ଅନନ୍ୟ ମାଣିକାଗୋଡାର ଦଶହରା ଉତ୍ସବ : ଅପରାଜିତା ହୋମରେ ମୁସଲମାନ ପୁରୋଧା

ବୋଲଗଡ : ପବିତ୍ର ଦୁର୍ଗୋତ୍ସବ ସମୟରେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ମାଣିକଗୋଡା ଗ୍ରାମ ଯେଉଁ ଅନନ୍ୟ ପରମ୍ପରା ଓ ଭାଇଚାରାର ବାର୍ତ୍ତା ଦିଏ ଏହା ସମଗ୍ର ଭାରତରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଗ୍ରାମରେ ୪୦ଭାଗ ମୁସଲମାନ ଥିବା ବେଳେ ୬୦ଭାଗ ହିନ୍ଦୁ ଲୋକ କେଉଁ ଆବାହନ କାଳରୁ ବାସ କରିଆସୁଛନ୍ତି। ଧାର୍ମିକ ଚିନ୍ତାଧାରାର ଭିନ୍ନତା ସତ୍ତ୍ବେଏହି ଗ୍ରାମରେ ଦୀର୍ଘ ୫୦୦ବର୍ଷ ଧରି ଯେଉଁ ଦଶହରା ଉତ୍ସବ ପାଳିତ ହୋଇଆସୁଅଛି ତାହା ହିନ୍ଦୁ-ମୁସଲମାନ ସମ୍ପ୍ରୀତିର ଅନନ୍ୟ ଉଦାହରଣ ସୃଷ୍ଟି କରିଛି।

ଗତ ୫ଶହ ବର୍ଷ ଧରି ପୁରୁଷାନୁକ୍ରମେ ଚାଲି ଆସୁଥିବା ଦୁର୍ଗା ପୂଜାରେ ମା ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ନହୋଇ କେବଳ କନକ ଦୂର୍ଗାଙ୍କର ପୂଜାଅର୍ଚ୍ଚନା କରାଯାଏ। ସବୁବର୍ଷ ଭଳି ଚଳିତ ବର୍ଷ ଏହି ଦୂର୍ଗାପୂଜାରେ ୧୩ଟି ଜାତି ଅର୍ଥାତ ଦିବ୍ୟସିଂହ ପୁରର ରାଜ ପ୍ରତିଷ୍ଠିତ ବ୍ରାହ୍ମଣ ଦେବେନ୍ଦ୍ର ହୋତାଙ୍କ ଘରୁ ମା କନକ ଦୁର୍ଗା, ମାଣିକାଗୋଡା ଗ୍ରାମ ଆରମ୍ଭରେ ଥିବା ଭଗବତି ପୀଠକୁ ସପ୍ତମୀ ଦିନ ମଧ୍ୟ ରାତିରେ ପଟୁଆର ସହିତ ବିଜେ ହୋଇଥାନ୍ତି। କରଣ ଜାତିର କୋଠ କରଣ ଅବନୀ ପଟ୍ଟନାୟକଙ୍କ ଘରୁ ଲେଖନି ଓ ତାଳପତ୍ର ,ମୁସଲମାନ ଦଳବେହେରାଙ୍କ ଘରୁ ଖଣ୍ତା, ମହିଷାଶୁଣୀଙ୍କ ପୀଠରୁ କଟରା ଦୁର୍ଯ୍ୟୋଧନ ଦୁହୁଡି ନାମକ ବ୍ୟକ୍ତି ଆଣିଥାନ୍ତି। ବଢେଇ ଜାତିର ବ୍ୟକ୍ତିମାନେ ରୁଖା ଓ ପିଢା ଦେଇଥାନ୍ତି। ଏହି ରୁଖା ଓ ପିଢା ତିଆରି କରିବା ପାଇଁ ଧୋବା ଜାତିର ଜଣେ ବ୍ୟକ୍ତି ବେଲ ଓ ବର କାଠ ଯୋଗାଇଥାନ୍ତି। ଭୋଇ ଜାତିର ଜଣେ ବ୍ୟକ୍ତି ବିଭିନ୍ନ ଗଛର ଡାଳ ଅଣି ଏଠାରେ ଏକ କୁଡିଆ କରିଥାନ୍ତି। ଏହି ସବୁ କାର୍ଯ୍ୟରେ ମଧ୍ୟ ମାଳି ଠାରୁ ଆରମ୍ଭ କରି ବିଭିନ୍ନ ଜାତିର ଲୋକେ ସହଯୋଗ କରିଥାନ୍ତି।

ଅଷ୍ଟମୀ ଓ ନବମୀ ଦୁଇଦିନ ପଂକ୍ତି ଭୋଜନ, ସଙ୍ଖୁଡି ଭୋଗ ପରେ ଦଶମୀ ଦିନ ଦିନ ୪ଟାବେଳେ ସଜ ଉଠା କାର୍ଯ୍ୟ ସମାପନ ହୁଏ। ଏହାପରେ ଗ୍ରାମର ୫ଟି ପାଇକ ଆଖଡାମେଳ ସେମାନଙ୍କର କ୍ରୀଡା କୈାଶଳ ଦର୍ଶାଇ ମାଣିକ ସାଗର କୁଳରେ ଥିବା ମା ଭୂୟାଁଣୀ ଠାକୁରାଣୀଙ୍କ ନିକଟକୁ ଯାଇ ତାଙ୍କୁ ଆବାହନ କରି ଆଣିଥାନ୍ତି। ମା ଭୂୟାଁଣୀ ଓ ମା ଯୋଗମାୟା ଦୁଇ ଭଉଣୀଙ୍କୁ ନେଇ ପାଇକସାହି, ବଢେଇସାହି, ସନ୍ତରା ସାହିର ପ୍ରତ୍ୟକ ଦୁଆରେ ଭୋଗ ଖାଇ ଭଗବତୀ ପୀଠରେ ପହ‌ଞ୍ଚନ୍ତି। ଏହି ଠାରୁ ମୁସଲମାନ ଦଳ ବେହେରାଙ୍କୁ ସାଙ୍ଗରେ ନିଆଯାଇ ପୂର୍ବରୁ ପୂଜା ପାଉଥିବା ଖଣ୍ତା, କଟରା(କଟୁରି), ତାଳପତ୍ର, ଲେଖନୀ ସହ ଏକ କିଲୋମିଟର ଦୂର ମାଳିସାହିର ପ୍ରସିଦ୍ଧ ଶୈବପୀଠ ସୋମନାଥ ଦେବଙ୍କ ମନ୍ଦିର ନିକଟରେ ଥିବା ଦଶହରା ପଡିଆରେ ବିଳମ୍ବିତ ରାତ୍ରରେ ଅପରାଜିତା ହୋମ ହୁଏ। ଏହି ହୋମରେ ଦିବ୍ୟସିଂହପୁର ଶାସନର ରାଜପ୍ରତିଷ୍ଠିତ ବ୍ରାହ୍ମଣ ଦେବେନ୍ଦ୍ର କୁମାର ହୋତା ଓ ଜଗଦାନନ୍ଦ ହୋତାଙ୍କ ସହିତ ଅନ୍ୟ ସହଯୋଗୀ ବ୍ରାହ୍ମଣମାନଙ୍କ ଗହଣରେ ହୋମ କାର୍ଯ୍ୟ କରିଥାନ୍ତି। ଏହି ହୋମରେ ମୁସଲମାନ ଦଳବେହେରା କୁଶବଟୁ ପିନ୍ଧିବା ସହିତ ମୁଖ୍ୟକର୍ତ୍ତା ହୋଇ ମା’ଙ୍କୁ ଷୋଡଶ ଉପଚାରରେ ପୂଜା କରିବା ସହିତ ହୋମରେ ଆହୁତି ଦେଇଥାନ୍ତି।

ଏହି ମୁସଲମାନ ଦଳବେହେରା ହବିବୁର ରହମାନ ଚଳିତ ବର୍ଷ ଜୁଲାଇ ୬ତାରିଖରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ବଡପୁଅ ଶେଖ ମୁଜିବୁର ରେହେମାନ ଉତ୍ତରାଧିକାରୀ ଭାବେ ଏହି ପୂଜା କର୍ମ କରୁଛନ୍ତି। ୧୯୮୦ ମସିହାରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ କିଛି ଆର୍ଥିକ ସାହାଯ୍ୟ ଦିଆଯାଉଥିଲାବେଳେ ଗତ ୩ବର୍ଷ ଧରି ଏହି ଅନୁଦାନକୁ ବନ୍ଦ କରିଦିଆଯାଇଛି। ଯାହାଫଳରେ ଗ୍ରାମବାସୀମାନେ ଚାନ୍ଦା କରି ଏହି ମହାନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।

ସମ୍ବନ୍ଧିତ ଖବର