ନିରାଡ଼ମ୍ବର ଭାବେ ପାଳିତ ହେଲା ମାଣିକଗୋଡ଼ା ଦଶହରା

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଳକ୍ ଅନ୍ତର୍ଗତ ମାଣିକଗୋଡ଼ା ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବି ହିନ୍ଦୁ ମୁସଲମାନ ମିଳିମିଶି ନିଆରା ଢଙ୍ଗରେ ପାଳନ କରିଛନ୍ତି ଦଶହରା ପର୍ବ। ସପ୍ତମୀ ରାତ୍ରିରୁ ଆରମ୍ଭ ହୋଇଥିବା ଏହି ପର୍ବ ଦଶମୀ ତିଥିରେ ଉଦଯାପିତ ହୋଇଛି।
ଷୋଡ଼ଶ ଶତାବ୍ଦୀରୁ ଏହି ପର୍ବ ଏହିଭଳି ପାଳନ କରାଯାଉଥିବାରୁ ମାଣିକଗୋଡ଼ା ଗ୍ରାମ ଭାଇଚାରା, ପ୍ରୀତି ଓ ସଂହତିର ପୀଠଭୂମି ରୂପେ ପରିଚିତ। ଏଠି ଜାତିଧର୍ମର ବାଛବିଚାର ନାହିଁ। ଦଶହରା ପର୍ବ ଉପଲକ୍ଷେ ସପ୍ତମୀ ତିଥିରେ ମୁସଲମାନ ଦଳବେହେରା ରେହମାନ୍ ଧୋତି ପିନ୍ଧି ଗଜପତିଙ୍କ ପ୍ରଦତ୍ତ ଖଡଗ ଆଣି ମାନସିଂହଙ୍କୁ ଦେଇଥିଲେ।
ମନସିଂହ ଖଡଗ ଧରି ଦଳବେହେରାଙ୍କୁ ସାଥୀରେ ନେଇ ଭଗବତୀ ପୀଠ ଅଭିମୁଖେ ଯାଇଥିଲେ। ସେହିପରି କୋଠ କରଣ ଲେଖନୀ ଓ ତାଳପତ୍ର ନେଇ ବାହାରିଥିବା ବେଳେ ମା’ ମହିଷାମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ଲମ୍ବା କଟୁରି ଧରି ପୂଜକ ଏବଂ ଗଜପତିଙ୍କ ପ୍ରତିଷ୍ଠିତ ଦିବ୍ୟସିଂହପୁର ଶାସନ ଗ୍ରାମରେ ଅବସ୍ଥାପିତ ଶ୍ରୀ କନକ ଦୁର୍ଗା ଆସିଥିଲେ। ଏମାନେ ସମସ୍ତେ ଦେବୀପୀଠ ଶ୍ରୀ ଭଗବତୀ ଠାକୁରାଣୀଙ୍କ ମନ୍ଦିର ସମ୍ମୁଖ ମଣ୍ଡପରେ ନବନିର୍ମିତ ସ୍ୱତନ୍ତ୍ର ପିଢା ଉପରେ ଗଜପତିଙ୍କ ପ୍ରଦତ୍ତ ଦଳବେହେରାଙ୍କ ଖଡଗ, କୋଠ କରଣଙ୍କ ଲେଖନୀ ଓ ତାଳପତ୍ର ଏବଂ ମହିଷାମର୍ଦ୍ଦିନୀଙ୍କ ବିଜେ ପ୍ରତିମା ରଖାଯାଇଥିଲା। ଏଠାରେ ଶ୍ରୀ କନକ ଦୁର୍ଗାଙ୍କୁ ଖଟୁଲିରେ ରଖାଯିବା ପରେ ପୂଜା ଆରମ୍ଭ ହୋଇଥିଲା। ତିନିଦିନ ଧରି ପୂଜା ହେବାପରେ ଦଶହରା ଦିନ ଗ୍ରାମର ଯୋଗମାୟାଙ୍କ ପାଖରେ ମାନସିକଧାରୀ ଗୁଡ଼ ଜାଉ ଅର୍ପଣ କରିଥିଲେ ।
ଗତକାଲି ଅନୁଷ୍ଠିତ ସନ୍ଧ୍ୟାରେ ମାଣିକଗୋଡ଼ା ଦଶହରା ପର୍ବର ଦୃଶ୍ୟ ଅତି ମନୋରମ। ମାଣିକଭୂୟାଁ ଠାକୁରାଣୀ ମୁସଲମାନ ଦଳବେହେରାଙ୍କ ଦୁଆରୁ ଆସି ଫଳ ଏବଂ ଶୁଖିଲା ଭୋଗ ଖାଇବା ପରେ ଏହି ଭୋଗକୁ ଉଭୟ ହିନ୍ଦୁ ଓ ମୁସଲମାନ ପାଇଥିଲେ । ଏହାପରେ ଠାକୁରାଣୀ ମୁସଲମାନ ଦଳବେହେରାଙ୍କୁ ସାଥୀରେ ଧରି ଗ୍ରାମର ଦେବୀପୀଠ ଭଗବତୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ତିନିଧରି ପୂଜା ପାଉଥିବା ମା’ କନକଦୁର୍ଗା, ଗଜପତିଙ୍କ ପ୍ରଦତ୍ତ ଖଡଗ ଓ କୋଠକରଣଙ୍କ ଲେଖନୀ ତାଳପତ୍ର ଓ ମହିଷାମର୍ଦ୍ଦିନୀଙ୍କ ବିଜେ ପ୍ରତିମା କୋଭିଡ କଟକଣା ଯୋଗୁ ରୋଷଣୀ ପଟୁଆର ପରିବର୍ତ୍ତେ ଏକ ନିରାଡମ୍ବର ଶୋଭାଯାତ୍ରାରେ ଅପରାଜିତା ହୋମ ପାଇଁ ଉଦ୍ଦିଷ୍ଟ ସ୍ଥାନ ଦିବ୍ୟସିଂହପୁର ଶାସନ, କଳାଙ୍ଗ ଏବଂ ମାଳିସାହି ରାସ୍ତାର ତ୍ରିଛକିସ୍ଥିତ ସୋମନାଥ ଦେବ ମନ୍ଦିର ସମ୍ମୁଖ ପହଞ୍ଚିଥିଲେ।

ଏଠାରେ ରାସ୍ତା ଉପରେ ଶ୍ରୀ କନକ ଦୁର୍ଗା ଖଟୁଲିରେ ବସିଥିବା ବେଳେ ଅନ୍ୟମାନେ ପିଢାରେ ବସିଥିଲେ। ଏମାନଙ୍କ ନିକଟରେ ମାଣିକଭୂୟାଁଙ୍କ ବିଜେ ପ୍ରତିମା କାଷ୍ଠ ମୁଷଳ ଧରି ସେବକ ବସିଥିଲେ। ପାର୍ଶ୍ୱବର୍ତ୍ତୀ ମନ୍ଦିରରେ ଶ୍ରୀ ସୋମନାଥ ଦେବ ନିଜ ବାଇଶ ଗୁଣ୍ଠ ବେଢାରେ ବସିଥିବା ବେଳେ ଅପରପାର୍ଶ୍ୱରେ ଗୋପୀନାଥ ଦେବ ଅବସ୍ଥାନ କରିଥିଲେ। ହୋମ କୁଣ୍ଡ ପାର୍ଶ୍ୱରେ ମୁସଲମାନ ଦଳବେହେରା ଶେଖ ରେହମାନ୍, ମାନସିଂହ, କୋଠକରଣ ବ୍ରାହ୍ମଣ ପଣ୍ଡିତ ରାଜଗୁରୁ ଶବର କନ୍ଧ ଓ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ରହିଥାଆନ୍ତି । ଏହାପରେ ଆରମ୍ଭ ହୁଏ ଅପରାଜିତା ହୋମ। ମୁସଲମାନ ଦଳବେହେରା କର୍ତ୍ତା ଭାବେ ହାତରେ କୁଶବଟୁ ପିନ୍ଧି କାର୍ଯ୍ୟଭାର ତୁଲାଇଥିଲେ। ଉପସ୍ଥିତ ବ୍ରାହ୍ମଣ ପଣ୍ଡିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ସହିତ ରାଜଗୁରୁ ହୋମକୁଣ୍ଡରେ ଆହୁତି ଦେଇଥାଆନ୍ତି । ହୋମ ଶେଷରେ ମା’ କନକ ଦୁର୍ଗା ଆଖିରେ ଅନ୍ଧ ପିଟୁଳି ବାନ୍ଧିବା ପରେ ଅପରାଜିତା ହୋମ ଉଦଯାପିତ ହୋଇଥିଲା । ପରେ ଏଠାକୁ ଆସିଥିବା ଠାକୁର ଠାକୁରାଣୀ ବିଜେ ପ୍ରତିମାମାନେ ସ୍ୱସ୍ଥାନକୁ ଫେରିଥିଲେ। ମାଣିକଭୂୟାଁ ବିଜେ ପ୍ରତିମା କାଷ୍ଠ ମୁଷଳ କଳାଙ୍ଗ ଗ୍ରାମରେ ଚାଚେରୀ ଭୋଗ ଖାଇ ନିଜ ମନ୍ଦିରକୁ ଫେରିଥିଲେ।

ତେବେ ପୂର୍ବ ବର୍ଷମାନଙ୍କରେ ଏହି ହଶହରା ପର୍ବ ମହାଆଡମ୍ବରରେ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ପରମ୍ପରା ବିଧି ରଖିବା ପାଇଁ କୋଭିଡ ନିୟମ ମାନି ନିରାଡ଼ମ୍ବର ଭାବେ ପାଳିତ ହୋଇଛି।

ସମ୍ବନ୍ଧିତ ଖବର