ୍ର ପିଢ଼ା ଉପରେ ଗଜପତିଙ୍କ ପ୍ରଦତ୍ତ ଦଳବେହେରାଙ୍କ ଖଡ୍ଗ, କରଣଙ୍କ ଲେଖନୀ ଓ ତାଳପତ୍ର ଏବଂ ମହିଷାମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ଏକ ବିରାଟ କଟାରିକୁ ନବନିର୍ମିତ ପିଢା ଉପରେ ଅବସ୍ଥାନ କରାଯିବା ବେଳେ ଶ୍ରୀକନକଦୁର୍ଗା ଖଟୁଲିରେ ଅବସ୍ଥାନ କରିଛନ୍ତି। ପୂଜା ସମୟରେ ଶ୍ରୀଭଗବତୀ ଠାକୁରାଣୀଙ୍କ ମନ୍ଦିର ଖୋଲାରହେ। ତା’ ସହ ଶନିବାରରୁ ଆରମ୍ଭ ହୋଇଛି ନିରାମଷ ଅନ୍ନ ସଙ୍କୁଡ଼ି ଭୋଗ। ଏଠାରେ ଲାଗି ହେଉଥିବା ଭୋଗ ସାମଗ୍ରୀ ମୁସଲମାନ ଦଳବେହେରାଙ୍କ ପରିବାର ପକ୍ଷରୁ ଆସିଥାଏ। ତେବେ ପାର୍ବଣର ଆୟମାରମ୍ଭ ଦିବସ ପାଇଁ ଏଠାରେ ପରାମ୍ପରା ଅନୁସାରେ ପ୍ରତିବର୍ଷ ଧୋବା ବର, ବେଲ ଅଥବା ବରୁଣ କାଠ ଆଣି ନୂତନ ପିଢା ଓ ରୁଖା ପ୍ରସ୍ତୁତି ପାଇଁ ବଢ଼େଇକୁ ଦିଅନ୍ତି । ବଢ଼େଇ ଏଥିରୁ ତିଆରି କରନ୍ତି ପିଢ଼ା ଓ ରୁଖା। ଏଥିନେଇ ଏବର୍ଷ ମଧ୍ୟ ଅଶୋକ ସେଠୀ କାଠ ଆଣି ବଢ଼େଇ ବାଟିଆ ମହାରଣାଙ୍କୁ ଦେଇଥିଲେ। ମହାରଣା ନୂତନ ପିଢା ଓ ଦୀପ ପାଇଁ ରୁଖା ନିର୍ମାଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀଭଗବତୀ ଠାକୁରାଣୀଙ୍କ ପୀଠ ସମ୍ମୁଖ ମଣ୍ଡପ ଉପରେ ଭୋଇ ଛାମୁଣ୍ଡିଆ ନିର୍ମାଣ କରି ରଖୁଥାଏ । ଏହି ମଣ୍ଡପଟିର ଚାଳ ଛପର ଏବଂ ଲିପା ପୋଛା ଆଦି ରାକ୍ଷଣା ବେକ୍ଷଣ ମୁସଲମାନ ପରିବାର କରୁଥିଲେ। ମାତ୍ର ସମୟ କ୍ରମେ ଉକ୍ତ ମଣ୍ଡପଟି ମାଟି ପରିବର୍ତ୍ତେ ସିମେଣ୍ଟ କଂକ୍ରିଟ ଏବଂ ଚାଳଛପର ପରିବର୍ତ୍ତନ ହୋଇ ଛାତ ହୋଇଗଲାଣି। ଫଳରେ ଛାମୁଣ୍ଡିଆ ନିର୍ମାଣ ପରିବର୍ତ୍ତେ ମଣ୍ଡପ ପାର୍ଶ୍ବର ଚାର ବାଡ଼କୁ ଭୋଇ ପରିବାରମାନେ କରୁଛନ୍ତି। ଶତାଧିକ ବର୍ଷ ଧରି ପାଳିତ ହୋଇଆସୁଥିବା ଏହି ଦଶହରାପର୍ବ ମାଣିକାଗୋଡ଼ା ଗ୍ରାମବାସୀଙ୍କ ସମେତ ରାଜ୍ୟ ତଥା ଦେଶ ପାଇଁ ଜାତି ଧର୍ମ ନିର୍ବିଶେଷରେ ଏକତାର ବାର୍ତ୍ତାଦେଇ ଆସୁଛି। ଆମ ଗ୍ରାମବାସୀଙ୍କ ସମେତ ସମଗ୍ର ଅଞ୍ଚଳବାସୀ ଏଥିନେଇ ଗୋରବାନ୍ବିତ ମନେକରୁଛୁ ବୋଲି ମାଣିକଗୋଡ଼ା ଦଶହରା କମିଟିର ଆବାହକ ତଥା ଟ୍ରଷ୍ଟି ଆଇନୀଜୀବୀ ଅମିୟ କୁମାର ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର