ଭବାନୀପାଟଣା : ଭବାନୀପାଟଣା ସହରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଦଶହରା ଓ ପବିତ୍ର ଛତର ଯାତ୍ରା ପାଳନ ଉପରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ସୀମିତ ସେବାୟତ, ମନ୍ଦିର କର୍ତ୍ତୃପକ୍ଷ, ପୁଲିସ, ପ୍ରାଶାସନିକ ଅଧିକାରୀ, ଅଧୀକୃତ ସଭ୍ୟଙ୍କ ଗହଣରେ ମା’ଙ୍କ ପବିତ୍ର ଛତର ବିଜୟଯାତ୍ରା ହେବ।
ଅକ୍ଟୋବର ୧୩ ତାରିଖ ଦିନ ସକାଳ ୬ଟାରେ ଜେନାଖାଲଠାରୁ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ଯାଇ ସକାଳ ସାଢ଼େ ୭ଟା ମଧ୍ୟରେ ମନ୍ଦିରକୁ ପ୍ରବେଶ କରିବେ। ଯାତ୍ରା ସମୟରେ ରାସ୍ତାରେ ଭକ୍ତଙ୍କ ସମାବେଶ ଓ ଦର୍ଶନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମା’ଙ୍କ ଛତରଯାତ୍ରା ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ମରାମତି, ସଫେଇ, ବ୍ଲିଚିଂ ପକାଇବା, ଆମ୍ବୁଲାନ୍ସର ବ୍ୟବସ୍ଥା, ଛତର ଯାତ୍ରାରେ ସାମିଲ ସମସ୍ତଙ୍କ କୋଭିଡ୍ ପରୀକ୍ଷା, ପୁଲିସ କର୍ଡନ ଓ ଶାନ୍ତିଶୃଙ୍ଖଳା, ପାନୀୟ ଜଳର ବ୍ୟବସ୍ଥା, ପରିମଳ, ବିଦ୍ୟୁତ ସରାବରାହ, ଛତରଯାତ୍ରାର ସିଧାପ୍ରସାରଣ, ଅବକାରୀ ଦ୍ବାରା ମଦ ଦୋକାନ ବନ୍ଦ, କଟକଣା ସମ୍ବନ୍ଧୀୟ ଘୋଷଣା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ପୂର୍ତ୍ତବିଭାଗ, ଜାତୀୟ ରାଜପଥ, ୱେସ୍କୋ, ପିଏଚ୍, ସିଡିଏମ୍ଓ, ଅବକାରୀ ଅଧୀକ୍ଷକ, କଳାହାଣ୍ଡି ପୁଲିସ ଏସ୍ପି, ଡିଆଇପିଆର୍ଓ, ଭବାନୀପାଟଣା ଉପଜିଲ୍ଲାପାଳ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ, ପ୍ରାଶାସନିକ ସହଯୋଗ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ପୂର୍ବତନ ଉପନଗରପାଳ ଚିତ୍ତରଞ୍ଜନ ମଣ୍ଡଳ, ସାମ୍ବାଦିକ ବିଜୟ ଦ୍ବିବେଦୀ, ସାମନ୍ତ ଖମାରୀ, ସତ୍ୟ ନାରାୟଣ ମହାପାତ୍ର, ମହାରାଜା ପ୍ରତିନିଧି ଅଶୋକ ନେଗୀ, ଉତ୍ସବ ସାହୁ, ସୁବ୍ରତ ବହିଦାର, ଶଶିଭୂଷଣ ଚୌଧୁରୀ ପ୍ରମୁଖ ଛତରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବା ଉପରେ ନିଜସ୍ବ ମତାମତ ରଖିଥିଲେ। ସେହିଭଳି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ମଧ୍ୟ ସମଗ୍ର ଜିଲ୍ଲାରେ କୋଭିଡ୍ କଟକଣା ମଧ୍ୟରେ କରିବାକୁ ନିଷ୍ପତ୍ତି ହୋଇଥିଲା। ଦୁର୍ଗାପୂଜା ପାଇଁ ପୂଜା କମିଟି ଜିଲ୍ଲାପାଳ କିଂବା ପ୍ରାଧୀକୃତ ଅଧିକାରୀଙ୍କଠାରୁ ଅନୁମତିପ୍ରାପ୍ତ ସହ ମଣ୍ଡପର ତିନିପାର୍ଶ୍ବ ବନ୍ଦ ଓ ଗୋଟିଏ ପାର୍ଶ୍ବ ଖୋଲା, ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିର ଉର୍ଚ୍ଚତା ୪ଫୁଟ କିଂବା ତା’ଠାରୁ କମ୍, ପୂଜା ମଣ୍ଡପରେ ଏକ ସମୟରେ କର୍ତ୍ତା, ପୂଜକ ଓ ସେବାୟତଙ୍କୁ ମିଶାଇ ସର୍ବାଧିକ ୭ଜଣଙ୍କୁ ଅନୁମତି ଦିଆଯିବ। କୌଣସି ବି ଭକ୍ତଙ୍କୁ ମଣ୍ଡପରେ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ, ମଣ୍ଡପର ଖୋଲା ପାର୍ଶ୍ବ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବାରଣ, ବିସର୍ଜନ ପାଇଁ ଶୋଭାଯାତ୍ରା ଓ ମାଇକ ସାଉଣ୍ଡ ସମ୍ପୂର୍ଣ୍ଣ ବାରଣ ପାଇଁ ନିଷ୍ପତ୍ତି ହୋଇଛି। କଟକଣା ମଧ୍ୟରେ ପାଳନ କରିବାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ବାରା ବ୍ୟାପକ ପ୍ରଚାର ନିମନ୍ତେ ସମସ୍ତ ତହସିଲଦାର ଓ ବିଡିଓଙ୍କୁ ଚିଠି ଯୋଗେ ଜଣାଇ ଦିଆଯିବ।
ସଭାରେ କଳାହାଣ୍ଡି ପୁଲିସ ଏସପି ଡା. ଶ୍ରବଣା ବିବେକ ଏମ୍, ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନ, ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ସଦର ଏସ୍ଡିପିଓ ସୁନାରାମ ହେମ୍ବ୍ରମ, ଟାଉନ୍ ଥାନା ପୁଲିସ ଆଇଆଇସି ପ୍ରଦୀପ ଧରୁଆ, କଳାହାଣ୍ଡି ତହସିଲଦାର ଉପେନ୍ଦ୍ର ଲୁହା, ସହକାରୀ ଜିଲ୍ଲାପାଳ ସୁଦୀପ୍ତ ନାଏକ, ବିଡିଓ ପ୍ରିତା କୁମାର, ସିଡିଏମ୍ଓ ଡା. ପ୍ରତାପ ବେହେରା, ଡିଆଇପିଆର୍ଓ ମନୋଜ ବେହରାଙ୍କ ସହ ଶାନ୍ତି କମିଟି ସଭ୍ୟ, ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/89c3b320-cf23-46f9-ad98-30baa8bd8e78.jpg)